ସୁସ୍ମିତା ମହାପାତ୍ର
ସବୁଦିନ ପରି ସୁକୁଟା ତ ଝାମ୍ପି ନେଲାନି ଶୁଖିଲା ପାଉଁରୁଟି ଆଉ ବିସ୍କୁଟ, ମୂରଲୀ ବାବୁଙ୍କ ହାତରୁ ! ଖେଳିଗଲାନି ତା’ ସେଥୁଆ ମୁହଁରେ ଧାରେ ତୃପ୍ତିର ହସ ! ଜୀଇଁ ଉଠିଆସିଲାନି ସେ ତା’ ଅବଶ ଦେହ ଦେହଳୀରୁ ପୁଣିଥରେ ! ବିଚଳିତ ଲାଗୁଥିଲେ ମୂରଲୀବାବୁ ବି । ସୁକୁଟାକୁ ଆଖପାଖରେ କେଉଁଠି ନପାଇ, ବିରସ ବଦନରେ ଫେରିଥିଲେ ଘରକୁ ।
ସେଦିନ ଥିଲା ମାସଶେଷ ଗୁରୁବାରର ଆସନ୍ନ ସଞ୍ଜ। ସବୁଥର ପରି, କାଁ ଭାଁ ଗୋଟେ ଯୋଡ଼େ ଔଷଧ ଆଉ କ୍ଷୀର ଦୋକାନ ଛାଡ଼ିଦେଲେ ହାଟ ବଜାର ସମ୍ପୂର୍ଣ୍ଣ ବନ୍ଦ । ପେଟ ଯାଇ ପିଠିରେ ଲାଗିଯାଇଥିବା ଦି’ଗଣ୍ଡା ହେବ କୁକୁର, ମଦନା ହୋଟେଲ ସାମ୍ନାରେ ଥିବା ଦୁଇଟି ମଲାଚୁଲୀ ମଝିରେ ଜାକିଜୁକି ହେଇ ପଡ଼ିଥାନ୍ତି । ମୁହଁ ଖୋଲି ସାଥୀମାନଙ୍କ ସହିତ କୌଣସି ଆଳାପ କରିବା ପାଇଁ ବି ସତେ ଯେମିତି ତାଙ୍କ ଦେହରେ ଯୁ’ ନଥାଏ। ଛଅ ଜଣିଆ ପରିବାରରୁ ପାଞ୍ଚ ପାଞ୍ଚଜଣ ମହାମାରୀରେ ଚାଲିଯିବା ପରେ ଏକୁଟିଆ ବଞ୍ଚି ଯାଇଥିବା ସାତ ବର୍ଷର ସୁକୁଟାବି ଶୋଇଥାଏ, ହୋଟେଲ ସଟରକୁ ଭିଡ଼ି ପଡ଼ିଥିବା ଏକ ଦଦରା ବେଞ୍ଚ ତଳେ । ତାକୁ ଦେଖି ବାଟଗଲା ଲୋକେ କଥା ହୁଅନ୍ତି, ଏକ ଅଭିଶପ୍ତ ମଧ୍ୟବିତ୍ତ ପରିବାରରେ ଜନ୍ମିତ ସୁକୁଟା କାଳେ ଜନ୍ମରୁ ଗୋଟେ ଭିକାରୀକୁ ବିକ୍ରି ହେଇଯାଇଥିବାରୁ ବଞ୍ଚିଯାଇଛି ଏଡ଼େବଡ଼ ବିପତ୍ତିରୁ । ଭିକାରୀ ବି ସ୍ବର୍ଗବାସ ବରି ସାରିଲାଣି ବର୍ଷେ ହେଲା । ମଦନାର ଦୟାରୁ ସେହି ହୋଟେଲ ହିଁ ଏବେ ତା’ର ବାସ। ହୋଟେଲର ଭିତର ବାହାର ଝାଡ଼ୁକରେ, ଅଇଁଠା ପ୍ଲେଟ ଧୁଏ ଆଉ ପତର ଛଡ଼ା ଖାଇ ଜୀଏଁ । ପାରିଶ୍ରମିକ କହିଲେ, ସେଇ ଅଇଁଠା ଅନ୍ନ ମୁଠାକ। ହେଲେ ପ୍ରତିମାସର ସେଇ ଶେଷ ଗୁରୁବାର ହିଁ ତା’ପାଇଁ କାଳ ହୁଏ । ଶୁକ୍ରବାର ସକାଳେ ଉଠିବାକୁ ତା’ ଦେହରେ ଆଉ ବଳ ନଥାଏ । ସେଇଥିରେ ମଦନାର ଗାଳିକୁ ମହାପ୍ରସାଦ ସମ ମଥାରେ ବୋଳି ଲାଗିପଡ଼େ ତା’ ନିତିଦିନିଆ କାମରେ। ସମାଜସେବୀ ମୂରଲୀ ବାବୁ ଭୋକିଲା କୁକୁରମାନଙ୍କ ମୁହଁକୁ ଶୁଖିଲା ପାଉଁରୁଟି କି ଟାଇଗର ବିସ୍କୁଟ ଖଣ୍ଡେ ଖଣ୍ଡେ ଛାଟିଲାବେଳେ, ମାଲିକ ମଦନାର ଆଖି ଆଢୁଆଳରେ ସୁକୁଟା, ତାଙ୍କ ହାତରୁ ଦି’ଟା ଝାମ୍ପିଆଣି ନିଜ ମୁହଁରେ ଗେଞ୍ଜିଦିଏ ।