ପରକୀୟା
ସଂଜିତ୍ କୁମାର ବଳ
ଅଂଧାର ଝରାଇ
ଆକାଶ ରାତିକୁ ଗାଢ଼ କରେ ।
ସେ ତା’ ନୂଆ ସଂସ୍କରଣର
ଅନାବରଣ ପାଇଁ
ଜିରୋ ପାୱାର ବଲ୍ବର
ଆଲୁଅକୁ ଅତିଥି କରେ ।
ବଂଦ ଥାଇବି ମୁଁ
ନିଜକୁ ଖୋଲାରଖେ
ମୋର ଅନେକ ବ୍ୟାକୁଳତାର
ବିନମ୍ର ଅନୁରୋଧରେ ।
ଗୋଟେ ଛାଇର
ପାଦ ଶବ୍ଦକୁ କାନଡେରେ
ସେ ତା’ ଚୁଡ଼ି ମାନଂକଠୁ
ମିଳନର ରୁଣୁଝୁଣୁ
ଶିଖୁଥିବା ବେଳେ ।
ମୋତେବି ବ୍ୟାକୁଳ ହେବା
ଶିଖାଏ ତା’ଅସ୍ଥିରତା,
ମୁଁ ଖୁସିହୁଏ
ଏଇ ଭାବନାରେ
ମୋତେ ଆଜିଯାଏ
ନିରାପଦ ରଖିଚି
କେବଳ ମୋ ଅସହାୟତା ।
ହଠାତ୍ ନିଜଠୁ ମୁଁ
ଅନେକ ଦୂରକୁ ଚାଲିଯାଏ,
ଓ ଶୂନ୍ୟରେ ଗୋଟେ
କୋଠରି ଗଢ଼ି
ତା’ ସାମ୍ନାରେ ବୁଜିଯାଏ ।
କୋଠରିକୁ ଚାହିଁଥିବା
ଜହ୍ନକୁ ମେଘର ଭୟ ଦେଖାଏ ।
ସେ ଛାଇ
କେତେବେଳେ ଆସି
କେତେବେଳେ ଫେରିଯାଏ
ମୁଁ ଜାଣିପାରେନା,
ସେ ଆସିଥିଲା ବୋଲି
ମୁଁ ନିଶ୍ଚିତ ହୁଏ
ଯେବେ ମୋ ଶିହରଣର
ଚେହେରା ବଦଳି
ପାଲଟିଯାଏ ଉତ୍ତେଜନା ।
……………………………..
ମୂଷାଙ୍ଗ, ତିହିଡ଼ି, ଭଦ୍ରକ
ମୋ- ୯୪୩୯୦୫୧୮୮୦
Comments are closed.