Latest Odisha News

ନାଳ ଉପରେ ନିର୍ମାଣ ହେଉନି ବ୍ରିଜ୍, ଖଟିଆରେ ବୁହା ହେଉଛନ୍ତି ରୋଗୀ

କାମାକ୍ଷାନଗର: ବର୍ଷା ହେଲେ ଦୁର୍ଦ୍ଦଶା ବଢ଼ୁଛି । ଗାଁକୁ ବିଚ୍ଛିନ୍ନ କରୁଛି ଗୋବରୀ ନାଳ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗୋବରି ଗାଁ ପାଖରେ ରହିଛି ଏହି ନାଳ । ବର୍ଷା ଦିନେ ଏହି ନାଳ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି । ଲଗାଣ ବର୍ଷା ପରେ ନାଳରେ କେତେବେଳେ ଆଣ୍ଠୁଏ ତ ଆଉ କେବେ ଅଣ୍ଟେ ଉଚ୍ଚର ପାଣି ଚାଲୁଛି । ଫଳରେ ଗାଁକୁ ଯିବା ଆସିବା କଷ୍ଟକର ହୋଇ ପଡ଼ୁଛି । ଯଦି କାହା ଦେହ ଖରାପ ହେଲ ତ କଥା ସରିଲା । ଏମିତି ହିଁ ଖଟିଆରେ ରୋଗୀକୁ ଭାର କରି ନାଳ ପାର ହେବାକୁ ପଡ଼ୁଛି ।

ସ୍ୱାଧୀନତାର ଦୀର୍ଘ ୭୬ ବର୍ଷ ପରେ ବି ଗୋବରୀ ଗାଁକୁ ଯିବା ପାଇଁ ପୋଲ ଖଣ୍ଡିଏ ନିର୍ମାଣ ହୋଇ ପାରିନି । ଏବେ ଲଗାଣ ବର୍ଷା ହେଉଥିବା ବେଳେ ନାଳରେ ପାଣିର ସୁଅ ରହିଛି । ଗାଁର ତୀର୍ଥ ମହାନ୍ତଙ୍କ ସ୍ତ୍ରୀ ମମତା ମହାନ୍ତ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଆମ୍ବୁଲାନ୍ସ ଆସି ନାଳ ସେପଟେ ଅଟକି ରହିଥିଲା । ଘର ଲୋକ ଏକ ଖଟିଆ ସାହାଯ୍ୟରେ ଅସୁସ୍ଥ ମମତାଙ୍କୁ ନାଳ ପାରି କରି ଆମ୍ବୁଲାନ୍ସ ପାଖକୁ ନେଇ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ବର୍ଷ ବର୍ଷ ଧରି ଗୋବରୀ ଗାଁ ଲୋକେ ନାଳ ପାଣିରେ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି । ଏ ନେଇ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ । କିନ୍ତୁ ଏଯାଏ ପୋଲଟିଏ ନିର୍ମାଣ ହୋଇ ପାରିନାହିଁ । ତୁରନ୍ତ ଗୋବରୀ ନାଳ ଉପରେ ବ୍ରିଜ୍ ଟିଏ ନିର୍ମାଣ ପାଇଁ ଦାବି ହେଉଛି ।

Leave A Reply

Your email address will not be published.