Latest Odisha News

ଟଏଲେଟ ସହ ଯୋଡି ଦିଆଗଲା ହ୍ୟାଣ୍ଡ ୱାଶ୍ ବେସିନ୍, ଫଟୋ ଭାଇରାଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମୟ ଯେତେ ଗଡୁଛି ଆଗାମୀ ଭବିଷ୍ୟତ ଏକ ଭଲ ଏବଂ ସ୍ଥାୟୀ ଦିଗକୁ ଗତି କରିବାକୁ ଚେଷ୍ଟା କରୁଛି। ବସ୍ତୁକୁ ପ୍ରଭାବଶାଳୀ ଏବଂ ଦକ୍ଷ ଉପଯୋଗକୁ ବଢାଇବା ପାଇଁ ଅନେକ ଉଦ୍ଭାବନ ଏବଂ ଆବିଷ୍କାର କରାଯାଉଛି। ଆପଣ ନିଶ୍ଚିତ ଭାବୁଥିବେ ହଠାତ୍ କାହିଁକି ଆମେ ଏ ବିଷୟରେ ଆଲୋଚନା କରୁଛୁ। ଏହାର କାରଣ ହେଉଛି ଇଣ୍ଟରନେଟରେ ଫଟୋ ଭାଇରାଲ ହେଉଛି ଯେଉଁଠି ଏକ ଶୌଚାଳୟ ସହ ହ୍ୟାଣ୍ଡ ୱାଶ ବେସିନ୍ ବା ସିଙ୍କ୍ ଯୋଡି ହୋଇ ରହିଛି। ଯାହାକୁ ଦେଖି ସୋସିଆଲ ମିଡିଆରେ ଏକ ଅଦ୍ଭୁତ ଶୌଚାଳୟ ନାଁରେ ଚର୍ଚ୍ଚା ଚାଲିଛି।

ସୂଚନା ଅନୁସାରେ ସୋସିଆଲ ମିଡିଆ ଟୁଇଟରରେ ଏହି ଫଟୋ ସେୟାର କରାଯାଇଛି। ଉକ୍ତ ଶୌଚାଳୟଟି ଜାପାନରେ ତିଆରି କରାଯାଇଛି। ଫଟୋ ଅନୁଯାୟୀ ଏକ ବିଦେଶୀ ଶୌଚାଳୟର ଫ୍ଲସ ଟ୍ୟାଙ୍କି ସହ ହାତ ଧୋଇବା ବେସିନକୁ ଯୋଡି ଦିଆଯାଇଛି। ଏପରି ଡିଜାଇନ କରିବାର କାରଣ ହେଉଛି ଜଳ ସଂରକ୍ଷଣ କରିବା। ଯେବେଳେ ଜଣେ ବ୍ୟକ୍ତି ବେସିନରେ ହାତ ଧୋଇବେ ସେହି ପାଣି ନଷ୍ଟ ନହୋଇ ଶୌଚାଳୟ ପାଇଁ ବ୍ୟବହାର ହୋଇପାରିବ।

ପୋଷ୍ଟର କ୍ୟାପସନରେ ଲେଖାଯାଇଛି ଯେ, “ଅନେକ ଜାପାନୀ ଶୌଚାଳୟରେ ଏକ ହ୍ୟାଣ୍ଡ୍ ୱାଶ୍ ସିଙ୍କ୍ ସଂଲଗ୍ନ ହୋଇଛି ଯାହା ଦ୍ୱାରା ଆପଣ ହାତ ଧୋଇ ଏହି ଜଳକୁ ପୁନର୍ବାର ବ୍ୟବହାର କରିପାରିବେ। ଜାପାନ ପ୍ରତିବର୍ଷ ଲକ୍ଷାଧିକ ଲିଟର ଜଳ ସଞ୍ଚୟ କରିଥାଏ।” ଏହି ପୋଷ୍ଟରେ ଏକ ଲକ୍ଷରୁ ଅଧିକ ଲାଇକ୍ ମିଳିଛି ଏବଂ ଏହି ପୋଷ୍ଟରେ ଅନେକ ମନ୍ତବ୍ୟ ମଧ୍ୟ ଦିଆଯାଉଛି। କିଛି ଲୋକ ଏହି ଉଦ୍ଭାବନକୁ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ଦେଖି ନାପସନ୍ଦ ମଧ୍ୟ କରିଛନ୍ତି।

Comments are closed.