ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…
ଗତ ଦେଢ଼ ମାସ ହେବ ଆମ ଦେଶରେ ଆଇ.ପି.ଏଲ. ଖେଳ ଚାଲିଛି ଓ ତାହା ଟିଭିରେ ସିଧା ପ୍ରସାରଣ ହେଉଛି । ସନ୍ଧ୍ୟାଠାରୁ ରାତି ସାଢ଼େ ଏଗାରଟା ଯାଏ ଟିଭିରେ ପ୍ରସାରିତ ହେଉଥିବା ଏହି ଖେଳକୁ ଯେଉଁମାନେ ଦେଖୁଥିବେ, ସେମାନେ ନିଶ୍ଚିତ ଭାବେ ଦେଖୁଥିବେ ଯେ, ଖେଳ ମଝିରେ ଦେଉଥିବା ବିଜ୍ଞାପନର ସିଂହ ଭାଗ ଅକ୍ତିଆର କରିଛି ଅନ୍ଲାଇନ୍ ଖେଳର ଆପ୍ । ଡ଼୍ରିମ୍ ଇଲେଭେନ୍, ଏଟୁଥ୍ରି, କ୍ରେଡ଼୍ ବାଉଂଟି, ମାଇଁ ଇଲେଭେନ୍ ସର୍କଲ, ଉଇଞ୍ଜୋ, ଏମ୍.ପି.ଏଲ., ବଲ୍ଲେବାଜି, ମାଇଁ ଟିମ୍ ଇଲେଭେନ୍, ରମି ସର୍କଲ, କ୍ରିକ୍ ପ୍ଲେ ଆଦି ଆପ୍ର ବିଜ୍ଞାପନ ପ୍ରମୁଖ ଭାବେ ଆଇ.ପି.ଏଲ୍. ଖେଳର ପ୍ରସାରଣ ସମୟରେ ଦେଖାଉଛି । ଏହି ସବୁ ବିଜ୍ଞାପନ ଯେ କେବଳ ଆଇ.ପି.ଏଲ୍. ଖେଳର ପ୍ରସାରଣରେ ଦେଖାଉଛି ତାହା ନୁହେଁ ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ସମୟରେ ମଧ୍ୟ ଟିଭିରେ ପ୍ରସାରଣ ହେଉଛି । ଖେଳର ପ୍ରସାରଣ ସମୟରେ ବା ଅନ୍ୟ କାର୍ଯ୍ୟକ୍ରମରେ ବିଜ୍ଞାପନ ଦେବାରେ ଅସୁବିଧା ନାହିଁ । କିନ୍ତୁ ଚିନ୍ତାର ବିଷୟ ହେଉଛି, ଆର୍ଥିକ ସମ୍ପୃକ୍ତି ଥିବା ଏହିପରି ଅନ୍ଲାଇନ୍ ଖେଳର ବିଜ୍ଞାପନ ଟିଭିରେ ପ୍ରସାରଣ ହେବା ଓ ତାହାକୁ ଉତ୍ସାହିତ କରାଯିବା ।
ଏହି ସବୁ ବିଜ୍ଞାପନ ପ୍ରଚାରର ଶେଷରେ କୁହାଯାଉଛି, ଏହି ଅନ୍ଲାଇନ୍ ଖେଳରେ ଆର୍ଥିକ କ୍ଷତି ସହିବାର ସମ୍ଭାବନା ଅଛି । ନିଜ ରିସ୍କରେ ନିଜେ ଖେଳନ୍ତୁ ।
ଏଥିରୁ ସିଧା ବୁଝିହେଉଛି ଯେ, ଏହି ସବୁ ଖେଳରେ ଆର୍ଥିକ କାରବାର ନିହିତ ରହିଛି । ଯଦି ଜିତିବ ଟଙ୍କା ପାଇବ ଓ ହାରିଲେ ଟଙ୍କା ହରେଇବ । ସିଧା ଅର୍ଥରେ କହିଲେ ଏହା ଏକ ପ୍ରକାର ଜୁଆ, ଯାହା ଅନ୍ଲାଇନ୍ ବା ଡିଜିଟାଲ୍ ପ୍ଲାଟ୍ଫର୍ମରେ ଖେଳାଯାଉଛି । କୋମଳମତି କିଶୋର ଓ ଯୁବକମାନେ ସହଜ ଟଙ୍କା ପାଇବା ଆଶାରେ ଏହି ସବୁ ଖେଳର ମାୟାରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ହରାଉଥିବା ଖବର ଶୁଣିବାକୁ ମିଳୁଛି । ନିକଟ ଅତୀତରେ ଆମ ଗାଁ’ର ଜଣେ ପିଲା ଏପରି ଅନ୍ଲାଇନ୍ ଖେଳ ଖେଳି ପଚାଶ ହଜାରରୁ ଅଧିକ ଟଙ୍କା ହରେଇଥିବାର ଜାଣିବାକୁ ମିଳିଲା । ସେ ଟଙ୍କା ସେ ତା ବାପା ଆକାଉଂଟରୁ ଚୋରି କରି ଓ ସାଙ୍ଗ ସାଥୀଙ୍କଠାରୁ ଧାର୍ କରି ନେଇଥିଲା ।
ସେହିପରି ଆଉ ଜଣେ କଲେଜ୍ ପଢ଼ୁଆ ଯୁବକ ମାତ୍ର ପନ୍ଦର ଦିନ ଅନ୍ଲାଇନ୍ ଖେଳ ଖେଳି ଗୋଟେ ମୋଟର ସାଇକେଲ୍ କିଣିଥିଲା । କିନ୍ତୁ ପୁଣି ଖେଳରେ ହାରିବାରୁ ସେ ମୋଟର ସାଇକେଲ୍ ବିକିବାକୁ ବାଧ୍ୟ ହୋଇଥିଲା ଓ ଅଧିକ ତିରିଶ୍ ହଜାର ଟଙ୍କା ମଧ ହାରିଥିଲା । ଏମିତି ଉଦାହରଣର ସଂଖ୍ୟା ଏବେ ବହୁତ । ବର୍ତ୍ତମାନ ବେକାରୀ ସମସ୍ୟା ଯେପରି ବଢ଼ି ବଢ଼ି ଚାଲିଛି ଓ ସମସ୍ତଙ୍କ ହାତରେ ଯେପରି ସ୍ମାର୍ଟଫୋନ୍ ଶୋଭା ପାଉଛି, ତେଣୁ ଯୁବକମାନେ ସହଜରେ ଅନ୍ଲାଇନ୍ ଖେଳ ତଥା ଅନ୍ଲାଇନ୍ ଜୁଆ ଆଡ଼କୁ ଟାଣି ହୋଇଯାଉଛନ୍ତି । ତା’ଛଡ଼ା ସହଜରେ ଟଙ୍କା ପାଇବାର ଲୋଭ ବି ଯୁବକମାନଙ୍କୁ ଆକର୍ଷିତ କରୁଛି । କିନ୍ତୁ ଅସଲରେ ପରିଣାମ ହେଉଛି, ଯେଉଁମାନେ ଏହିପରି ଡିଜିଟାଲ୍ ଗେମ୍ର ମାୟାରେ ପଡ଼ୁଛନ୍ତି ସେମାନେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ଏହି ଡିଜିଟାଲ୍ ଜୁଆ ଭବିଷ୍ୟତର ଯୁବ ସମାଜକୁ ଘୋର ଅନ୍ଧାର ମଧ୍ୟକୁ ଟାଣିନେବ । ଏଠାରେ ପ୍ରଶ୍ନ ଉଠୁଛି, ଯଦି ଜୁଆ ଖେଳିବା ଅପରାଧ ଓ ସେଥିପାଇଁ ପୋଲିସ୍ ଗିରଫ କରୁଛି, ତାହେଲେ ଏପରି ଅନ୍ଲାଇନ୍ ଜୁଆକୁ ଏପରି ଭାବେ ଖୋଲା ମେଲାରେ ଟିଭିରେ ପ୍ରଚାର ପ୍ରସାର କରାଯାଉଛି କାହିଁକି? ଏହାକୁ ନେଇ ସରକାରଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବିମାନେ ନୀରବତା ଅବଲମ୍ବନ କରୁଛନ୍ତି କିପରି?
