ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୨
ଆରାଧ୍ୟା ଥରଟିଏ ବି କହିଲା ନାହିଁ କି, “ଆଜି ତ’ ଜଲ୍ଦି ଫେରିଛ, ଚାଲ କୁଆଡେ ବୁଲିଯିବା । ଗୁପ୍ପୁଚ୍ ଖାଇକି ଆସିବା ଚାଲ , ନ’ହେଲେ ଆଇସ୍କ୍ରିମ୍ ।”
ଆରାଧ୍ୟାର ଦୀର୍ଘ ନୀରବତା ଓ ତା’ ପ୍ରତି ଧ୍ୟାନର ଅଭାବକୁ ଅନୁଭବ କଲା ବୈଭବ । ସେ ମଗ୍ନ , ତା’ ଚିତ୍ରରେ । ସେ ଚାହୁଁଥିଲା, ଅରୁ ଆଜି ତା’ ପାଖରେ ଅଳି କରୁ, ବୁଲିବ ବୋଲି ଜିଦ୍ କରୁ । ସେ ସବୁ ମାନିବ । ଖୁବ୍ ସୁନ୍ଦର ଦିଶୁଛି । ସତ କହିଲେ ତାକୁ ଆଜି ପାଖରେ ପାଇବାକୁ ପ୍ରବଳ ଇଛା ହେଉଛି ।
ଏ ସବୁ କଣ କରୁଛି ସେ! ଏ ଚିତ୍ର ଫିତ୍ର ତ’ ପରେ ବି ଆଙ୍କି ପାରିବ । ବୁଝୁନି କି, ତା’ ଆଡେ ଟିକେ ଚାହୁଁନି ।
କିଛି ସମୟ ବସିବା ପରେ ସେ ଚଟ୍କରି ବାହାରି ଆସିଲା ।
ଆରାଧ୍ୟାର ଭାବ, ତା’ ପ୍ରତି ବେଖାତିର୍ ପରି ମନେହେଲା । ପୌରୁଷତ୍ୱକୁ ଆଘାତ ଲାଗିଲା । ଅପମାନ ବୋଧ କଲା । ତା’କୁ ଭାରି ବ୍ୟସ୍ତ ଲାଗିଲ । ସେ ଚାଲିଗଲା ତା’ ହୋମ୍ ବାର୍କୁ । ଦୁଇ ତିନି ପେଗ୍ ପରେ ମୋବାଇଲ୍ରେ ହାତ ଚଲେଇ ହାଇଡ଼ ଫାଇଲ୍ରୁ ତା’ର ଓ ଆଲିଆର କିଛି ଅନ୍ତରଙ୍ଗ ଫୋଟକୁ ଖେଳେଇଲା ।
ଟପ୍ଲେସ୍ ଆଲିଆ ତା’ ଛାତି ଉପରେ ପେଟେଇପଡିଛି । କେବଳ ଅଣ୍ଟା ଠାରୁ ତଳକୁ ପିଙ୍କ୍ ବ୍ଲାଙ୍କେଟ୍ । ଏମିତି ପୋଜ୍ରେ କିଏ ସେଲ୍ଫି ନିଏ! ଆଲିଆ ଭାରି ଦୁଷ୍ଟ । ନେଲା ତ’ ନେଲା, ତା’ ବାରଣ ସତ୍ତ୍ୱେବି ଫର୍ୱାଡ୍ କରିଦେଲା । ସବୁ ଡିଲିଟ୍ କରିଥିଲା, ଏ ଫୋଟଟା ତା’କୁ ବି ପସନ୍ଦ ଲାଗିଲା ବୋଲି, ହାଇଡ କରି ରଖିଥିଲା । ଆଜି ତା’ର ମଜ୍ଜା ନେଇପାରୁଛି ।
ସେଦିନ ଖୁବ୍ ଏକ୍ସଟାଇଟେଡ ଆଉ ନିଶାରେ ଧୂତ ଥିଲା ଆଲିଆ । କିଛି ମାନିଲାନି । ମଦହୋସ୍ କଲାପରି ଠାଣୀ ।
ଓଫଃ..ଗୋରା ତକ୍ତକ୍ ତା’ ମଶୃଣ ପିଠି, ମୋବାଇଲ୍ ସ୍କ୍ରିନ୍ରେ ଦାଉଦାଉ ଜଳୁଛି । ତାକୁ ଦେଖି ସେ ବି ଜଳୁଛି । ଆଲିଆ ତା’ର ଖୁବ୍ ମନେ ପଡ଼ିଲା । ତା’କୁ ଏବେ ଆଲିଆ ନିହାତି ଦର୍କାର ।
ଆଲିଆ ପାଖରେ ନାହିଁ । ଆରାଧ୍ୟା ପାଖକୁ ସେ ଆଉ ତା’ ଆଡୁ ଯିବନାହିଁ । ସେ ଏକ ଅଜଣା ଦ୍ୱନ୍ଦରେ ବୁଡ଼ି ଯାଉଛି ।
ଚତୁର୍ଦିଗ ତା’କୁ ରହସ୍ୟମୟ ପ୍ରହେଳିକା ପରି ମନେ ହେଉଛି । ନା, ଆଲିଆ ହିଁ ତାକୁ ଶାନ୍ତ କରିପାରିବ । ଫୋନ୍ ଲଗେଇଲାରୁ ଆଜି ବି ସୁଇଚ୍ ଅଫ । ଓଃ.. ନୋ…ବ୍ଲଡି…ମାଇଁ ଫୁଟ୍ । ଏତେ ଦିନ ହେଲା ଆଲିଆ ଯାଇଛି ଯେ’ ଯାଇଛି । କାହା ପାଖରେ ସମୟ ନାହିଁ । ଯିଏ
ଯାହା କାମରେ ବ୍ୟସ୍ତ ।
Comments are closed.