କେବେକେବେ ମଦନା ଆଖିରେ ଧରାପଡ଼ିଗଲେ ବହେ ଛେଚାଖାଏ। ହେଲେ ସେ ବି ଆଉ କରନ୍ତା କଣ ! ମାସର ଏଇ ଗୋଟିଏ ଦିନ, ମଦନା ହୋଟେଲ ସମେତ ସାରା ବଜାର ତ ବନ୍ଦ ରହେ l ବିଚରା ଭୋକ ବିକଳରେ ଆରଦିନ ସକାଳ ଯାଏଁ ଟାକିଥାଏ ମୂରଲୀ ବାବୁଙ୍କ ହାତକୁ । ଦି’ ଚାରିଖଣ୍ଡ ଶୁଖିଲା ପାଉଁରୁଟି ଓ ବିସ୍କୁଟ ମୁହଁରେ ଠୁସିଦେଇ ପାଣିମୁନ୍ଦେ ପିଇଲାପରେ ଯାଇ ହୋସ ଧରେ।
ହେଲେ ସେଦିନ ସୁକୁଟା ସେଇ ବେଞ୍ଚତଳେ ଶୋଇଥିଲା ଯେ ଆଉ ଉଠିବାର କି କଡ଼ ଲେଉଟାଇବାର ନାଁ ନେଉନଥିଲା। କ୍ଷୀରଵାଲା, ଦୋକାନ ବନ୍ଦକରି ରାତିରେ ଘରକୁ ଫେରିଲାବେଳେ ସୁକୁଟାକୁ ଦୁଇଚାରି ଡାକ ପକାଇଥିଲେ ବି ତା’ ନିଘୋଡ଼ ନିଦ ଭାଙ୍ଗିନଥିଲା l ଛୁଆଟା ଭୋକରେ ଶୋଇପଡ଼ିଛି ଭାବି, ବିକ୍ରି ନହୋଇ ବଞ୍ଚି ଯାଇଥିବା କ୍ଷୀର ପ୍ୟାକେଟଟା ଧରି ବଡ଼ ସରାଗରେ ସେ ଯାଇ ହଲାଇଥିଲା ସୁକୁଟାକୁ । କିନ୍ତୁ ତା’ ଦେହର ତାତି ଦେଖି ଚମକି ପଡିଥିଲା। ତାକୁ ଉଠାଇ ବସାଇବାକୁ ଚେଷ୍ଟାକଲା କିନ୍ତୁ ଦାନା ବିନା ତା’ ଦେହରେ ବା ଶକ୍ତି ଥିଲା କେଉଁଠି, ଉଠି ବସିବା ଏବଂ କ୍ଷୀର ପିଇବାପାଇଁ ! କ୍ଷୀରବାଲା ଟୋକା ଦୌଡ଼ିଯାଇ ଛକରେ ଛିଡ଼ା ହେଇଥିବା ଏକ ଭଙ୍ଗା ପରିବା ଠେଲା ଭିଡ଼ିଆଣି, ସୁକୁଟାକୁ ସେଥିରେ ଶୁଆଇଦେଇ ସେଇ ଅନ୍ଧାର ରାତିରେ ଟାଣିଟାଣି ପାଞ୍ଚ କିଲୋମିଟର ଦୂରରେ ଥିବା ଏକ ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲା । କିନ୍ତୁ ଠେଲାରୁ ସୁକୁଟାକୁ ଉଠାଇଲା ବେଳକୁ ତା’ ଦେହ ପୂରା ହେମାଳ ହେଇସାରିଥିଲା । କ୍ଷୀରବାଲା ଟୋକା ଏକ ଦୀର୍ଘଶ୍ଵାସ ଛାଡ଼ୁଛାଡ଼ୁ ଭାବୁଥିଲା, ମାସନ୍ତର ଗୋଟିଏ ଗୁରୁବାର ଯଦି ଆମ ଅନାମଧେୟ ଛୋଟିଆ ସହରରେ ଜୀବନ ବଞ୍ଚୁଥିବା ସୁକୁଟା ପରି ଅନାଥ ଅଭାଗା ମାନଙ୍କ ଦେହର ତାପମାତ୍ରା ସହିତ ଏତେ ଖେଳିପାରେ ତେବେ ସାରା ଦେଶରେ ଗୋଟିଏ ଦିନ ଷ୍ଟ୍ରାଇକ ବା ତାଲାବନ୍ଦ ହେଲେ କେତେକେତେ ସୁକୁଟାଙ୍କର ଏଭଳି ଅବସ୍ଥା ହେଉନଥିବ ସତେ !!
ରାଉରକେଲା, ମୋ – ୭୯୭୮୪୪୯୨୨୮
Comments are closed.