ଜ୍ଞାନ କୌଶଳର ବିକାଶ ଓ ସ୍ମାର୍ଟଫୋନ୍ର ବହୁଳତା ଯୋଗୁ ଅନ୍ଲାଇନ୍ରେ ବହୁତ ଖେଳ ଉପଲବ୍ଧ ହୋଇଛି । ତାହାରି ସୁଯୋଗ ନେଇ ଅନେକ କମ୍ପାନୀ ଅନ୍ଲାଇନ୍ ଜୁଆ ମାଧ୍ୟମରେ ନିଜ ବେପାର ବଢ଼େଇବାରେ ଲାଗିଛନ୍ତି । ଆମ ଦେଶରେ ଆର୍ଥିକ ସମ୍ପୃକ୍ତିଥିବା ଏହି ଅନ୍ଲାଇନ୍ ଖେଳର ବଜାରର ଆକାର ୨୦୨୧ ରେ ୭୯୦୦ କୋଟି ଟଙ୍କା ଥିବା ବେଳେ ୨୦୨୦ରେ ଏହାର ଆକାର ୬୫୦୦ କୋଟି ଟଙ୍କା ଥିଲା । ୨୦୨୪ ଏହା ୧୫୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏକ ରିପୋର୍ଟ ଅନୁସାରେ ୨୦୧୮ରେ ଆମ ଦେଶରେ ୨୫ କୋଟି ବ୍ୟବହାରକାରୀ ଏପରି ଅନ୍ଲାଇନ୍ ଗେମ୍ ଖେଳୁଥିବା ବେଳେ ୨୦୨୧ରେ ଏହା ୪୦ କୋଟିକୁ ବୃଦ୍ଧି ପାଇଛି । ବଡ଼ ଦୁର୍ଭାଗ୍ୟର ବିଷୟ ଯେ, ଏପରି ଭାବେ ଅନ୍ଲାଇନ୍ ଜୁଆ ବଢ଼ିଚାଲୁଥିବା ବେଳେ ସରକାରଙ୍କ ତରଫରୁ କୌଣସି ବି ପ୍ରତିକାର ବ୍ୟବସ୍ଥା କରାନଯାଇ ଓଲଟି ଟିଭିରେ ଏହାର ବିଜ୍ଞାପନ ଦିଆଯାଉଛି । କୋମଳମତି କିଶୋର ଓ ଯୁବକମାନେ ନିଜ ପ୍ରିୟ କ୍ରିକେଟ୍ ତାରକା ଓ ସେଲିବ୍ରିଟିଙ୍କ ମୁହଁରୁ ଏପରି ଜୁଆର ପ୍ରଚାର ଶୁଣି ସେ ଦିଗରେ ମନ ବଳେଇ ନିଜ ବର୍ତ୍ତମାନ ଓ ଭବିଷ୍ୟତକୁ ଘୋର ସଙ୍କଟ ମଧ୍ୟକୁ ଠେଲି ଦେଉଛନ୍ତି ।
ଆମ ଦେଶରେ ଜୁଆ ଖେଳ ରାଜ୍ୟର କ୍ଷମତା ଅଧୀନରେ ଆସୁଛି । ଆର୍ଥିକ ସମ୍ପୃକ୍ତି ଥିବା ଅନ୍ଲାଇନ୍ ଖେଳ ତଥା ଅନ୍ଲାଇନ୍ ଜୁଆକୁ ନେଇ ଆମ ଦେଶରେ କୌଣସି ପ୍ରକାର ସ୍ପଷ୍ଟ ଆଇନ୍ ନାହିଁ । ଅନ୍ଲାଇନ୍ ଖେଳରୁ ହେଉଥିବା ରୋଜଗାର ଉପରେ ସରକାରଙ୍କର ୩୦% ଜି.ଏସ୍.ଟି.ର ବ୍ୟବସ୍ଥା ମଧ୍ୟ ଅଛି । କିଛି ରାଜ୍ୟ ଏପରି ଖେଳକୁ ନେଇ ଆଇନ୍ ତିଆରି କରିଛନ୍ତି । ଆସାମ, ଓଡ଼ିଶା ଓ ତେଲେଙ୍ଗାନାରେ ଅନ୍ଲାଇନ୍ ଜୁଆକୁ ନିଷେଧ କରାଯାଇଛି । ଆର୍ଥିକ ସମ୍ପୃକ୍ତି ଥିବା ଦକ୍ଷତା ଭିତ୍ତିକ ଖେଳଗୁଡ଼ିକୁ ଜୁଆ ଭାବେ ପରିଗଣିତ କରାଯାଏ ନାହିଁ । କିନ୍ତୁ ଦିଲ୍ଲୀର ଏକ ଜିଲ୍ଲା କୋର୍ଟଙ୍କ ମତରେ ଆର୍ଥିକ ସମ୍ପୃକ୍ତି ଥିବା ଦକ୍ଷତା ଭିତ୍ତିକ ଅନ୍ଲାଇନ୍ ଖେଳ ଜୁଆ ଭାବେ ପରିଗଣିତ ହେବ । ଏହା ବେଆଇନ୍ । କାରଣ ଏପରି ଅନ୍ଲାଇନ୍ ଖେଳରେ ଖଳ କାରସାଦି ଓ ଠକେଇ ଆଦିର ସମ୍ଭାବନା ରହିଛି । ଯଦିଓ ଆମ ଦେଶରେ ଅନ୍ଲାଇନ୍ ଜୁଆକୁ ନେଇ କୌଣସି ଆଇନ୍ ନାହିଁ, କିନ୍ତୁ କମ୍ପାନୀମାନଙ୍କୁ କେତେକ ବୈଷୟିକ ବୈଧତାକୁ ପାଳନ କରିବାକୁ ପଡ଼େ, ଯାହା ଏପରି ଆପ୍ ତିଆରି କରୁଥିବା ଓ ଚଳାଉଥିବା କମ୍ପାନୀମାନେ କରୁନାହାନ୍ତି ।
ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜିନିବେଶ ଘୋଷଣା-୨୦୧୫ ଅନୁସାରେ ଆମ ଦେଶରେ ଲଟେରୀ ବ୍ୟବସାୟ କ୍ଷେତ୍ରରେ ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜିନିବେଶକୁ ନିଷେଧ
କରାଯାଇଛି । ନିକଟ ଅତୀତରେ ଆନ୍ଧ୍ରପ୍ରଦେଶ ସରକାର ପ୍ଲେ ୱିନ୍ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅନ୍ଲାଇନ୍ ଜୁଆ ଖେଳକୁ ନେଇ ଆମ ଦେଶରେ କୌଣସି ସ୍ପଷ୍ଟ ଆଇନ୍ ନଥିବାରୁ କମ୍ପାନୀମାନେ ତାର ସୁଯୋଗ ନେଇ ଦରକାରୀ ନିୟମଗୁଡ଼ିକ ମଧ୍ୟ ପାଳନ ନକରି ଅନ୍ଲାଇନ୍ ଜୁଆ ଚଳାଇ ରଖିଛନ୍ତି । ବ୍ୟାଙ୍କ୍ ଓ ପେମେଣ୍ଟ ଗେଟ୍ୱେ ଗୁଡ଼ିକ ମଧ୍ୟ ଏପରି ଅନ୍ଲାଇନ୍ ଜୁଆକୁ ସମର୍ଥନ ଦେଉଛନ୍ତି । ଏପରି ଅନ୍ଲାଇନ୍ ଜୁଆକୁ ନେଇ କୌଣସି ଆଇନ୍ ନଥିବାରୁ କୋର୍ଟ ମଧ୍ୟ କିଛି ନିଷ୍ପତି ନେଇପାରୁନାହିଁ । ଜୁଆ ଓ ଅନ୍ଲାଇନ୍ ଖେଳକୁ ନେଇ ଏଯାବତ୍ ଆମ ଦେଶରେ କେନ୍ଦ୍ରୀୟ ସ୍ତରରେ କେବଳ ପବ୍ଲିକ୍ ଗ୍ୟାମ୍ବଲିଙ୍ଗ୍ ଆକ୍ଟ- ୧୮୬୭ ହିଁ ବଳବତ୍ତର ଅଛି । ବର୍ତ୍ତମାନର ଆଧୁନିକ ଅନ୍ଲାଇନ୍ ଖେଳକୁ ଏହି ଆଇନ୍ ଛୁଇଁ ପାରୁନାହିଁ । ଫଳରେ ଅନ୍ଲାଇନ୍ ଖେଳର ଆପ୍ କମ୍ପାନୀମାନେ ବେଧଡ଼କ ତାଙ୍କ କାରବାର
