Latest Odisha News

BREAKING NEWS

ଠକ ମହାକାଶଚାରୀ ଜାପାନୀ ମହିଳାଙ୍କଠାରୁ ଲୁଟିନେଲେ ୨୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜାପାନୀ ମହିଳାଙ୍କ ସହିତ ହେଲା ରୋମାନ୍ସ ସ୍କାମ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଠକ ମହାକାଶଚାରୀ ଜାପାନୀ ମହିଳାଙ୍କଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା। ନିଜକୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ କାର୍ଯ୍ୟ କରୁଥିବା ଋଷର ମହାକାଶଚାରୀ କହି ୨୪.୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଛି। ଟିଭି ଆସହି ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣଙ୍କ ନିଜକୁ ମହାକାଶଚାରୀ କହି ୬୫ ବର୍ଷିୟ ମହିଳାଙ୍କୁ ପୃଥିବୀରେ ଆସି ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ଟଙ୍କା ମାଗିଥିଲା।

ସୂଚନାନୁସାରେ ଶିଗାରେ ରହୁଥିବା ଏହି ମହିଳା ଜୁନ୍ ମାସରେ ଇନଷ୍ଟାଗ୍ରାମରେ ନକଲି ମହାକାଶଚାରୀଙ୍କୁ ଭେଟିଥିଲେ। ରିପୋର୍ଟରେ କୁହାଯାଇଛି ଯେ ବ୍ୟକ୍ତିଙ୍କ ପ୍ରୋଫାଇଲରେ ସ୍ପେସ୍ ର ଫଟୋଗ୍ରାଫ୍ ରହିଥିଲା ଏବଂ ସେ ସ୍ପେସ୍ ଷ୍ଟେସନରେ କାମ କରୁଛନ୍ତି ବୋଲି ମହିଳାଙ୍କୁ ମିଛ କହି ଆସୁଥିଲେ। ଉଭୟ ମେସେଜ ମାଧ୍ୟମରେ ପରସ୍ପର ସହ କଥା ହେବା ଆରମ୍ଭ କଲେ ଏବଂ ଜାପାନିଜ ମେସେଜିଂ ଆପ୍ଲିକେସନ୍ ମାଧ୍ୟମରେ ଯୋଗାଯୋଗ କରୁଥିଲେ। ଏତିକି ଭିତରେ ଉକ୍ତ ଠକ ବ୍ୟକ୍ତି ଜଣକ ମହିଳାଙ୍କୁ ପ୍ରମ କରୁଛନ୍ତି ବୋଲି କହିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏହି ଠକ ବ୍ୟକ୍ତି ମହିଳାଙ୍କୁ କହିଥିଲେ ଯେ ସେ ପୃଥିବୀରେ ଫେରି ବିବାହ କରିବା ପାଇଁ ତାଙ୍କୁ ଟଙ୍କା ଦରକାର। ଜାପାନକୁ ନେଇ ଯାଉଥିବା ରକେଟ୍ ପାଇଁ ଲ୍ୟାଣ୍ଡିଂ ଫି ଦେବାକୁ ପଡିବ।

ମହିଳା ଜଣକ ଉକ୍ତ ଠକ କଥାରେ ରାଜି ହୋଇ ଟଙ୍କା ପଠାଇ ଦେଲେ। ୟୋମିଉରୀ ଶିମ୍ବୁନଙ୍କ ଅନୁଯାୟୀ, ସେ ଅଗଷ୍ଟ ୧୯ ତାରିଖରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ପାଞ୍ଚଟି କିସ୍ତିରେ ମୋଟ ୪.୪ ନିୟୁତ ୟେନ୍ ବା ୨୪.୮ ଲକ୍ଷ ଟଙ୍କା ସ୍ଥାନାନ୍ତର କରିଛନ୍ତି। ଏପରି ଦିନ ପରେ ଦିନ ଗଡିଚାଲିଲା। ବ୍ୟକ୍ତିଜଣକ ଯେତେବେଳେ ଅଧିକ ଟଙ୍କା ମାଗିବା ଆରମ୍ଭ କଲେ ସେତେବେଳେ ମହିଳାଙ୍କୁ ସନ୍ଦେହ ହେଲା। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଉକ୍ତ ମାମଲାକୁ ଆନ୍ତର୍ଜାତୀୟ ରୋମାନ୍ସ ସ୍କାମ ବୋଲି କୁହାଯାଉଛି। ମାମଲାକୁ ନେଇ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରାଯାଇଛି।

Comments are closed.