ସୁଜାତା ମିଶ୍ର
ରାତିର ଆଖିରୁ ଲୁହ
ଝରି ଯାଉଛି ରଜନୀଗନ୍ଧାର
ପଣତରେ..,
ମୌସୁମୀର ବୁକୁ ସାରା
ହାହାକାରର ଜଳ କଣା,
ଅବ୍ୟକ୍ତ ଦୁଃଖମାନେ ଝୁଲୁଛନ୍ତି
କଦମ୍ବ ଫୁଲର ବାସ୍ନାରେ..
ସମୟର ପାଦ ଚିହ୍ନ ଭିତରୁ
କିଏ ଉଠାଇ ନେଉଛି
ନିଖୋଜ ମଣିଷର ଛାଇ….,
ଅଣସର ଘରେ କୁହାଟ ମାରୁଛି
ଉତ୍କଟ ଗୁଳୁ ଗୁଳି…,
ପତା ନ ଥିବା ନିଥର
ଡୋଳା ଦିଓଟିର ନିରାସକ୍ତି ଭିତରେ
ଦାରୁଣ ସମୟ ସତେ କଣ
ପଡ଼ିଛି ଘୁମେଇ!
ଆଜି ଏଠି ଜୀବନ ଜୀବିକାର
ଯନ୍ତ୍ରଣାରେ ଜଳୁଛି
ନିପାରିଲା ଭୋକ,
ପବନରେ ଭରିଛି ଜହର..
ଅବିଶ୍ବାସର..,
ଭୂତାଣୁ କରୁଛି ଏଇ ବିଷର୍ଣ୍ଣ ଋତୁରେ
ନର ସଂହାର..,
ଛାଇ ଅନ୍ଧାରରେ ଲେଖୁଛି କବିତା କେହି ..ଅସହାୟ ଏଇ
ଛଟପଟ ପଣର !
ଆଷାଢ଼ର ମେଘ ଦୁଲୁକି ଦୁଲୁକି
ଶୁଣାଉଛି
ବଜ୍ର ବିଜୁଳିର ଆସ୍ଫାଳନ,
ଜଳନ୍ତା ଯୁଇର ଆଶ୍ଲେଷରେ
ହଜି ଯାଉଛି
ଶୋକାକୁଳ ମଣିଷର କରୁଣ କ୍ରନ୍ଦନ,
ବିଶ୍ଵାସ ଯାଉଛି ଦୋହଲି ..
ଆର୍ତ୍ତ ସ୍ୱରର ଗୁଞ୍ଜନ ଭିତରେ..,
ଆସ୍ଥା ଆଉ ସନ୍ଦେହର
ଛକା ପଞ୍ଝା ଖେଳ ଦେଖି କୁରୁଳୁଛି
ରୁଦ୍ଧ ଦ୍ଵାରର ସଂକ୍ରମଣ !
ଏହି ମୁହୂର୍ତ୍ତ ସବୁ ଓଦା ହେଉଚି ପୁଣି
ବନକ ଲାଗିର ପବିତ୍ର ବିଶ୍ଵାସ ଭିତରେ,
ନବ ଯୌବନ ବେଶର
ରଙ୍ଗମୟ ଅନୁଭବରେ,
ଚକା ନୟନର ଦୁଃଖ ପାଶୋରା
ଚାହାଣୀର ମନ ଭୁଲା..
ମନୁଆ ପଣରେ!
ଚନ୍ଦନ କର୍ପୂର ତୁଳସୀର ମହକ
ଭିତରେ ଆତ୍ମହରା ହେଉଛି
ଆଷାଢ଼ର ଜହ୍ନପକ୍ଷ ଆଜି..
ଦିବ୍ୟତାର ଉପଲବ୍ଧିରେ ବତୁରୁଛି
ବ୍ରହ୍ମ କମଳର ପାଖୁଡ଼ା,
ସନ୍ଧ୍ୟା ଦୀପଟିଏ ଜଳୁଛି ନୀରବରେ
ଆତ୍ମ ଚିନ୍ତନରେ ମଜ୍ଜି..,
ଅନୁରାଗର ଝର ଝର ଆବେଗରେ
ଶୁଭୁଛି କି ରହି ରହି
ଅମୃତଝରା କାହା
ମୁରଲୀର ସ୍ୱନ,
କଳା ହାଣ୍ଡିଆ ମେଘର ଧୂସର ଆକର୍ଷଣ ତଳେ
ନିଶବ୍ଦରେ ହସୁଚି କି ଏକ
ନୀଳ ସମ୍ମୋହନ..,
ପାବନ ଋତୁରେ ଛୁଇଁ ଯାଉଛି କି
ମନ ପ୍ରାଣ
କଦମ୍ବର ମୁଗ୍ଧ ଶିହରଣ..!
ସମୟର ସ୍ରୋତ ସଦା
ପ୍ରବାହମାନ,
କିଏ ଜାଣେ କେବେ ବଦଳି ଯିବ
ଜୀବନର ସଂଳାପ,
ମୁଖରିତ ହେବ ହୃଦୟ ଗୁମ୍ଫାରେ
ଓଁ କାର ଆଳାପ..,
ସାରା ସହର ବଜାର ପୁର ପଲ୍ଲୀ
ବନ ଉପବନ ..
ଉର୍ଦ୍ଧ୍ବମୁଖୀ ଚେତନାର
ପଥେ ପଥେ ହେବ
ଟୋପାଏ ଆଲୋକର
ସ୍ପର୍ଶମୟ ଅନୁଭବରେ ମଗ୍ନ!
କସ୍ମୋପଲିସ,ଡୁମୁଡୁମା
ଭୁବନେଶ୍ୱର
Comments are closed.