ଊୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ‘ଅସାନି’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁଛି। ଏବେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି । ବାତ୍ୟା ‘ଅସାନି’ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଯାହା ରାଜ୍ୟ ପାଇଁ ଆଶ୍ୱସ୍ତିକର।
କିନ୍ତୁ ଏବେ ସବୁଠି ଚର୍ଚ୍ଚା ଓଡ଼ିଶା ପ୍ରତି ବିପଦ ନଥିବା ଏହି ବାତ୍ୟା ଅସାନିର ଅର୍ଥ କ’ଣ । ଏବଂ ଏହି ନାମ କେମିତି ଆସିଲା । ଯେମିତି ପୂର୍ବରୁ ଅମ୍ଫନ, ଫନି ଓ ତିତଲି ଭଳି ବାତ୍ୟାକୁ ରାଜ୍ୟବାସୀ ସାମ୍ନା କରିଛନ୍ତି।
ଅସାନି ନାମର ଅର୍ଥ କ’ଣ ?
ତେବେ ‘ଅସାନି’ ହେଉଛି ଚଳିତ ବର୍ଷର ପ୍ରଥମ ବାତ୍ୟା ଏବଂ ଏହାର ନାମ ଶ୍ରୀଲଙ୍କା ସୁପାରିଶ କରିଛି ଯେଉଁଠାରେ ଏହାର ସରକାରୀ ଭାଷା ସିଂହଳାରେ ଏହାର ଅନୁବାଦ ହେଉଛି ‘କ୍ରୋଧ’ । ଏହି ବାତ୍ୟା ପରେ ଭାରତ ମହାସାଗର ଅବବାହିକାରେ ହେବାକୁ ଥିବା ପରବର୍ତ୍ତୀ ବାତ୍ୟାର ନାମ ‘ସିତ୍ରଙ୍ଗ’ ରଖାଯିବ । ଏହି ନାମ ଥାଇଲାଣ୍ଡ ପକ୍ଷରୁ ଦିଆଯାଇଛି।
କେମିତି ହୁଏ ନାମକରଣ ?
ବାତ୍ୟାର ନାମକରଣ ପଛରେ ବିଶ୍ୱ ପାଣିପାଗ ସଂଗଠନ ରହିଛି । ପୂର୍ବରୁ ବାତ୍ୟାର ନାମକରଣ ମନଇଚ୍ଛା ହେଉଥିଲା । ହେଲେ ୨୦୦୦ ମସିହା ପରେ ଏହି ଧାାରାରେ ପରିବର୍ତ୍ତନ ହୋଇଛି। ଉତ୍ତର ଭାରତ ମହାସାଗରରେ ହେଉଥିବା ବାତ୍ୟାକୁ ଚିହ୍ନଟ କରିବା ପାଇଁ ଏକ ସାଧାରଣ ବ୍ୟବସ୍ଥାର ବ୍ୟବହାର କରିବା ପାଇଁ ଏହି ସମସ୍ତ ଦେଶର ସହମତି କ୍ରମେ ନିଷ୍ପତ୍ତି ନିଆଯାଇଛି।
ସାରା ବିଶ୍ୱରେ ମୋଟ ଛଅଟି ଆଞ୍ଚଳିକ ସ୍ୱତନ୍ତ୍ର ପାଣିପାଗ କେନ୍ଦ୍ର (ଆରଏସଏମସି) ଏବଂ ପାଞ୍ଚଟି ଆଞ୍ଚଳିକ ଟ୍ରପିକାଲ ସାଇକ୍ଲୋନ ଓ୍ୱାର୍ଣ୍ଣିଂ ସେଣ୍ଟର (ଟିଡବ୍ଲୁସି) ରହିଛି। ଯେଉଁମାନେ ସାଇକ୍ଲୋଜେନେସିସ ଭଳି ପାଣିପାଗ ଏବଂ ଜଳବାୟୁ କାର୍ୟ୍ୟକଳାପ ଉପରେ ନଜର ରଖନ୍ତି ଏବଂ ବାତ୍ୟାର ନାମକର କରନ୍ତି। ବାତ୍ୟାର ନାମକରଣ ବେଳେ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିରୁ ନିରପେକ୍ଷତାକୁ ଗୁରୁତ୍ୱ ଦିଆଯାଏ। ଏଥିସହ ବାତ୍ୟାର ନାମ ୮ଟି ଶବ୍ଦରୁ କମ୍ ରହିଥାଏ ।
କେଉଁ କେଉଁ ଦେଶ ବାତ୍ୟାର ନାମକରଣ କରନ୍ତି ?
ଉତ୍ତର ଭାରତ ମହାସାଗର ଅବବାହିକାର ୧୩ଟି ଦେଶକୁ ଆଇଏମଡି ଆଞ୍ଚଳିକ ସ୍ୱତନ୍ତ୍ର ପାଣିପାଗ କେନ୍ଦ୍ରକୁ ଏଭଳି ପରାମର୍ଶ ପ୍ରଦାନ କରିଥାଏ। ବାଂଲାଦେଶ, ଭାରତ, ଇରାନ୍, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କାତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁନାଇଟେଡ୍ ଆରବ ଏମିରେଟ୍ସ ଓ ୟେମେନ୍ ହେଉଛି ଏହି ୧୩ ଦେଶ । ତେଣୁ ଏହି ସବୁ ଦେଶର ପ୍ରସ୍ତାବିତ ନାମକୁ ଆଧାର କରି ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ଦାୟିତ୍ୱ ଆରଏସଏମସି, ନୂଆଦିଲ୍ଲୀ ଉପରେ ରହିଛି।
Comments are closed.