Latest Odisha News

ଆଜି ଶ୍ରାବଣ ପ୍ରଥମ ସୋମବାର : ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଆଜି ଶ୍ରାବଣ ପ୍ରଥମ ସୋମବାର । ୨ବର୍ଷ ପରେ ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ବୋଲବମ ପାଇଁ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । କେବଳ ମାସ୍କ ପିନ୍ଧିଥିବା ଭକ୍ତଙ୍କୁ ମନ୍ଦିର ଭିତରକୁ ଅନୁମତି ମିଳିଛି ।

ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ମନ୍ଦିର ଭିତରେ ଓ ବାହାରେ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି । ବିଏମ୍‌ସି ମାଗଦର୍ଶିକା ଅନୁଯାୟୀ ଭକ୍ତ ଓ ସେବାୟତ ମାସ୍କ ପିନ୍ଧି ମନ୍ଦିରକୁ ଯିବେ । ଶ୍ରାବଣୀ ଜଳ ଲାଗି ପାଇଁ ଓ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଥଣ୍ଡା ଜ୍ୱର ଲକ୍ଷଣ ଥି‌ଲେ ପ୍ରବେଶ ନକରିବାକୁ ଅନୁରୋଧ କରାଯାଇଛି । ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ୱାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରୁଛି ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ବୋଲବମ୍ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ କରି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାକ୍ ପ୍ରସ୍ତୁତି କରାଯାଇଛି । ହଜାର ହଜାର ଭକ୍ତ ଜଳାଭିଷେକ ପାଇଁ ଆସୁଥିବାରୁ ରାସ୍ତାରେ ଯେପରି କୌଣସି ପ୍ରକାର ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଚଳିତ ଶ୍ରାବଣ ମାସରେ ପଡ଼ୁଥିବା ୪ଟି ସୋମବାରକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ ଜଣେ ଅତିରିକ୍ତ ଡିସିପି, ୫ଜଣ ଏସିପି, ୮ଜଣ ଇନ୍ସପେକ୍ଟର, ୪୩ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ, ୬ ପ୍ଲାଟୁନ ଫୋର୍ସ ଏବଂ ୫୦ଜଣ ହୋମଗାର୍ଡଙ୍କୁ ମୁତୟନ କରଯାଇଛି । ଏହାବାଦ୍ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.