ପ୍ରିୟମ୍ବଦା ସାମଲ 
ଶ୍ରୀମୁଖକୁ ସତେ ଚାହିଁ ଯେ ପାରୁନି
ଲାଜେ ହେଉଅଛି ଘାରି
ପତିତ ହୋଇଣ କେତେ ପାପ କରେ
ଧୋଇ ଦିଅ ବଂଶୀଧାରୀ।
ତୁମେ ଅନ୍ତର୍ଯ୍ୟାମୀ ସର୍ବ ବିଦ୍ୟମାନ
ତୁମେ ଦୟାର ସାଗର
ପାତକ ମନରେ ଢାଳୁଥାଅ ସଦା
ପିୟୁଷର ଦିବ୍ୟଝର।
କ୍ରୋଧକୁ ହୃଦୟେ ସ୍ଥାପନ କରିଲେ
ସମ୍ପର୍କରେ ଆସେ ଫାଟ
ଅଭିମାନ କରି ଅପମାନ ଦେଲେ
ଦୂରତ୍ଵର ହୁଏ ଭେଟ।
ସର୍ବ ଦୋଷ ଭୁଲି କ୍ଷମା ଆଚରିଲେ
ପ୍ରାଣୀ ଦୋଷ ନକରଇ
ଦଣ୍ଡ ଦେବା ଶକ୍ତି ଯା ନିକଟେ ଥାଇ
ସେ ସିନା କ୍ଷମା ଦିଅଇ।
କ୍ଷମା ଅବତାର ହେ ହୃଦୟେଶ୍ୱର
କ୍ଷମା କର ସର୍ବ ଦୋଷ
ତୁମ ବିନା କାହିଁ ସ୍ଥିତି ମୁକ୍ତି ନାହିଁ
ଆରମ୍ଭ ତୁମଠି ଶେଷ।
ଭୁବନେଶ୍ୱର
Comments are closed.