Latest Odisha News

BREAKING NEWS

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୬

ଅକ୍ଷର ଯୋଡ଼ା ଛଡ଼ା ଭେଦ
ଅଟେ ଏ ଭାଷାର ସଂପଦ
ଏ ଭେଦ କରିଲେ ସ୍ବୀକାର
ସ୍ବଭାଷା ହେବ ଚମତ୍କାର

ଆଂକିଲା ଏ ହାତ ବି ଚିତ୍ର
ଏହା ତ ଦିଶିଲା ବିଚିତ୍ର

ଅଂକ ନ କଷି, ଏ ଅଂକନ
ଆଡ଼କୁ ମିଛେ ନେଲି ମନ

ଅନାମ, ଇଆଡ଼େ ଅନା ମ
ଏହା ତ ନୁହେ ତୋର କାମ

ଏବେ ତ ଏ ବେତ ପ୍ରହାର
ହୋଇଗଲାଣି ସେବେକାର

ଏ ହାର ଯେହେତୁ ଏହାର
ସତକୁ କରି ନେ ସ୍ବୀକାର

ତାସ୍‌ଠୁଁ ମଜା ଖେଳ ନାହିଁ
କିଂତୁ ଏଠାରେ ଖେଳନାହିଁ

ଏହାର କିଛି ମାନେ ନାହିଁ
ମୋର କଥା ସେ ମାନେନାହିଁ

ପ୍ରତି ମାଘର ବଡ଼ ଭୋଜି
ପ୍ରତିମା ଘରେ ହେବ ଆଜି

ବିଧା ତା ପିଠିରେ ପଡ଼ିଲା
ବିଧାତା ଶୋଇପଡ଼ିଥିଲା

ନାନା ପ୍ରକାର ବେଶ ହୋଇ
ନା, ନା ସେଠାକୁ ଯିବାନାହିଁ

କାମନା ହିଁ ମୂଳ କାରଣ
କାମ ନାହିଁ ମୂଳ କାରଣ

କାହିଁ କିଏ ତ ଏଠି ନାହିଁ
କାହିଁକି ଏଠି କିଏ ନାହିଁ ?

Comments are closed.