ପାଣାଜୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ଗୋଆ ଗସ୍ତ ସମୟରେ ୮୫୦ ଟଙ୍କା ଦାମର ଏକ ମିନେରାଲ୍ ପାଣି ବୋତଲ ଦିଆଯାଇଥିଲା ଏବଂ ଏହାକୁ ଗୋଆର ରାଜଧାନୀ ପାଣାଜୀ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ମାପୁସା ସହରରୁ ଅଣାଯାଇଥିଲା । ଗୋଆର କୃଷି ମନ୍ତ୍ରୀ ରବି ନାଏକ ମଙ୍ଗଳବାର ଏପରି କହିଛନ୍ତି।
ଗୋଆରେ ବର୍ଷାଜଳ ସଂରକ୍ଷଣ ପାଇଁ ଦୃଢ଼ ପଦକ୍ଷେପ ନେବା ସହ ଭବିଷ୍ୟତରେ ପାଣି କିପରି ଏକ ଦୁର୍ଲଭ ଓ ମୂଲ୍ୟବାନ ସମ୍ପଦରେ ପରିଣତ ହେବ ସେ ବିଷୟରେ ଉଦବୋଧନ ଦେଇ କୃଷିମନ୍ତ୍ରୀ ଏପରି କହିଥିଲେ।
ଫେବୃଆରୀରେ ଗୋଆ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଅମିତ ଶାହ ଆସିଥିଲେ। ସେ ହିମାଲୟ ବ୍ରାଣ୍ଡର ପାଣି ବୋତଲ ମାଗିଥିଲେ। ଏହା ପରେ ଏହାକୁ ମାପୁସାରୁ ଅଣାଯାଇଥିଲା ବୋଲି ଦକ୍ଷିଣ ଗୋଆରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ କୃଷି ମନ୍ତ୍ରୀ କହିଛନ୍ତି। ଶାହାଙ୍କ ପାଇଁ କିଣାଯାଇଥିବା ମିନେରାଲ ପାଣି ବୋତଲର ମୂଲ୍ୟ ବୋତଲ ପିଛା ୮୫୦ ଟଙ୍କା ବୋଲି ସେ କହିଥିଲେ।
ତେବେ ତାରକା ହୋଟେଲରେ ମିଳୁଥିବା ଏହି ପାଣି ବୋତଲର ଦର ୧୫୦ରୁ ୧୬୦ ଟଙ୍କା ରହିଥିବା ବେଳେ ଏବେ କିନ୍ତୁ ଏହି ପାଣି ବୋତଲର ଦାମ ଅଧିକ ହୋଇ ଚାଲିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ। ଏପରି କହିବାର ଅର୍ଥ ଭଲ ଗୁଣବତ୍ତା ଥିବା ପାଣିର ଦାମ୍ ବଢି ଚାଲିଛି। ତେଣୁ ପାଣି ସଂଗ୍ରହ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଅମିତ ଶାହଙ୍କ ପାଇଁ ଯେଉଁ ପାଣି ବୋତଲ ଆସିଛି ତାର ଗୁଣବତ୍ତା ବହୁତ ଭଲ । ଏହି ଅବସରରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେର କୃଷି ମନ୍ତ୍ରୀ କହିଥିଲେ, ନଦୀଗୁଡ଼ିକରେ ଡ୍ୟାମ୍ ନିର୍ମାଣ କରି ଜଳ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଯେଉଁ ଦେଶରେ ପାଣିର ଅଭାବ ସେହି ଦେଶକୁ ପାଣି ବିକ୍ରି କରାଯାଇପାରିବ ବୋଲି ସେ କହିଥିଲେ
ସେ କହିଛନ୍ତି, ସରକାର ସାରା ରାଜ୍ୟରେ ଡ୍ୟାମ୍ ନିର୍ମାଣ କରିପାରନ୍ତି। ଯେଉଁଠି ପାହାଡ଼ ଅଛି, ସେଠାରେ ପାଣି ଗଚ୍ଛିତ କରି ରଖିପାରନ୍ତି ଏବଂ ପାଣିର ଅଭାବ ଯୋଗୁଁ ଭବିଷ୍ୟତରେ ଲୋକେ ପାଣି ପାଇଁ ଲଢ଼େଇ କରିବେ ବୋଲି ଚେତାବନୀ ଦେଇଛନ୍ତି।