ନିରଞ୍ଜନ ନାୟକ
ସ୍କୁଲ ସମୟରେ ଚାନ୍ଦ ଭଳି
ଦିଶୁଥିଲା ଚାନ୍ଦିନୀ
ତା’ର କଳାରଙ୍ଗର ବେଣୀରେ
ଧଳା ରଙ୍ଗର ରିବନ
ଶୋଭା ଶୋଭାପାଉଥିଲା
ଫୁଲଟିଏ ପରି ।
ସେ ଫୁଲଟି ସତ୍ୟ ଓ ଶାନ୍ତିର
ବାର୍ତ୍ତା ବାଣ୍ଟୁଥିଲା
ହାତର ନୀଳ ରଙ୍ଗର ରୁମାଲଟି
ଗାଉଥିଲା ଏକତାର ମନ୍ତ୍ର ।
ତା ନାରଙ୍ଗି ରଙ୍ଗର ମଲାଟଦିଆ ବହି
ସାହସ ର ପ୍ରତୀକ ମନେହେଉଥିଲା
ତା ରୁମାଲ ଭିତରେ ଥିବା ପାଞ୍ଚଟଙ୍କିଆ ନୋଟରେ
ଦିଶୁଥିଲା ବାପୁଜୀଙ୍କ ମୁହଁ ।
ଫ୍ରକ ପକେଟରେ ବାଦାମ ତେନ୍ତୁଳି ଭଜାମୁଗ
ଦି’ଚାରିଟା ପାଟିରେ ପକେଇ ସହପାଠିନୀଙ୍କ
ସହ ମିଶି ଖଟି କରେ
ଖଟିରେ ଯୋଡୁଥିଲା ସିଏ ଗପ କାହାଣୀ
ଦେଶ ବିଦେଶର ।
ସେଦିନ ସ୍କୁଲ ବାରଣ୍ଡାରେ
ଝୁଣ୍ଟିପଡି ଆହତ ହୋଇ ପଡିଥିବା
ସହପାଠିନୀର ଆଖିରୁ ଝରୁଥିବା ଲୁହକୁ
ସେ ତା ରୁମାଲରେ ପୋଛି ଦେଇଥିଲା
ତା ରୁମାଲ ଭିତର ପାଞ୍ଚଟଙ୍କିଆ ନୋଟଟିକୁ
ଅଭାବି ସହପାଠିନୀର ପୂଜା ଚାନ୍ଦା ପାଇଁ
ଦେଇଥିଲା।
ଚାନ୍ଦିନୀର ବାହାଘର ପରେ….
ତା’ର ଏତେ ବଡ ହୃଦୟ
ଭିତରେ ଦୁଃଖ ସବୁ ନେସିହୋଇଗଲା
ଦହଗଞ୍ଜ ସଂସାର ଭିତରେ ଚାନ୍ଦିନୀ
ମରିମରି ବଞ୍ଚିଥିଲା।
ପିଲାବେଳର ସ୍ମୃତି ସନ୍ତକ
ରୁମାଲଟି ପାଖରେ ନଥିଲା
କିନ୍ତୁ ଚାନ୍ଦିନୀ ତା ପଣତ କାନିରେ
ନିଇତି ନିଜ ଆଖିଲୁହ ନିଜେ ପୋଛୁଥିଲା ।
ଟିକିରି,କାଶୀପୁର ରାୟଗଡା
ମୋ-୭୯୯୧୦୨୧୫୮୫
Comments are closed.