ଚଳାଇ ରଖିଛନ୍ତି । ନିକଟ ଅତୀତରେ ଏହି ସନ୍ଦର୍ଭରେ ଡି. ସିଲୁଭାଇ ଭେନାନ୍ସ ବନାମ ରାଜ୍ୟ ମାମଲାରେ ମାଡ଼୍ରାସ୍ ହାଇକୋର୍ଟର ମଦୁରାଇ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛି ଯେ, ଭାରତର ଯୁବକମାନଙ୍କୁ ଆର୍ଥିକ ସମ୍ପୃକ୍ତି ଥିବା ଅନ୍ଲାଇନ୍ ଖେଳର ମାୟାରୁ ବଞ୍ଚାଇବା ପାଇଁ ହେଲେ ଆଧୁନିକ ଅନ୍ଲାଇନ୍ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ପଷ୍ଟ ଓ ଦୃଢ଼ କେନ୍ଦ୍ରୀୟ ଆଇନ୍ର ଆବଶ୍ୟକତା ରହିଛି । କୋର୍ଟ ଆହୁରି ପୋଲିସ୍କୁ ପଚାରିଛନ୍ତି ଯେ, ତାସ୍ ମାଧ୍ୟମରେ ଖେଳା ଯାଉଥିବା ଜୁଆକୁ ପ୍ରତିରୋଧ କରାଯାଉଥିବାବେଳେ ଅନ୍ଲାଇନ୍ ପ୍ଲାଟଫର୍ମରେ ଖେଳା ଯାଉଥିବା ଜୁଆକୁ ପୋଲିସ୍ ମୌନ ଅନୁମତି ଦେଉଛି କିପରି । ଉତ୍ତରରେ ପୋଲିସ୍ ବିଭାଗ କହିଛି ଯେ, ଅନ୍ଲାଇନ୍ ଜୁଆକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଆଇନ୍ର ବ୍ୟବସ୍ଥା ନାହିଁ । ମାଡ଼୍ରାସ୍ ହାଇକୋର୍ଟ ଆହୁରି କହିଛନ୍ତି ଯେ, ତାମିଲନାଡ଼ୁ ସରକାର ଅନ୍ଲାଇନ୍ ଜୁଆକୁ ନିୟନ୍ତ୍ରଣ କରିବା ପାଇଁ ଯଥାଶୀଘ୍ର ସିକିମ୍, ନାଗାଲାଣ୍ଡ ଓ ତେଲେଙ୍ଗାନା ପରି ଏକ ଦୃଢ଼ ଆଇନ୍ ଆଣନ୍ତୁ ।
କଥାରେ ଅଛି ମଦ ଓ ଜୁଆ ଯୁବ ସମାଜକୁ ନଷ୍ଟ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ । ତେଣୁ ଯଥାଶୀଘ୍ର ସରକାର ଅନ୍ଲାଇନ୍ ଜୁଆକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ଆଇନ୍ ଆଣିବାର ବ୍ୟବସ୍ଥା କରିବା ଉଚିତ୍ । ତା’ ପୂର୍ବରୁ ପ୍ରଥମେ ଏପରି ଅନ୍ଲାଇନ୍ ଜୁଆ ଆପ୍ର ବିଜ୍ଞାପନକୁ ନିଷେଧ କରାଯିବା ଉଚିତ । ଏହା ଆମ ଯୁବସମାଜକୁ ଅଚିରେ ପଥଭ୍ରଷ୍ଟ କରିଦେବ ।
ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪
Comments are closed.