Latest Odisha News

[ଭିଡିଓ] ଭାରତୀୟ ସେନାରେ ଭର୍ତ୍ତି ହେବାକୁ ନିଶା, ଦୌଡିଲେ ୩୫୦ କି.ମି !

ଦିଲ୍ଲୀରେ କୌଣସି ନିଯୁକ୍ତି ମେଳା ପାଇଁ ନୁହେଁ ବରଂ ସେନାରେ ନିଯୁକ୍ତି ବିଳମ୍ବକୁ ନେଇ ଏକ ଧାରଣାରେ ଯୋଗ ଦେବା ଲାଗି ସୁରେଶ ଭିଚାର ଦିଲ୍ଲୀରେ ପହଂଚିଛନ୍ତି

ଭୁବନେଶ୍ୱର: ଭାରତୀୟ ସେନାରେ ଭର୍ତ୍ତି ହେବା ତାଙ୍କ ନିଶା । ଦେଶ ପାଇଁ ଲଢିବା ତାଙ୍କ ଲକ୍ଷ୍ୟ । ଖାସ ସେଥିପାଇଁ ଜଣେ ଯୁବକ ନିଜ ଜୀବନକୁ ସେନା ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଏପରି ଅନେକ ଯୁବକଙ୍କୁ ଆପଣ ଭାରତରେ କୋଣଅନୁକୋଣରେ ପାଇବେ । ହେଲେ ସୁରେଶ ନାମକ ଜଣେ ଯୁବକଙ୍କ ଭାରତୀୟ ସେନା ପ୍ରତି ଥିବା ଝୁଙ୍କ୍ କିନ୍ତୁ ସମସ୍ତଙ୍କଠାରୁ ଅନନ୍ୟ ।

ସେନାରେ ଭର୍ତ୍ତି ହେବା ଲାଗି ରାଜସ୍ଥାନ ବାସିନ୍ଦା ସୁରେଶ ଭିଚାର ପ୍ରାୟ ୩୫୦ କି.ମି ଦୌଡି ଦିଲ୍ଲୀରେ ପହଂଚିଛନ୍ତି । ଶିକର ଅଂଚଳରୁ ବାହାରିଥିବା ସୁରେଶଙ୍କୁ ଏଥିପାଇଁ ୫୦ ଘଣ୍ଟା ସମୟ ଲାଗିଥିଲା । ତେବେ ଦିଲ୍ଲୀରେ କୌଣସି ନିଯୁକ୍ତି ମେଳା ପାଇଁ ନୁହେଁ ବରଂ ସେନାରେ ନିଯୁକ୍ତି ବିଳମ୍ବକୁ ନେଇ ଏକ ଧାରଣାରେ ଯୋଗ ଦେବା ଲାଗି ସେ ଦିଲ୍ଲୀରେ ପହଂଚିଛନ୍ତି ।

ସୋସିଆଲ ମିଡିଆରେ ସୁରେଶଙ୍କର ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ ସେ ହାତରେ ତ୍ରିରଙ୍ଗା ଧରି ଦୌଡିବାରେ ଦେଖାଯାଇପାରେ । ୨୪ ବର୍ଷୀୟ ସୁରେଶଙ୍କ ଅନୁଯାୟୀ, “ମୁଁ ରାଜସ୍ଥାନର ନାଗୌର ଜିଲ୍ଲା ବାସିନ୍ଦା । ଭାରତୀୟ ସେନାରେ ଭର୍ତ୍ତି ହେବାକୁ ମୁଁ ପିଲାଟିଦିନୁ ସ୍ୱପ୍ନ ଦେଖିଛି । ହେଲେ ୨ ବର୍ଷ ଧରି ସେନାରେ କୌଣସି ପ୍ରକାର ନିଯୁକ୍ତି ହୋଇନାହିଁ । ସମୟ ଅତିବାହିତ ହେବା ସହ ମୋ ବୟସ ବି ବଢିବାରେ ଲାଗିଛି । ଖାସ ସେଥିପାଇଁ ପ୍ରତିବାଦ ସଭାରେ ଯୋଗ ଦେବା ଲାଗି ମୁଁ ଦିଲ୍ଲୀରେ ପହଂଚିଛି ।”

ଭାରତୀୟ ସେନାରେ ଭର୍ତ୍ତି ହେବା ଲକ୍ଷ୍ୟରେ ସୁରେଶ ପ୍ରତିଦିନ ୫ରୁ ୭ ଘଣ୍ଟା ପରିଶ୍ରମ କରିଆସୁଛନ୍ତି । ଦିଲ୍ଲୀ ଆସିବା ଲାଗି ସେ ଭୋର ପ୍ରାୟ ୪ଟାରୁ ଦୌଡିବା ଆରମ୍ଭ କରି ଦିନ ପ୍ରାୟ ୧୧ଟାରେ ବିଶ୍ରାମ ନେଇଥାନ୍ତି । ଅନ୍ୟପଟେ ପାଠପଢା ଖର୍ଚ୍ଚ ତୁଲାଇବା ପାଇଁ ସୁରେଶଙ୍କ ପରିବାର ତାଙ୍କ ଗୃହପାଳିତ ପଶୁ ମଧ୍ୟ ବିକ୍ରୟ କରିଥିଲେ । ସୁରେଶଙ୍କ ଭିଡିଓ ତଥା ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଧାରାରେ ଅନେକ ଲୋକ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Leave A Reply

Your email address will not be published.