Latest Odisha News

BREAKING NEWS

ଭେଦକୁ ଭେଦିଲେ ଅକଲ ଗୁଡୁମ !

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଏବେ ଜୋର୍ ଧରିଛି ରାଜନୀତିକ ବୟାନବାଜି। ଉଠୁଛି, ପଡୁଛି ବିଜେପି-ବିଜେଡି ଲଢ଼େଇ । ରଥଯାତ୍ରା ପୂର୍ବରୁ ଆରମ୍ଭ ହୋଇଥିବା ଏହି ବୟାନବାଜି କିନ୍ତୁ ପୁରୀ ରାଜନୀତିକୁ ଗୋଳିଆ କରି ଦେଇଛି । ଗୋଳିଆ ହେବାର ପ୍ରମୁଖ କାରଣ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବୋଲି କୁହାଯାଉଛି। କାରଣ ଐତିହ୍ୟ ପ୍ରକଳ୍ପକୁ ନେଇ ତାଙ୍କର ଆଭିମୁଖ୍ୟ ବିଜେଡି ସହିତ ସମାନ ଲାଗୁଛି।

ବୁଧବାର ପୁରୀ ଆସି ସମ୍ବିତ ପାତ୍ର ଐତିହ୍ୟ ପ୍ରକଳ୍ପ ସ୍ଥାନକୁ ଯାଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ପୁରୀରେ ପ୍ରବେଶ କରିବା ବେଳେ ଯେପରି ଜଗନ୍ନାଥଙ୍କ ମୂର୍ତ୍ତିକୁ ହାତରେ ଧରି ଯାଇଥିଲେ, ସେହିପରି ବୁଧବାର ମଧ୍ୟ ସେ ପୁରୀରେ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପୁରୀରେ ପ୍ରବେଶ କରିଥିଲେ। ସାଙ୍ଗରେ ଥିଲେ ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିିରି ବିଧାୟକ ଲଳିତେନ୍ଦୁ ମହାପାତ୍ର ଓ ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ତିନି ନେତା ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ଏବଂ ମଧ୍ୟାହ୍ନ ଭୋଜନ ବେଳେ ଏକାଠି ଉଠ ବସ ହେଉଥିବା ଦେଖିବାକୁ ମିଳିଥିଲା।

କିନ୍ତୁ ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ମତ ରଖିଲା ବେଳେ ସମ୍ବିତ ଏବଂ ଜୟନ୍ତଙ୍କ ମତ ଭିନ୍ନ ରହିବା ଦଳୀୟ କର୍ମୀ ଓ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

ସମ୍ବିତ ପାତ୍ର କହିଛନ୍ତି “ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଓଡିଶା ସରକାରଙ୍କୁ ଏବଂ ସାଂସଦ ପିନାକି ମିଶ୍ରଙ୍କୁ ଭଲ ଜ୍ଞାନ ଦିଅନ୍ତୁ। ଏ ସରକାର ଆମର ଐତିହ୍ୟକୁ ନଷ୍ଟ କରି ଦେଇଛି। ଏଏସଆଇର ରିପୋର୍ଟ ଆଶ୍ଚର୍ଯ୍ୟଜନକ କରିଛି। ସେ ଆଉ ଚୁପ୍ ରହିବେ ନାହିଁ। ଯେତେବେଳେ ଏଏସଆଇ ତାର ରିପୋର୍ଟରେ କହିସାରିଛି ବିନା ଅନୁମତିରେ କାମ ଚାଲିଛି ବୋଲି, ସେତେବେଳେ ଏ ସରକାର ଜିଦଖୋର ହୋଇ କାହିଁକି ପ୍ରକଳ୍ପ କାମ କରୁଛି। ସରକାର ଏବଂ ଶାସକ ଦଳକୁ ସଦବୁଦ୍ଧି ଦିଅନ୍ତୁ ।”

ହେଲେ ଜୟନ୍ତ କହିଛନ୍ତି, “ଐତିହ୍ୟ କାମ ଅଧୁରା ରହିବା ଠିକ୍ ନୁହେଁ । କାମ ହେଉ । ନ ହେଲେ ମନ୍ଦିର ଆହୁରି ଅସୁରକ୍ଷିତ ହୋଇପାରେ ।”

ସେହିପରି ହାଇକୋର୍ଟରେ ରିପୋର୍ଟ ଦାଖଲ ପରେ ବିଜେଡି କହିଛି, କୋର୍ଟ ଉଭୟ ରାଜ୍ୟ ଏବଂ ଏଏସଆଇକୁ ସମନ୍ୱୟ ରକ୍ଷା କରି କାମ କରିବାକୁ କହିଛନ୍ତି । ହାଇକୋର୍ଟ କାମ ବନ୍ଦ କରିବାକୁ କହିନଥିବାରୁ ପ୍ରକଳ୍ପ କାମ ବନ୍ଦ ହେବ ନାହିଁ । ଅନ୍ୟପଟେ ଅପରାଜିତା ଏବଂ ସମ୍ବିତ ପାତ୍ର ରାଜ୍ୟ ସରକାର ପ୍ରକଳ୍ପ କାମ ବନ୍ଦ ହେବା ଦରକାର ବୋଲି କହିଛନ୍ତି।

ଏସବୁ ମତମନ୍ତବ୍ୟରୁ କାହା କଥାରେ କି ପ୍ରକାର ଭେଦ ରହିଛି କିଛି ମଧ୍ୟ ସ୍ପଷ୍ଟ ହେଇପାରୁନାହିଁ।

Leave A Reply

Your email address will not be published.