ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ର ବିଶେଷ ଆକର୍ଷଣ ହେଲା ନୀଳଚକ୍ର। ଯେତିକି ବିଶାଳ ଏହାର କଳେବର, ସେତିକି ଭୀଷଣ ଏହାର ରୂପ କାନ୍ତି। କାରଣ ଏହାର ରୂପ ସର୍ବଦା ନିଜ ରଙ୍ଗ ପରିବର୍ତ୍ତନ କରୁଥାଏ। ପ୍ରକୃତରେ ଏହା ନୀଳ ବର୍ଣ୍ଣ କିନ୍ତୁ ସୂର୍ଯ୍ୟଙ୍କ ତେଜରେ ଉତ୍ତପ୍ତ ଲୁହା ଭଳି ଲାଲ ରଙ୍ଗ ଧାରଣ କରେ। କେତେ ବେଳେ ନୀଳରୁ ଗାଢ଼ ନୀଳ ହୁଏ ଅବା ଉଦିତ ସୂର୍ଯ୍ୟଙ୍କ କଅଁଳ ରଶ୍ମିରେ ଏହା ଦେଖାଯାଏ ସମ୍ପୂର୍ଣ ଶ୍ୱେତବର୍ଣ୍ଣ । ସେହିଭଳି ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ ରଙ୍ଗ ପ୍ରତିବିମ୍ବିତ ହୋଇ ହୁଏ ନୀଳ ଲୋହିତ ରଙ୍ଗ। ବିଶାଳ ଆକାର ଓ ବିଚିତ୍ର ବର୍ଣ୍ଣାଳୀରୁ ଅନୁଭବ ହୁଏ ଚକ୍ରରାଜ ଅତ୍ୟନ୍ତ ସୁନ୍ଦର ଓ ଭୟଙ୍କର, ଶାସ୍ତ୍ର କହେ ଉଗ୍ରଂ ସୌମ୍ୟଂ ପ୍ରଶାନ୍ତଂ ମଣିମୟ ମୁକୁଟଂ କୋଟିବାଳାର୍କକାନ୍ତିଂ । ଅର୍ଥାତ ଭୟଙ୍କର ଅଥଚ ସୁନ୍ଦର ଗମ୍ଭୀର, ସମସ୍ତ ମଣିମାନଙ୍କ ଶିରୋମଣି ଓ କୋଟି ଉଦିତ ସୂର୍ଯ୍ୟଙ୍କ କାନ୍ତି ସଦୃଶ୍ୟ ତେଜୀୟାନ ସ୍ୱୟଂ ଚକ୍ର ରୂପୀ ନାରାୟଣ କୁହାଯାଏ ।
ବର୍ତ୍ତମାନ ଦୃଶ୍ୟ ହେଉଥିବା ନୀଳଚକ୍ର ୧୭୧୩ ଖ୍ରୀଷ୍ଟାବ୍ଦ ରେ ଗଜପତି ଦିବ୍ୟସିଂହ ଦେବ (ପ୍ରଥମ )ଙ୍କ ରାଜ୍ୱତ୍ୱ ସମୟରେ ରାଜଗୁରୁ ଭାନୁଦେବଙ୍କ ନିର୍ଦ୍ଦେଶରେ ସ୍ଥାପନା କରାଯାଇଥିଲା। ଏହାର ଓଜନ ୫୫ ମହଣ ବା ୨୨ କ୍ଵିଣ୍ଟାଲରୁ ଟିକିଏ ଅଧିକ ଅଟେ। ଅଷ୍ଠ ଧାତୁ ନିର୍ମିତ୍ତ ଏହି ଚକ୍ର ନିଜ ଓଜନର ଅଧା ଲୁହା, ପାଏ ତମ୍ବା ଓ ବାକି ପାଏ ସୁନା, ରୁପା, ରଙ୍ଗ, ଦସ୍ତl, ସୀସା ଓ ପରି ଛଅ ଗୋଟି ଧାତୁର ମିଶ୍ରଣରେ ନିର୍ମିତ୍ତ, ଏହାର ଉଚ୍ଚତା ୧୧ ଫୁଟ 8ଇଞ୍ଚ, ବ୍ୟାସ ୭ ଫୁଟ 6ଇଞ୍ଚ, ଏଥିରେ ଦୁଇଟି ପରିଧି ଅଛି, ବାହ୍ୟ ପରିଧି ୩୬ ଫୁଟ ଓ ଅନ୍ତଃ ପରିଧି ୧୦ ଫୁଟ, ଏହି ପରିଧି ଫଳକର ବେଧ ୨ ଇଞ୍ଚ, ଓସାର ୯ ଇଞ୍ଚ ନୀଳଚକ୍ରର କେନ୍ଦ୍ରରେ ଥିବା ବୃତ୍ତାକାର କ୍ଷେତ୍ରର ବ୍ୟାସ ୨ ଫୁଟ ୨ ,୧ /୨ (ଅଢେଇ ) ଇଞ୍ଚ ଏଥିରେ ଆଠ ଗୋଟି ଅର ଅଛି। ପ୍ରତ୍ୟେକ ଅରର ଲମ୍ବ ୧ ଫୁଟ ୧୦ ଇଞ୍ଚ। ତେଣୁ ଏହି ବିଶାଳ ଚକ୍ରରାଜ ସତରେ ଖୁବ ବିସ୍ମୟକର ଓ ଶ୍ରୀମନ୍ଦିରର ବାସ୍ତବ ରକ୍ଷାକାରୀ ଓ ସ୍ୱତନ୍ତ୍ର। ସେହିପରି ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ଚୂଡ଼ାରେ ଶୋଭା ପାଉଥିବା ପିନାକ ଧନୁ ମଧ୍ୟ ସ୍ୱତନ୍ତ୍ର। କାରଣ ସାଧାରଣ ଭାବେ ତ୍ରିଶୂଳ ବା ଚକ୍ର ନହୋଇ ଏହି ଦୁଇ ମନ୍ଦିରରେ ହର ଓ ହରିଙ୍କ ଆୟୁଧ ଶୋଭା ପାଉଛି। ଆଗାମୀ ଅଧ୍ୟାୟରେ ଜାଣିବା କିଛି ଐତିହାସିକ ତଥ୍ୟ ଓ ନୀଳଚକ୍ର ଦର୍ଶନ ବିଧି ଇତ୍ୟାଦି। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।
“ସେ ବ୍ରହ୍ମ ଲୋକ ଉର୍ଦ୍ଦ୍ୱ ଦେଶେ
ସହସ୍ର ସୂର୍ଯ୍ୟ ପ୍ରାୟେ ଦିଶେ।
କିବା କହିବା ତାର ଗତି
ମୋର ଭକତେ ଯହିଁ ଥାନ୍ତି ।
ଭକତି ଯୋଗ ବଳେ ମୋତେ
ଚିନ୍ତା କରନ୍ତି ଅବିରତେ।
ମୁଁ ଯେଣୁ ବୈକୁଣ୍ଠ ଠାକୁର
ତେଣୁ ବୈକୁଣ୍ଠ ନାମ ତାର ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.