Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ଶ୍ରୀମନ୍ଦିର ଗର୍ଭଗୃହରୁ କୌଣସି ପଥର ଖସିନାହିଁ । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ ଆଧାରରେ ମଙ୍ଗଳବାର ସକାଳ ଧୂପ ପରେ ଏହି ଘଟଣା ଘଟିଥିଲା । ଠାକୁରଙ୍କ ଶ୍ରୀଅଙ୍ଗ ପ୍ରତି କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ । ଏପିରିକି ନୀତିକାନ୍ତିରେ ମଧ୍ୟ କୌଣସି ଅସୁବିଧା ହୋଇନାହିଁ । ଏନେଇ ଏଏସଆଇ ଟିମକୁ ଅବଗତ କରାଯାଇଛି ।

୨) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶାର ବିଧାୟକ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିଧାୟକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୬ ଜଣ ବିଧାୟକ ଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାନସଭା ତରଫରୁ ଜଗନ୍ନାଥଙ୍କ ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋ ଚିତ୍ର ଓ ଓଡ଼ିଆ କଳାକୃତିର ଉପହାର ଦିଆଯାଇଛି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ବିଧାୟକମାନେ ଗୁରୁବାର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

୩) ଭୁବନେଶ୍ୱରରୁ ଜୟପୁରକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ଜୟପୁରରେ ପହଞ୍ଚିଛି ଇଣ୍ଡିଆ ଏୟାର ୱାନ୍ ବିମାନ । ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରୁ ଜୟପୁରକୁ ବିମାନ ଉଡ଼ାଣ ଭରିଛି । ଦିନ ୧୧ଟା ୩୫ମିନିଟ୍ରେ ଜୟପୁର ବିମାନ ବନ୍ଦରରେ ବିମାନଟି ପହଞ୍ଚିଥିଲା । ବିନା ଯାତ୍ରୀରେ କେବଳ କର୍ମଚାରୀଙ୍କୁ ନେଇ ବିମାନଟି ଉଡ଼ାଣ ଭରିଥିଲା ।

୪) ଡ୍ରପ ଆଉଟ୍ ରୋକିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ । ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜାନ ଦାଶ । ଯେଉଁ ସବୁ ବ୍ଲକରେ ପ୍ଲସ ଟୁ କଲେଜ୍ ନାହିଁ ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ । ମାଟ୍ରିକ ପାସ ପରେ ପାଖରେ ଯୁକ୍ତ ଦୁଇ କଲେଜ୍ ନଥିବାରୁ ପିଲାଏ ପାଠ ଛାଡି ଦେଉଥିବା ବେଳେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

୫) ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ଉଚ୍ଚଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି । ସବୁ ୟୁନିଭର୍ସିଟି ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖିଛନ୍ତି । ନାମ ଲେଖାଉଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଗିଂ ପ୍ରମାଣିତ ହେଲେ କିମ୍ବା ଉସକାଇଥିଲେ FIR ଦିଆଯିବ । ଏପରିକି FIR ପଦକ୍ଷେପକୁ ଅପେକ୍ଷା ନ କରି କଲେଜ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି କୁହାଯାଇଛି ।

୬) ବାସି ଖାଦ୍ୟ ଖାଇ ଜଣେ ମୃତ, ୫ ଗୁରୁତର । ବାଲେଶ୍ୱର ସିମୁଳିଆ ଥାନା ଦଧିବାମନପୁର ଗାଁରେ ବାସିଖାଦ୍ୟ ଖାଇ ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ ମେଡିକାଲରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ରବିବାର ଗାଁର ଯୁଧିଷ୍ଠିର ଦାସଙ୍କ ଘରେ ବୋରିଂ ଖୋଳା ଯିବାବେଳେ ଭୋଜି ହୋଇଥିଲା । ସେହି ଖାଦ୍ୟ ଦିନରେ ଏବଂ ପରେ ରାତିରେ ଖାଇ ସମସ୍ତେ ଅସୁସ୍ଥ ହୋଇ ପଡିଥିଲେ ।

୭) ଜମିଜମା ବିବାଦକୁ କେନ୍ଦ୍ର କରି ଦମ୍ପତିଙ୍କୁ ଏସିଡ୍ ମାଡ ହୋଇଛି । ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ରାଉତ ସାହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏସିଡ୍ ମାଡରେ ଶୈଳେନ୍ଦ୍ର ନାୟକ ଓ ତାଙ୍କ ସ୍ତ୍ରୀ ସରସ୍ୱତୀ ନାୟକ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ବାସୁଦେବପୁର ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

୮) ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ମୌସୁମୀ ନିମ୍ନ ଚାପ ରେଖା ଦକ୍ଷିଣ ମୁହାଁ ହୋଇଛି । ହିମାଳୟ ପାଦ ଦେଶରୁ ସ୍ୱାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ ନିମ୍ନ ଚାପ ରେଖା । ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୫ ତାରିଖରେ ରାଜ୍ୟର ୧୦ ଗୋଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୯) ଦରଦାମ ବୃଦ୍ଧି, ମୁଡ଼ି ଓ ଗୁଡରେ ଜିଏସଟିକୁ କଂଗ୍ରେସର ତୀବ୍ର ବିରୋଧ କରିଛି । ପ୍ରତିବାଦରେ ଓଡ଼ିଶା କଂଗ୍ରେସ ଆସନ୍ତା ୫ ତାରିଖରେ ରାଜଭବନ ଘେରାଉ କରିବ । ରାଜଭବନ ଘେରାଉ ସହ ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ । ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

