ଭୁବନେଶ୍ୱର: ନିଜର ଏକ ସ୍ୱତନ୍ତ୍ର ସଙ୍ଗଠନ କରି ନିଜର ପତିଆରା ବିସ୍ତାର କରୁଥିବା ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱର ସାଂସଦଙ୍କ ବିରୋଧରେ ଏକଚାଟିଆ ନିଷ୍ପତ୍ତି ନେଉଥିବା ଅଭିଯୋଗ ଆସିଛି । ମେୟର ନିର୍ବାଚନ ବେଳେ ସାଂସଦ ଅପରାଜିତା ନିଜ ଇଚ୍ଛାରେ ପ୍ରାର୍ଥୀ ଦେଉଥିଲେ ଏବଂ ହାରିବା ପରେ ରାଜ୍ୟ ନେତୃତ୍ୱ ଉପରେ ଦୋଷ ଲଦିବା କେତେ ଠିକ୍ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ।
ମହାନଗର ନିଗମ ନିର୍ବାଚନରେ ବିଜେପି ହାରିବା ପରେ ରାଜ୍ୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏବେ ଏହାର ପାଲଟା ଜବାବ ରଖିିଛନ୍ତି ଖାରବେଳ ସ୍ୱାଇଁ । ଆଉ ଖାରବେଳଙ୍କ ବୟାନ ଯଦି ସତ ବୋଲି ଗ୍ରହଣ କରାଯାଏ ତାହେଲେ ସାଂସଦ ହାରିବା ପରେ ଦଳୀୟ ନେତୃତ୍ୱକୁ ଦାୟୀ କରୁଛନ୍ତି କିନ୍ତୁ ପ୍ରାର୍ଥୀ ଚୟନ କରିବା ବେଳେ ନିଜ ମନ ମୁତାବକ କରୁଛନ୍ତି ବୋଲି ଜଣାପଡିଛି ।
ନିର୍ବାଚନ ହାରିବା ପରେ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ନେତୃତ୍ୱକୁ ଦାୟୀ କରୁଛନ୍ତି । କିନ୍ତୁ ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥୀ ଚୟନ ବେଳେ ସେ କୌଣସି ନେତାଙ୍କ ସହିତ ଆଲୋଚନା କରିନଥିଲେ କି ପ୍ରଚାର ପାଇଁ ମଧ୍ୟ କାହାକୁ କହିନଥିଲେ। ତେଣୁ ଫାଳଫଳ ଏପରି ହୋଇଛି। ଯଦି ସାଂସଦ ସମସ୍ତଙ୍କ ପରାମର୍ଶ ଗ୍ରହଣ କରିଥାନ୍ତେ ତାହାଲେ ଆଜି ଏ ଫଳାଫଳ ହୋଇନଥାନ୍ତା । ଗତକାଲି ଅପରାଜିତା ରାଜ୍ୟ ନେତୃତ୍ବକୁ ଦୁର୍ବଳ ବୋଲି କହିବା ପରେ ଖାରବେଳଙ୍କ ଏହି ବୟାନ ଅପରାଜିତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଖାରବେଳ ସ୍ୱାଇଁ କହିଛନ୍ତି, ରାଜ୍ୟର ବିଜେପି ନେତାଙ୍କୁ କିଏ ଏକାଠି କରିବ ? ନିର୍ବାଚନ ଲଢିବା ବେଳକୁ ଜଣଙ୍କ ନେତୃତ୍ୱ ହେଲେ ପରାଜୟ ପରେ ରାଜ୍ୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା କେତେ ଯୁକ୍ତିଯୁକ୍ତ । ସେହିପରି ଭୁବନେଶ୍ୱର ଓଡିଶାର ମିନି ଓଡ଼ିଶା । ଯଦି ନୂଆ ମୁହଁ ଏତେ ଭୋଟ୍ ପାଇପାରୁଛନ୍ତି ତାହେଲେ ସାଂସଦ ଯଦି ସମସ୍ତଙ୍କୁ ପ୍ରଚାର ପାଇଁ ଡାକିଥାନ୍ତେ କଣ କେହି ଯାଇନଥାନ୍ତେ କି ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତକାଲି ଅପରାଜିତା କହିଥିଲେ ରାଜ୍ୟ ବିଜେପିର ନେତୃତ୍ୱ ଦୁର୍ବଳ ରହିଛି । ଆମ ସମସ୍ତଙ୍କୁ ଏକାଠି ହୋଇ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ହେବ। ଏବେ ସମୟ ଆସିଯାଇଛି। ଯଦି ଜଣେ ନୂଆ ମୁହଁ ମେୟର ଆସନ ପାଇଁ ଭଲ ଭୋଟ୍ ପାଇପାରୁଛନ୍ତି ତାହେଲେ ଦଳ ନିଶ୍ଚିତ ଭାବେ ଆଗକୁ ବଢିପାରିବ ବୋଲି ସେ କହିଥିଲେ । କିନ୍ତୁ ସାଂସଦ ପରାଜୟ ପାଇଁ ରାଜ୍ୟ ନେତୃତ୍ୱକୁ ଦାୟୀ କରିଥିଲେ ନିଜ ଉପରକୁ ପରାଜୟର ଉତ୍ତରଦାୟିତ୍ୱ ନେଇନଥିଲେ। କିନ୍ତୁ ମେୟର ପ୍ରାର୍ଥୀ ଘୋଷଣା କରିବା ବେଳେ ଅପରାଜିତାଙ୍କୁ ହିଁ ବଡ ଚେହେରା ଭାବେ ଦେଖିବାକୁ ମିଳିଥିଲା।
Comments are closed.