ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ହ ୟ-ଫଳା ଯୁକ୍ତ ହେଲେ ହ୍ୟ
କିଆଁ କହଂତି ଏହାକୁ ଝ୍ୟ
ଅସହ୍ୟ ବଦଳେ ଅସଝ୍ୟ
କହିଲେ ଧ୍ବନି ବିପର୍ଯୟ
ଘଟୁଛି ଏଠି ପ୍ରତିଦିନ
ଅଥଚ ସଭିଏଁ ମଉନ
ଭିନ୍ନ ନ କହି, କହୁଁ ଭିର୍ନ
ଏହା ଆମ ଲୋକଂକ ଗୁଣ
ସଂସ୍କାର, ଶୃଂଖଳା ବିରାଗୀ
ଲୋକେ ସ୍ବେଚ୍ଛାରେ ଭାଷାତ୍ୟାଗୀ
ହେବାରୁ ଏବେ ଏହି ଭାଷା
ଭୋଗୁଛି ଅସହ୍ୟ ଦୁର୍ଦଶା
ଏପରି ଆତ୍ମପ୍ରତାରଣା
ଅନ୍ୟତ୍ର ପଡ଼େନାହିଁ ଜଣା
ପ୍ରଥା, ରୀତିର ସଂରକ୍ଷକ
ହୁଅଂତି ବିକାଶ ବାଧକ
ଯେତେ ବି ଅଛଂତି ଲେଖକ
ତହିଁରୁ ଅଳପ ପାଠକ
ଥିଲେ ବି ନାହିଁ କାହା ଚିଂତା
ଲାଗିରହିଛି ଅବ୍ୟବସ୍ଥା
ପୁନରୁକ୍ତି-ପୂରିତ ବାଣୀ
ଅସଂଖ୍ୟ ଥର ଲୋକେ ଶୁଣି
ପାରଂତିନାହିଁ ମୋଟେ ଜାଣି
ସତ, କି କଳ୍ପିତ କାହାଣୀ
ସାହିତ୍ୟ ପରିସୀମା ଟପି
ଭାଷା ପାରୁନି ଯେଣୁ ବ୍ୟାପି
କ୍ରମଶଃ କମୁଛି ଆଦର
ହେଉନି ବେଶି ବ୍ୟବହାର
ଏହାର ସ୍ପଷ୍ଟ ପ୍ରତିକାର
ଦାୟିତ୍ବ ଅଟଇ କାହାର
ତାହା ବି ପଡୁନାହିଁ ଜଣା
ସ୍ବଭାଷା ଏବେ ବାଟବଣା
ବହୁସ୍ତରୀୟ ପ୍ରଚଳନ
ବିନା ଭାଷାର ଉନ୍ନୟନ
କେବଳ କପଟ ଘୋଷଣା
ଏହା ତ ଅନେକଂକୁ ଜଣା
ତେବେ ବି ନିଷ୍ଠାମିଶା ଶ୍ରମ
କରିବା ପାଇଁ ନୋହୁଁ କ୍ଷମ
ଅନ୍ୟ ମଥାରେ ଲଦି ଦୋଷ
ପାଉଛୁଁ କ୍ଷଣିକ ସଂତୋଷ
ଅନ୍ୟକୁ କରୁଥିଲେ ଦାୟୀ
କିଛି ବି କରିହୁଏନାହିଁ
ଚାଲେ ଅଶେଷ ଆଲୋଚନା
ଭାଷାର ଦୁର୍ଦଶା କମେନା
Comments are closed.