୧୦) ଶିକ୍ଷକ ନିଯୁକ୍ତିରେ ଦୁର୍ନୀତିକୁ ନେଇ ଇଡିର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କ୍ୟାବିନେଟରେ ଅଦଳ ବଦଳ କରିଛନ୍ତି । ମୋଟ୍ ୯ ଜଣ ନୂତନ ମନ୍ତ୍ରୀଙ୍କୁ କ୍ୟାବିନେଟ୍ରେ ସ୍ଥାନ ମିଳିଛି । ଏଥିରେ ବାବୁଲ ସୁପ୍ରିୟୋ ମଧ୍ୟ ସାମିଲ୍ ଅଛନ୍ତି । ବାବୁଲ ସୁପ୍ରିୟୋ ୨୦୨୧ ସେପ୍ଟେମ୍ବରରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୨୨ ଏପ୍ରିଲରେ ବାଲିଗଞ୍ଜ ଆସନରୁ ବିଧାନସଭା ଉପ ନିର୍ବାଚନ ଜିତି ବିଧାୟକ ହୋଇଥିଲେ ।

୧୧) ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିବା ୩୪୮ ଆପ୍ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି । ଏହିସବୁ ଆପ୍ ଚୀନ ଏବଂ ଅନ୍ୟ ଦେଶ ଦ୍ଵାରା ବିକଶିତ କରାଯାଇଛି । ଏହି ସବୁ ଆପ୍ ଜରିଆରେ ସୂଚନା ଏକତ୍ର କରାଯାଇ ଦେଶ ବାହାରେ ଥିବା ସର୍ଭରକୁ ପଠାଯାଉଥିଲା । ଇଲେକ୍ଟ୍ରୋନିକ ଏବଂ ସୂଚନା ଅଦୌଗିକି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି ।

୧୨) ଚୀନର ସମସ୍ତ ଚେତାବନୀକୁ ଅଣଦେଖା କରି ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସି ତାଇୱାନ ଗସ୍ତ କରିଛନ୍ତି । ଏହି ସମୟରେ ଚାଇନାର ବିମାନ ମଧ୍ୟ ତାଇୱାନ ସୀମାରେ ପ୍ରବେଶ କରି ଆକାଶରେ ବୁଲୁଛି । କେବଳ ଏତିକି ନୁହେଁ, କ୍ରୋଧିତ ଚୀନ୍ ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇ ଏହି କାର୍ଯ୍ୟରେ ଆପତ୍ତି ଜଣାଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଅଧିକ ବିବାଦୀୟ ହୋଇ ପଡ଼ିଛି ।

୧୩) ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଫଳରେ ୫୦ରୁ ଅଧିକ ମହିଳା ଅସୁସ୍ଥ ହୋଇ ପଡ଼ିଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଳମ୍ବିତ ରାତିରେ ବିଶାଖାପାଟଣା ସ୍ପେଶାଲ୍ ଇକୋନୋମିକ୍ ଜୋନରେ ଥିବା କାରଖାନ୍ରେ ଗ୍ୟାସ୍ ଲିକ୍ ହୋଇଥିଲା ।

୧୪) ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ କାଂସ୍ୟ ପଦକ ମିଳିଛି । ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂହ ବୁଧବାର ୧୦୯ କିଲୋଗ୍ରାମ ବର୍ଗରେ ଦମଦାର ପ୍ରଦର୍ଶନ କରି ଦେଶ ନାମରେ କାଂସ୍ୟ ପଦକ ଜିତିଛନ୍ତି । ଏ ପର୍ଯ୍ୟନ୍ତ ଭାରତ ୧୪ଟି ପଦକ ଜିତି ସାରିଛି । ଏଥିରେ ୪ କାଂସ୍ୟ ପଦକ ରହିଛି । ଲଭପ୍ରୀତ ସିଂହ ପ୍ରତିଯୋଗିତାରେ ମୋଟ୍ ୩୫୫(୧୬୩+୧୯୨)କିଲୋଗ୍ରାମ ଓଜନ ଉଠାଇ ନିଜର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ।

୧୫) ଆଲିଆ ଭଟ୍ଟ ଏବଂ ଶେଫାଳି ଶାହାଙ୍କ ଅଭିନୀତ ଚଳଚ୍ଚିତ୍ର ଡାର୍ଲିଙ୍ଗ୍ସର ପ୍ରଥମ ଗୀତ ଲା ଇଲାଜ୍ ରିଲିଜ୍ ହୋଇଛି । ଅଗଷ୍ଟ ୫(ନେଟଫ୍ଲିକ୍ସ)ରେ ରିଲିଜ୍ ହେବାକୁ ଯାଉଥିବା ଏହି ଫିଲ୍ମର ଗୀତ ପ୍ରଶଂସକଙ୍କ ପାଇଁ ଉତ୍ସାହ ବଢାଇପାରେ । ଏହି ଗୀତଟିକୁ ଅରିଜିତ ସିଂ ଗାଇଥିବା ବେଳେ ଗୁଲଜାର ସାହାବ ଲେଖିଛନ୍ତି । ଏହି ଗୀତରେ ଆଲିଆଙ୍କ ଜୀବନର ଯାତ୍ରା ଦର୍ଶାଯାଇଛି । ଏହି ରୋମାଣ୍ଟିକ ଗୀତରେ ଆଲିଆ ଏବଂ ଅଭିନେତା ବିଜୟ ଭର୍ମାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ ।

Leave A Reply

Your email address will not be published.