ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୨
ଭାଷୀଂକ ଶ୍ରମକାତରତା
ଯୋଗୁଁ ଏ ଭାଷାର ଅବସ୍ଥା
ହେଲାଣି ଅତି ଶୋଚନୀୟ
ମିଳୁନି ସୁରକ୍ଷା ଉପାୟ
ଉତ୍ସାହ ସଂଚାରକ ବାଣୀ
ଯେତେ କହଂତି ଜ୍ଞାନୀ ଗୁଣୀ
ଭାଷୀଏ ପାରଂତିନି ଶୁଣି
ଶୁଣିଲେ ନିଅଂତିନି ମାନି
କରି ଅତୀତ କୀର୍ତିଗାନ
ବର୍ତମାନ କର୍ତବ୍ୟମାନ
ଅନେକେ ଦେବାରୁ ପାସୋରି
ହୋଇଛି ଦୁର୍ଦଶା ଏପରି
କମୁଛି ଭାଷାର ଆଦର
ଭାଷୀଏ ନୁହଂତି ତତ୍ପର
କରିବେ ଭାଷା ଦେଖାରଖା
ହେବେ ସ୍ବେଚ୍ଛାରେ ଭାଷାସଖା
ଭବିଷ୍ୟମୁଖୀ କିଛି କାର୍ଯ
କରିବା ପାଇଁ ନାହିଁ ଧୈର୍ଯ
ତେଣୁ ଏଠାରେ ପ୍ରତି ବ୍ୟକ୍ତି
ଲୋଡ଼ଂତି ତାତ୍କାଳିକ ଖ୍ୟାତି
ଅଲୋଡ଼ା ହୋଇଲେ ବିକଳ୍ପ
ଲିପି ବି ପାଇଥାଏ ଲୋପ
ଲିଖନ ହୋଇଲେ ଅତ୍ୟଳ୍ପ
ଜଳେନି ଭାଷାର ପ୍ରଦୀପ
ଅନୁଭବ ଓ ପରାଭବ
ବିଭବ ବୈଭବ ସଂଭବ
ସ ସହ ଯୋଡ଼ିଦେଲେ ମ୍ଭବ
ଉକୁଟେନାହିଁ ଭିନ୍ନ ଭାବ
ସାଧାରଣ ଓ ନିର୍ଧାରଣ
ହେଲେ ହେଁ ନିୟମ ଅଧୀନ
ଲୋକେ ଲେଖଂତି ନିର୍ଦ୍ଧାରଣ
ଜଟିଳ ଯୁକ୍ତାକ୍ଷର ପୂର୍ଣ
ଯାହା ବି ଅଟେ କଷ୍ଟସାଧ୍ୟ
ତାହା ମାନିବା ପାଇଁ ବାଧ୍ୟ
ହୋଇଲେ ବ୍ୟବହାରକାରୀ
ଆପେ ଆଗ୍ରହ ଯାଏ ସରି
ଯେ ନୁହେ ଲେଖକ ଶିକ୍ଷକ
ସଂପାଦକ କି ଗବେଷକ
କେବଳ ସାଧାରଣ ଲୋକ
ଏବେ ହେଲାଣି ପ୍ରାୟ ମୂକ
ଲେଖିବା ପାଇଁ ଯାଇ ଡରି
ଲୋକେ ରହିଲେ ଭାବ ଧରି
ଲିପି ତ ପାରେନି ବିସ୍ତରି
ବିଶ୍ବାସ କରୁନୁ କିପରି
ଶିଖାଳି କଲେ କିଛି ତ୍ରୁଟି
ଶିକ୍ଷକ କରିଥାଂତି ପାଟି
ଅବଶ୍ଯ ମାରଂତିନି ଲାଠି
ଛାତ୍ରର ମନ ଯାଏ ଫାଟି
ପିଲାଟି ହୋଇ ପରେ ବଡ଼
ଭାବେ ‘ ସ୍ବଲିପି ଏବେ ଛାଡ଼ ‘
ପିଲାର ଏହି କ୍ଷୁବ୍ଧ ମନ
ବୁଝୁନାହାଂତି ଗୁରୁଜନ
ନିର୍ଦିଷ୍ଟ ଶୃଂଖଳା ଆଦରି
ଆମେ ପାରିବା କିଛି କରି
ଲଗାଉଁ ବେଳ ବଳ ମନ
ଲିଖନ କରୁଁ ପ୍ରତିଦିନ
Comments are closed.