ପୁରୀ : ନିର୍ଦ୍ଧାରିତ ସମୟ ଓ ଲକ୍ଷର ଯଥେଷ୍ଟ ପୂର୍ବରୁ ୩ ରଥର ସମସ୍ତ ଚକ ଓ ଅଖ ଯୋଡ଼ାଯାଇ ଡ଼େରାଯାଇଛି। ଏହାସହ ରଥର ଉପରିଭାଗ ତିଆରି କାମ ଜୋର ଧରିଛି। ଆସନ୍ତା ସ୍ନାନପୂର୍ଣ୍ଣିମାରେ ୩ ରଥର ଚାରିନାହାକା ଉଠିବ। ତେବେ ଚଳିତବର୍ଷ ରଥ ତିଆରି ବେଶ ଆଗୁଆ ଚାଲିଛି। ଅନ୍ୟପଟେ ଜୁନ୍ ୧୪ରେ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଦଇତାପତି ନିଯୋଗ ସହ ପୁରୀ ଜିଲ୍ଲାର ଏସପି ଆଲୋଚନା କରିଛନ୍ତି।
ଆଜି ୩ ରଥର ସମସ୍ତ ୪୨ ଟି ଚକ ସହ ଅଖ ଯୋଡ଼ାଯାଇ ଡ଼େରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଭୋଇ ସେବକ ଅକ୍ଳାନ୍ତ ପରିଶ୍ରମ କରି ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥର ଚକ ଅଖ ଯୋଡ଼ା ଯାଇଥିଲା। ଚକ ଓ ଅଖ ଯୋଡ଼ାଯିବା ସହ ଦଣ୍ତା ଫ୍ରେମ ସେଟିଂ କାମ ସରିଛି। ସତର୍କତାର ସହ ଏହାର ନମ୍ୱରିଂ କରାଯିବା ସହିତ ଅଖ ଉପରେ ଦଣ୍ତା ଫ୍ରେମ ଫିଟିଂ ହେବ। ଏହା ରଥର ସମ୍ପୁର୍ଣ୍ଣ ଭାରାକୁ ବହନ କରିବ । ଦଣ୍ତା ଉପରେ ଗରଗରା ପଡ଼ି ଚାରିନାହାକା ଉଠିବ। ଗରଗରା ଚଉପଟ ସରି ଏବେ ବିନ୍ଧ ଖୋଦେଇ ଜାରୀ ରହିଛି।
ଗୋଟିଏ ପଟେ ରଥ ନିର୍ମାଣ କାର୍ଯ୍ୟ ଜାରୀ ରହିଥିବା ବେଳେ ଅନ୍ୟ ପଟେ ଜୁନ ୧୪ରେ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ସହିତ ଶ୍ରୀମନ୍ଦିର ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଏସପି ଦଇତାପତି ନିଯୋଗ ସହ ଆଲୋଚନା କରିଛନ୍ତି। ବିଶୃଙ୍ଖଳିତ ଆଚରଣକୁ ରୋକିବା ପାଇଁ ସିସିଟିଭି କ୍ୟାମେରା ସହିତ ମହାପ୍ରଭୁଙ୍କ ଜଳଲାଗି ଓ ହାତୀବେଶ ସମୟରେ କୌଣସି ସେବାୟତ ଯେଭଳି ଶ୍ରୀବିଗ୍ରହମାନଙ୍କ ଆଗରେ ଛିଡ଼ା ହୋଇ ବାଧା ସୃଷ୍ଟି କରିବେ ନାହିଁ ଦଇତାପତି ନିଯୋଗ ଏସପିଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେଇଛନ୍ତି।
ଆସନ୍ତା ୭ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ତଥା ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ସମ୍ପର୍କରେ ଅନୁଷ୍ଠିତ ସବ୍ କମିଟି ବୈଠକର ନିଷ୍ପତିକୁ ପରିଚାଳନା କମିଟି ମୋହର ମାରିବ। ସ୍ନାନ ପୂର୍ଣ୍ଣିମା ଦିନ ହାତୀବେଶ ପରେ ତିନି ଘଣ୍ଟା ସର୍ବସାଧାରଣ ଦର୍ଶନ କରିବା ପାଇଁ ଛଡ଼ାଯିବ ବୋଲି ପୂର୍ବ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା।
Comments are closed.