ଯାଜପୁର: ବିଭିନ୍ନ ଦୋକାନରେ (POS) ବା ପଏଣ୍ଟ ଅଫ୍ ସେଲ୍ ମେସିନ୍ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ବନ୍ଧା ହେଲେ ଦମ୍ପତିଙ୍କ ସହ ୫ ଜଣ । ଠକଙ୍କ ଠାରୁ ନଗଦ ୧୦ ଲକ୍ଷ ଟଙ୍କା, ୬୩ଟି ଏଟିଏମ କାର୍ଡ, ଗୋଟିଏ କ୍ରେଡିଟ୍ କାର୍ଡ, ୭ଟି ମୋବାଇଲ ଫୋନ୍, ୪୬ଟି ସିମ୍ କାର୍ଡ, ୨୧ଟି ବିଭିନ୍ନ ବ୍ୟାଙ୍କର ପାସବୁକ୍, ୩ଟି ପିଓଏସ୍ ମେସିନ୍ ଜବତ କରାଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁନୀଲ ନାୟକ ଏବଂ ତାଙ୍କ ପତ୍ନୀ ମାଳତୀ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି ।
କିଛି ଦିନ ପୂର୍ବରୁ ମାଳତୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଆଜି ସ୍ୱାମୀ ସୁନୀଲ ଓ ଅନ୍ୟ ୩ ସହଯୋଗୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୋଗ ମୁତାବକ ସୁନୀଲ ଓ ତାଙ୍କ ପତ୍ନୀ ସୃଜନ ଇନଫୋଟେକ୍ କମ୍ପାନୀ ଖୋଲି ପେ ଟିଏମ୍ ଠାରୁ ପିଏସ୍ଓ ମେସିନ ଲଗାଇବାକୁ ଫ୍ରାଞ୍ଚାଇଜ ଆଣି ବିଭିନ୍ନ ଦୋକାନରେ ଲଗାଇଥିଲେ । ସେହି ମେସିନ ଦ୍ୱାରା ହେଉଥିବା ଅର୍ଥ କାରବାରକୁ ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ସୁନୀଲ । ଏହା ଜଣା ପଡ଼ିବା ପରେ ଯାଜପୁର ସହରର କ୍ରିଷ୍ଣା ଜୁଏଲାରୀ ମାଲିକ ବଟକୃଷ୍ଣ ସାହୁ ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପୋଲିସ ତଦନ୍ତ କରି କ୍ରିଷ୍ଣା ଜୁଏଲାରୀରୁ ୨୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ବେଳେ କୁଆଖିଆ ଥାନା ଅନ୍ତର୍ଗତ ଦୁଇଟି ସୁନା ଦୋକାନରୁ ୩୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜାଣିବାକୁ ପାଇଛି । ଆଜି ୪ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୪୦୬, ୪୧୭, ୪୨୦, ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସରୋଜ ଉପାଧ୍ୟାୟ ।
Comments are closed.