ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ରବ କାଢ଼ିଲେ ବଳ କ୍ଷୟ
ନିରବେ କରିହୁଏ ଜୟ
କଥା ଶୁଣି କହିଲେ କଥା
ଅସ୍ଥିର ବକ୍ତା ଆଉ ଶ୍ରୋତା
ଯାହା କରିବ ଭାବ ମନେ
କାହାକୁ କହନାହିଁ ଦିନେ
ଯାହା କରିସାରିଛ, କହ
ଏହି ସଂସାରେ ସୁଖେ ରହ
ଉଦ୍ଦେଶ୍ୟ, ଯୋଜନା ଘୋଷଣା
କରିବା ପାଇଁ କଲେ ମନା
କାମ ହୋଇବ ଦ୍ରୁତତର
ସର୍ବେ ପାଇବେ ଉପକାର
କଥା ହିଁ କାମର ବଇରି
ତାକୁ ପାରିଲେ ଦୂର କରି
ତୁଂଡକୁ ମିଳିବ ବିଶ୍ରାମ
ମୁଂଡ କରିବ ପରିଶ୍ରମ
ଟାଣ ପଥର କାଟି ହାତ
ମୂର୍ତିଟେ କରିଲେ ନିର୍ମିତ
ରହିବ ତାହା ବହୁ ଦିନ
ସହଜେ ହେବନି ନିଶ୍ଚିହ୍ନ
ଓଦା ମାଟି ଚକଟି ହାତ
ରୂପକୁ କଲେ ମୂର୍ତିମଂତ
ପୂଜିତ ହେବ କେତେ ଦିନ
ତା’ପରେ ହେବ ବିସର୍ଜନ
କୀର୍ତନ ଆଉ ପ୍ରବଚନ
ଯେତେ ଶୁଣିଲେ ସୁଦ୍ଧା କାନ
ସ୍ମୃତିରେ ରଖେନାହିଁ ମନ
କ୍ରମଶଃ ହୁଏ ବିସ୍ମରଣ
ଲୋକଂକ ଏପରି ଅଭ୍ୟାସ
କରିହୁଏନି କେବେ ନାଶ
ତେଣୁ ଏ ଲୋକରୁଚି ବୁଝି
କାମରେ ରହିଥାଉଁ ମଜ୍ଜି
Comments are closed.