Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବନ୍ୟା ପାଣିରେ ୨ ଦିନ ହେଲା ଉବୁଟୁବୁ ସାତକୋଶିଆ

ଅନୁଗୁଳ: ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଳକରେ ବନ୍ୟା ପାଣି ପଶିଛି । ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡ଼ି ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ମହାନଦୀର ଜଳସ୍ତର ବଢ଼ୁଥିବାରୁ ଅନୁଗୁଳ ଜିଲ୍ଲାର କେତେକ ବ୍ଲକରେ ବନ୍ୟା ସ୍ଥିତି ଉପୁଜିଛି । ମହାନଦୀରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ସାତକୋଶିଆ ଅଭୟାରଣ୍ୟରେ ଥିବା ଟିକରପଡ଼ା, ମଝିପଡ଼ା, ଗଇନ୍ଦି ଓ ବେହେରା ସାହି ଗାଁ ଗୁଡ଼ିକ ପାଣି ଘେରରେ ରହିଛି ।

ବନ୍ୟା ଘେରରେ ଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବିଶେଷ ଭାବେ ଘାଟସାହି ପ୍ରଭାବିତ ହୋଇଛି । ପ୍ରାୟ ୮୦୦ରୁ ଅଧିକ ଲୋକଙ୍କୁ ରିଲିଫ୍ କ୍ୟାମ୍ପ କରି ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ରାମିମୁଣ୍ଡା, ଗଇଁନ୍ଦି, ବେହରା ସାହିକୁ ଯୋଗାଯୋଗ ବିଛିନ୍ନ ଥିବାରୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି । ନିଜେ ଉପଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ହୀରାକୁଦର କିଛି ଗେଟ୍‌ ବନ୍ଦ କରାଯାଇଥିଲେ ସୁଦ୍ଧା ପାଣିର ମାତ୍ରା କମ୍ ହୋଇନଥିବା ବେଳେ ପାଣିକମିବାକୁ ୩ରୁ ୪ ଦିନ ଲାଗିବ ବୋଲି ଅନୁମାନ କରାଯାଉଛି ।

ସେପଟେ ଆଠମଲ୍ଲିକ ବ୍ଲକର କିଛି ଅଞ୍ଚଳ ମଧ୍ୟ ମହାନଦୀ ବନ୍ୟା ଜଳରେ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆ ଯାଉଛି । ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ଡଙ୍ଗା ମାଧ୍ୟମରେ ଟିକରପଡ଼ାର ଜଳବନ୍ଦୀ ଅଞ୍ଚଳ ଓ ବନ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକରେ ଅସହାୟ ଲୋକ ଓ ପିଲା ମାନଙ୍କୁ ଶୁଖିଲା ଖାଦ୍ୟ, ଛତୁଆ, ବିସ୍କୁଟ ଓ ସାବୁନ ବଣ୍ଟନ କରାଯାଇଛି ।

Leave A Reply

Your email address will not be published.