Latest Odisha News

BREAKING NEWS

ପାକିସ୍ତାନକୁ ୮୯ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ମାଞ୍ଚେଷ୍ଟର: ବିଶ୍ୱକପ ମୁକାବିଲାରେ ଭାରତ ପାକିସ୍ତାନକୁ ସମସ୍ତ ୭ଟି ମ୍ୟାଚରେ ପରାସ୍ତ କରିପାରି ଏକ ବିରଳ ରେକର୍ଡ଼ ସୃଷ୍ଟି କରିପାରିଛି । ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚର ଫଳାଫଳ ଡ଼କୱର୍ଥ ଲୁଇସ୍ ପଦ୍ଧତିରେ ଘୋଷଣା ହୋଇଛି । ଏହି ନିୟମ ଅନୁଯାୟୀ ଶେଷ ୫ ଓଭରରେ ପାକିସ୍ତାନକୁ କଷ୍ଟସାଧ୍ୟ ୧୩୬ ରନ ଆବଶ୍ୟକ ରହିଥିଲା ମ୍ୟାଚ ଜିତିବାକୁ । ହେଲେ ପାକିସ୍ତାନ ସମୁଦାୟ ୪୦ ଓଭର ଖେଳି ୬ଟି ୱିକେଟ ବିନିମୟରେ ମାତ୍ର ୨୧୨ ରନ କରିବାକୁ ସକ୍ଷମ ହୋଇଥିଲା । ଭାରର ବିଶାଳ ୩୩୬ ରନର ସ୍କୋର ପାକିସ୍ତାନ ଲାଗି ଆରମ୍ଭରୁ କଷ୍ଟସାଧ୍ୟ ସାବ୍ୟସ୍ତ ହୋଇଥିଲା । ପରିଶେଷରେ ପାକିସ୍ତାନ ଭାରତଠାରୁ ଶୋଚନୀୟ ଭାବେ ୮୯ ରନରେ ପରାଜୟ ବରଣ କରିବାକୁ ବାଧ୍ୟ ହୋଇଥିଲା ।

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ପରେ ବିରାଟ ବାହିନୀର ବୋଲର୍ ଶାଣିତ ବୋଲିଂ ପ୍ରଦର୍ଶନ କରିଥିବାର ଦେଖାଯାଇଥିଲା । ପଡ଼ିଆରେ ଟିମ୍ ଇଣ୍ଡିଆର ଫିଲ୍ଡରମାନେ ସମସ୍ତ ଶକ୍ତି ଖଟାଇ ପାକିସ୍ତାନକୁ ରନ ନେବାରୁ ରୋକି ପାରିଥିଲେ । କ୍ରିକେଟର ସମସ୍ତ ବିଭାଗରେ ଭାରତୀୟ ଦଳ ଉଚ୍ଚକୋଟୀର ପ୍ରଦର୍ଶନ କରି ଚିର ପ୍ରତିଦ୍ୱଦ୍ୱୀ ପଡ଼ୋଶୀ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିପାରିଛନ୍ତି । ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ଭାରତୀୟ ଉପ-କପ୍ତାନ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ । ସେ ମାତ୍ର ୧୧୩ଟି ବଲର ସମ୍ମୁଖୀନ ହୋଇ ୩ଟି ବିଶାଳ ଛକା ସହିତ ୧୪ଟି ଚୌକା ପ୍ରହାର କରିଥିଲେ । ଚିରାଚରିତ ଢଙ୍ଗରେ ରୋହିତ ସମସ୍ତ ପାକିସ୍ତାନୀଙ୍କୁ ପ୍ରହାର କରି ଚାଲିଥିଲେ । ତାଙ୍କୁ ରୋକିବାକୁ ପାକିସ୍ତାନୀ ବୋଲରମାନେ ସମସ୍ତ କାଇଦା କୌଶଳ କରିଥିଲେ ମଧ୍ୟ ତାଙ୍କର ରନ୍ ବର୍ଷାକୁ ରୋକି ପାରିନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏକ ଧୁଆଁଧାର ଇନିଂସ ଖେଳି ଷ୍ଟାଡ଼ିୟମରେ ଉପସ୍ଥିତ ଥିବା ଭାରତୀୟ ଦର୍ଶକଙ୍କ ମନ ଜିଣି ନେଇଥିଲେ ।

ଟସରେ ଜିତି ପାକିସ୍ତାନ କପ୍ତାନ ସର୍ଫରାଜ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଭାରତୀୟ ଓପନର୍ ରୋହିତ ଶର୍ମା ଓ ଲୋକେଶ ରାହୁଲ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ୧୧୩ଟି ବଲରେ ୩ଟି ଛକା ଓ ୧୪ଟି ଛକା ସହିତ ୧୪୦ ରନ ସ୍କୋର କରିଥିଲେ । ଲୋକେଶ ରାହୁଲ ୩ଟି ଛକା ସହିତ ୫୭ ରନ କରିଥିଲେ । ଦଳର ସ୍କୋର ୧୩୬ ରନ ହୋଇଥିବା ସମୟରେ ପ୍ରଥମ ଭାରତୀୟ ୱିକେଟର ପତ୍ତନ ଘଟିଥିଲା ।

ବିରାଟ କୋହଲୀ ଅପରାଜିତ ୭୧ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ କରିଥିଲେ ।

ପାକିସ୍ତାନୀ ବୋଲର୍ ମହମ୍ମଦ ଆମିର ୩ଟି, ହାସନ ଅଲ୍ଲୀ ଓ ୱାହାବ ରିୟାଜ ଗାଟିଏ କରି ୱିକେଟ ହାସଲ କରିଛନ୍ତି । ଓପନର ରୋହିତ ଶର୍ମାଙ୍କ ଧୁଆଁଧାର ୧୪୦ର ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ବିନିମୟରେ କରିଥିଲା ୩୩୬ ରନ ।

ଇନିଂସ ଶେଷ ବେଳକୁ ବିଜୟ ଶଙ୍କର ୧୫ ରନ ଏବଂ କେଦାର ଯାଦବ ୯ ରନ କରି ଅପରାଜିତ ରହିଥିଲେ ।

ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମାଙ୍କୁ ‘ପ୍ଲେୟାର୍ ଅଫ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.