ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୪
ଛୁଆଟେ ଥାଏ ଯଦି ଘରେ
ତା ସଂଗେ ଲାଗି ମନ ଭରେ
ବଡ଼ମାନେ ବି ଶିଶୁ ହୋଇ
ଛୁଆକୁ ଦିଅଂତି ଶିଖାଇ
ଛୁଆର କାନେ ପଡ଼େ ଭାଷା
ବଡ଼ମାନେ କରଂତି ଆଶା
ଛୁଆଟି କହି ଶିଖୁ କଥା
ଜଣାଉ ସୁଖ ଦୁଃଖ ବ୍ୟଥା
ଅନୁକରଣ କରି ଛୁଆ
କହିଲେ ଶବ୍ଦ ନୂଆ ନୂଆ
ସଭିଏଁ ହୋଇଥାଂତି ଖୁସି
ଛୁଆଟି ହୁଏ ମାତୃଭାଷୀ
ପହିଲେ ଶିଖିଥିବା ଭାଷା
ବଢ଼ାଏ ବିଶ୍ବାସ ଭରସା
ପାଂଚ ବରଷ ପୂରିଗଲେ
ଆପଣା ଭାଷା କହି ଚଳେ
ବୟସ ବଢ଼ିବା ସହିତ
ତା ଜ୍ଞାନ ହୁଏ ବିସ୍ତାରିତ
ଆଉ ଅଧିକ ଭାଷା ଶିଖି
ସେ ପାରେ ପଢ଼ି ଆଉ ଲେଖି
ଏପରି ଶିକ୍ଷା ପାଇଁ ସ୍ଥାନ
ଘରଟି ହୁଏ ଅନୁଷ୍ଠାନ
ପରିବାରର ଗୁରୁଜନ
ହୁଅଂତି ଶିକ୍ଷକ ସମାନ
ମାଆ ବାପା ଓ ଆଈ ଅଜା
ଖୁଡ଼ୀ ଓ କାକା କରି ମଜା
ଭାଉଜ ଦାଦା ନାନୀ ଗଇଁ
ଦିଅଂତି ସ୍ବଭାଷା ଶିଖାଇ
ପରିବାର ହିଁ ବିଦ୍ୟାପୀଠ
ହେଲେ ଛୁଆଟି ବୁଝେ ପାଠ
ଏପରି ଭାଷା ପରିଚୟ
ମନରୁ ତଡ଼ିଦିଏ ଭୟ
ମଣିଷ ଭାଷାଶ୍ରୟୀ ଜୀବ
ଏ ସତ୍ୟ କରି ଅନୁଭବ
ଛୁଆକୁ ଦେଲେ ଭାଷାଜ୍ଞାନ
ସେ ଆପେ ହୁଏ ସ୍ବୟଂପୂର୍ଣ
Comments are closed.