ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସ୍ତୋତ୍ର ଓ ମଂତ୍ର ଉଚ୍ଚାରଣ
ଅଖଂଡ ନାମ ସଂକୀର୍ତନ
ବାଗ୍ମୀଂକ ଓଜସ୍ବୀ ଭାଷଣ
ଏ ସବୁ ଶୁଣେ ଆମ କାନ
ଜନଗୋଷ୍ଠୀରେ ପ୍ରବଚନ
ପାଲାରେ ଧ୍ବନି ଓ ଗାୟନ
ଲୋକଂକ କଥୋପକଥନ
ସବୁ ଶୁଣେ ଆମର କାନ
ହାଟେ ବଜାରେ ଗଂଡଗୋଳ
ଜୁଆ ଆଡ୍ଡାରେ କଳରୋଳ
ମଦ ଭାଟିର ଆଳାପନ
ଶୁଣିଥାଏ ଆମର କାନ
ଶିଶୁର ଦରୋଟି ବଚନ
ବୀରବରର ଆସ୍ଫାଳନ
ଧର୍ମଗ୍ରଂଥର ପାରାୟଣ
ସବୁ ଶୁଣେ ଲୋକଂକ କାନ
ବିଦ୍ରୋହୀ ନେତାର ଗର୍ଜନ
କବିର ସ୍ମୃତି ରୋମଂଥନ
ବ୍ୟବସାୟୀର ବିଜ୍ଞାପନ
ଭାଟର ମଧୁର କଥନ
ଏ ସବୁ ଶୁଣେ ଆମ କାନ
ଶବ୍ଦ ଓ ଢଂଗ ଭିନ୍ନ ଭିନ୍ନ
ହେଲେ ବି ଭାଷା ତ ସମାନ
ତାତ୍ପର୍ଯ କରଂତି ଧାରଣ
ଭାଷା ମାତ୍ରକେ ମହାରଣ୍ୟ
ଗଛ, ପାଦପ, ବୁଦା, ତୃଣ
କରଂତି ସେଠି ଅବସ୍ଥାନ
ଏକ ଆରେକଠାରୁ ଭିନ୍ନ
ପ୍ରତି ବ୍ୟକ୍ତିର ଉଚ୍ଚାରଣ
ସତରେ ଯେହେତୁ ଅନନ୍ୟ
ତୁଳନା ନୁହେ ସମୀଚୀନ
କେଉଁଟି ଉନ୍ନତ କି ନ୍ୟୂନ
କାନରେ ଲାଗିନାହିଁ ପତା
ଶୁଣିବା ପରେ ଯେତେ କଥା
ତତ୍କାଳ ଘଟେ ବିସ୍ମରଣ
ସ୍ମୃତିକୋଷରେ ନାହିଁ ସ୍ଥାନ
ମନେ ରଖି ଓ ଭୁଲି ଯାଇ
ସ୍ବଭାଷା ପାରିଲେ ଚଳାଇ
ଘଟିବ ଭାଷାର ଉତ୍ଥାନ
ଆଶଂକାମୁକ୍ତ ହେବ ମନ