Latest Odisha News

ଭାଷା ଭାଗବତ : ଭାଷା ସହ ହେଉଁ ଯୋଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୧

ଆଉ ବେଶି ଶିଖିନୁ କରି
ବଂଚିଅଛୁଁ ସ୍ବଭାଷା ଧରି
ଆମେ ଦିନେ ଗଲେ ବି ମରି
ଜିଇଁରହୁ ଭାଷା ଆମରି

ଧନ, ଦ୍ରବ୍ୟ ପଛରେ ପଡ଼ି
ନିଜ ଭାଷା ଦେଉଛୁଁ ଛାଡ଼ି
ଆପେ ଭାଷା ପାରେନି ବଢ଼ି
ଲୋଡ଼ାପଡ଼େ ଅକ୍ଷର ଧାଡ଼ି

ସାହିତ୍ୟ ଅକ୍ଷର ନିର୍ଭର
ଏ ସତ୍ୟ ହେଲାଣି ପାସୋର
ଧ୍ବନି ଓ ଦୃଶ୍ଯ ବ୍ୟବହାର
ଲିପିକୁ କରେନି ଅମର

ଲିପି-ବୈରାଗୀ ଜନଗଣ
ନ ଦେଲେ ଏବେ ଟିକେ ଧ୍ୟାନ
ନିଶ୍ଚିତ ଅକାଳ ମରଣ
ଆଶଂକା ନୁହେ ଅକାରଣ

କେବଳ କଲେ ଆଲୋଚନା
ପରିଣାମ ପଡ଼େନି ଜଣା
ଘଟେନି ଭାଷାର ବିକାଶ
ତେବେ ବି ସ୍ବଭାଷୀ ଉଦାସ

ଭାଷା ସହିତ ହେଉଁ ଯୋଡ଼ି
ଲାଗେନି ପଇସା କଉଡ଼ି
ଭାଷୀଂକ ସଂକଳ୍ପର ବଳେ
ବିଶ୍ବରେ ବହୁ ଭାଷା ଚଳେ

ଆମେ ହୋଇଛୁଁ ବ୍ୟତିକ୍ରମ
ମନରେ ପୋଷି ମହା ଭ୍ରମ
ଆମର ଏହି ମନୋବୃତ୍ତି
କରୁଛି ଅସରଂତି କ୍ଷତି

Comments are closed.