ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମାର ଅପୂର୍ବ ଗାଥା “ମୃଗୁଣୀ ଉଦ୍ଧାର “, ସେହି ପ୍ରସଙ୍ଗରେ ଆମେ ଚର୍ଚ୍ଚା କରିଥିଲେ । ସୁବାହୁ ବନରେ ନିଜର ଦୁଇ ଶାବକଙ୍କ ସହ ତୃଣ ଭୋଜନରେ ଲିପ୍ତ ଥିବା ତାରାବତୀ ହରିଣୀ, ବିଧିର ନିର୍ଦ୍ଦେଶ ପ୍ରକାରେ ବିରୁପାକ୍ଷ ଶବର ହାବୁଡ଼ରେ ପଡିଛି। ତିନିଦିନ ଭୋକରେ ଥିବା ଶବର ମନେ ମନେ ଭାବୁଛି
“ତିନିଦିନ ଉପାସକୁ ମିଳିଛି ଆହାର l
ଏହିକ୍ଷଣି ମାରିଣ ମୁଁ ତୋଷିବି ଉଦର।
(ବଳରାମ ଦାସ )
ଏଠାରେ ତତ୍ତ୍ୱ ଦୃଷ୍ଟିରୁ ଦୁଇଟି ଭିନ୍ନ କଥା ଆମେ ଜାଣିବାକୁ ପାଇଲେ ।
୧. ବିଗତ ଦିନର କିଛି ମନ୍ଦ କର୍ମର ଫଳ ଭୋଗ କରିବା ପାଇଁ ମୃଗୁଣୀ ବ୍ୟାଧ ରୂପୀ ଶବରକୁ ଭେଟୁଛି ।
୨. କ୍ଷୁଧା ଜର୍ଜରିତ ବ୍ୟାଧ ନିଜର ଜିହ୍ୱା ଲାଳସାର ବଶବର୍ତ୍ତୀ ହୋଇ ହରିଣୀ ଶାବକମାନଙ୍କ ହତ୍ୟାର ଯୋଜନା କରିଛି ।
ଯଥା -ଦେଖିଲା ହରିଣୀ ସଙ୍ଗେ ଛନ୍ତି ବେନି ପିଲା
ବିଧାତା ସୁମରି ଧନୁଶରକୁ ଧଇଲା ।
ମୃଗୁଣୀ ଓ ଶବର ଉଭୟ ନିଜ କର୍ମ ଫଳ ଭୋଗ ପାଇଁ ଆସିଛନ୍ତି। ଜଣେ ଲୋଭ, ମୋହରେ ଅନ୍ଧ ହୋଇ ନିଜର ହିତାହିତ ଜ୍ଞାନ ଭୁଲୁଛି। ଆଉଜଣେ ସରଳ ନିର୍ମଳ ହୃଦୟ ନେଇ ପ୍ରଭୁଙ୍କୁ ଭଜୁଛି। ଶାସ୍ତ୍ର ତେଣୁ ପୁଣି କହୁଛି “କର୍ମାୟତଂ ଫଳଂ ପୁଂସାଂ ବୁଦ୍ଧି କର୍ମାନୁସାରିଣୀ ।”
ସଂସାର ମାୟାରେ ମୋହିତ ଶବର ଶିଶୁ ହତ୍ୟା ମହାପାପ ଜାଣି ମଧ୍ୟ ଲୋଭର ବଶବର୍ତ୍ତୀ ହୋଇ ଭାବୁଛି “କୁଟୁମ୍ବ ଭାଇ ଯେ ଦୂର ବନ୍ଧୁ ଶଙ୍ଖୋଳିବି,
ଉଦରୁ ସଞ୍ଚିଣ ପୁତ୍ର ନାତିକି ଲୋଡ଼ିବି। ”
ଏଭଳି ଚିନ୍ତା କରି ବିରୁପାକ୍ଷ ଶବର କଣ କଲା ତାହା ଜାଣିବା ଆଗାମୀ ଅଧ୍ୟାୟରେ। ଏବେ କିନ୍ତୁ ଏତିକି ଜାଣିବା ଯେ ଶବରର କର୍ମ ଶିକାର କରିବା ହେଲେ ମଧ୍ୟ ଶିକାରର ନିୟମ ମାନିବା ମଧ୍ୟ ତାର ଧର୍ମ। ଆପଣମାନେ ମଧ୍ୟ କେବଳ କର୍ମ କରନ୍ତୁନି, ବେଦ ନିର୍ଦ୍ଦେଶିତ କର୍ମ କରନ୍ତୁ। ଏବେ କିନ୍ତୁ ପ୍ରଭୁଙ୍କର ଆରାଧନା ।
“ନିର୍ଗୁଣ ନିରଞ୍ଜନ ହରି ।
ଧରଣୀ ତଳେ ଦେହ ଧରି ।
ଯେ କର୍ମ କଲେ ତ୍ରିଭୁବନେ ।
ଯେ ଅବତାର ଯେଉଁ ସ୍ଥାନେ ।
ସେ କଥା କହ ତପୋଧନ ।
ସନ୍ତୋଷ ନୋହେ ମୋର ମନ ।
ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ )