ଶ୍ରୀଗୁଣ୍ଡିଚା
ପ୍ରମୀଳା ଶତପଥୀ
ରଥାରୁଢ ଜଗନ୍ନାଥ
ଏକ ଅଖ୍ୟାତ ପଲ୍ଲୀର
ଦ୍ୱିତୀୟା ଆକାଶରେ
ଉଇ ଉଠିଲା ପୂର୍ଣ୍ଣମୀର ଚାନ୍ଦ।
କଁଅଳ କାନ୍ଦ, ପତ୍ରଦେହରୁ
ଝରିପଡିଲା ଆଷାଢର
ଠୋପାଠୋପା ସ୍ନେହ,
ପାଖ ଗାଁ ପବନ ଦେହରେ
ଦୋଳି ଖେଳୁଥିଲା ଶଙ୍ଖହୁଳହୁଳି।
ଏପଟେ ନାହିନାଡ,
ସେ ପଟେ ରଥର ଦଉଡ଼ି,
‘ଭଲଦିନରେ ଜନ୍ମହୋଇଛି ଝିଅ’
ନିଖରି ଉଠିଲା କିଆକେନ୍ଦାର ହସ,
କରଞ୍ଜ ଫୁଲର ବାସ,
ଖଜୁରୀକୋଳିର ରଙ୍ଗ ।
ଥୁକ୍ ଥୁକ୍ ପାଦ,
ପ୍ରକୃତିର ବିଚିତ୍ର ବୈଭବ,
ନରମ ଆଖିରେ ଜିଜ୍ଞାସାର ଶୀତ,
‘ମୁଁ କିଏ? କୋଉଠୁ ଆସିଲି?
କିଏ ଆଙ୍କିଦେଲା ମୋ ଭିତରେ
ମୁଁ ଥିବାର ବିମ୍ବିତ ବିସ୍ମୟ??
ନିରୁତ୍ତର ପ୍ରଶ୍ନଙ୍କୁ କାନରେ ଖୋସି
କୁନିଝିଅ ଧୂଳିରେ ମାଜିହେଲା କଳାରଙ୍ଗ ଦିହ,
ଟୁବୀଗଡିଆରୁ ଗୋଟେଇଆଣିଲା ଶାମୁକା,
ନଈରକାନିରୁ ଶିଉଳିପତର,
ଛନ୍ ଛନ୍ ଦୂବମଥାରୁ ଶିଶିରର ଗୀତ,
କଙ୍କିର କନ୍ କନ୍ ଉଡାଣରୁ
ସ୍ୱପ୍ନ ସରୋବର,
ଆକାଶର ଗଭୀରତାରୁ ଭାବର ନୈବେଦ୍ୟ ।
ଛାଇର ଛାତିରେ ଠୁକ୍ ଠୁକ୍
ନାଚୁଥିଲାବେଳେ
ଘରଭିତରୁ ବାମ୍ଫିଉଠିଲା
ବୁକୁଫଟା କାନ୍ଦ,
କୁନିଝିଅର କୁନିମୁଠିରୁ ଖସିଗଲା
ଏକ ଚିତ୍ରର ଅଙ୍ଗୁଳି,
ଆକାଶ ଦେହରେ ଆକାଶ ହୋଇଗଲା
ଗୋଟେ ଗାଁର ପରିଚୟ।
ରଥାରୁଢ ଜଗନ୍ନାଥ,
ପିତୃହରାର ଅର୍କ୍ଷିତ ଅଭିଳାଷ,
ସେଇଦିନୁ ଟିକିଝିଅ
ଆଷାଢର ଓଦାମାଟି ହୋଇଗଲା,
ହୋଇଗଲା ଏକ କାନ୍ଦର କବିତା ।
Comments are closed.