ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟବର୍ତୀକାଳୀନ କୋଚ ଦାୟିତ୍ୱ ପ୍ରଦାନ କରିଛି । ପୂର୍ବରୁ ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଥିଲେ । ଏସିଆ କପ କ୍ରିକେଟରେ ଦଳର ପ୍ରସ୍ତୁତିରେ ଯେପରି କୌଣସି ବାଧା ସୃଷ୍ଟି ହେବନି ସେ ନେଇ ବୋର୍ଡ ଲକ୍ଷ୍ମଣଙ୍କୁ ଦୁବାଇ ପଠାଇବା ବ୍ୟବସ୍ଥା କରିଛି । ଦ୍ରାବିଡ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହେବା ପର୍ଯ୍ୟନ୍ତ ଲକ୍ଷ୍ମଣ ଏହି ଦାୟିତ୍ୱ ତୁଲାଇବେ । ଏବେ ନିକଟରେ ଆୟର୍ଲାଣ୍ଡ ଓ ଜିମ୍ବାୱେ ବିପକ୍ଷ ସିରିଜରେ ଲକ୍ଷ୍ମଣ ମୂଖ୍ୟ କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ଏସିଆ କପରେ ଦୀର୍ଘ ଦିନ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତ ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଦ୍ରାବିଡଙ୍କୁ ଜିମ୍ବାୱେ ଗସ୍ତରେ ବିଶ୍ରାମ ଦିଆ ଯାଇଥିଲା । ଏସିଆ କପ ପାଇଁ କଡା କରୋନା କଟକଣାର ବ୍ୟବସ୍ଥା କରାଯାଇ ନାହିଁ । ପୂର୍ବରୁ ଦ୍ରାବିଡଙ୍କ ସ୍ଥାନରେ ଲକ୍ଷ୍ମଣଙ୍କ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯିବା ନେଇ ପୂର୍ବାନୁମାନ କରାଯାଇଥିଲା ।
ଟିମ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀପକ ହୁଦା,ଦୀନେଶ କାର୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜଭେନ୍ଦ୍ର ଚହଲ, ରବି ବିଶ୍ନୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଆଭେଶ ଖାଁ । ରିଜର୍ଭ ଖେଳାଳି: ଶ୍ରେୟାଶ ଆୟାର, ଅକ୍ଷର ପଟେଲ ଓ ଦୀପକ ଚହର ।
Comments are closed.