ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…
୨୦୧୦ରେ ଅମୀର୍ ଖାନ୍ ଅଭିନୀତ ପିପ୍ଲି ଲାଇଭ୍ ନାମକ ଏକ ହିନ୍ଦି ଚଳଚ୍ଚିତ୍ର ଆସିଥିଲା । ଯାହାର କାହାଣୀର ମୂଖ୍ୟ ଭାଗରେ ଥିଲା ଚାଷୀ ଆତ୍ମହତ୍ୟା ଓ ତାହାକୁ ସ୍ୱୀକାର ନକରିବାର ସରକାରଙ୍କ ନିର୍ଲ୍ଲଜ ପ୍ରୟାସ । ସେତେବେଳେ ବହୁଚର୍ଚ୍ଚିତ ହୋଇଥିଲା ଚଳଚ୍ଚିତ୍ରଟି । ଇତିମଧ୍ୟରେ ବାର ବର୍ଷ ବିତି ଯାଇଛି । ସେହି ଚଳଚ୍ଚିତ୍ରର କାହାଣୀ ପାଖରେ ଚାଷୀ ଆତ୍ମହତ୍ୟା ଅଟକି ଯାଇନାହିଁ କିମ୍ବା ସରକାରଙ୍କ ଚାଷୀ ଆତ୍ମହତ୍ୟାକୁ ଅସ୍ୱୀକାର କରିବାର ଗାଲୁଆମୀ ବି ବନ୍ଦ ହୋଇନାହିଁ । କୃଷି ପ୍ରଧାନ
କୁହାଯାଉଥିବା ଆମ ଦେଶରେ ଚାଷୀ ଆତ୍ମହତ୍ୟା ଆହୁରି ବଢ଼ିଛି ଓ ସରକାର ମଧ୍ୟ ପୂର୍ବ ତୁଳନାରେ ଅଧିକ ଉଦାସୀନ ହୋଇଛନ୍ତି ଏଭଳି ଏକ ବିପତ୍ତି ପ୍ରତି । ବିଶିଷ୍ଟ ଲେଖକ ଓ ସାମ୍ବାଦିକ ପି. ସାଇନାଥଙ୍କ ମତରେ ଚାଷୀ ଆତ୍ମହତ୍ୟା କେବଳ ଏକ ଆର୍ଥିକ ପ୍ରସଙ୍ଗ ନୁହେଁ, ଏହା ଆମ ସଭ୍ୟତାକୁ ଏକ ପ୍ରଶ୍ନ । ଆମେ ଏପରି ଏକ ସମାଜରେ ବାସ କରୁଛେ, ଯେଉଁଠି ଆମକୁ ଖାଇବାକୁ ଦେଉଥିବା ଲୋକ ଜୀବନ ବୋଝ ବୋହି ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି! ପି. ସାଇନାଥ୍ଙ୍କ ଏହି ପ୍ରଶ୍ନ ଆଜି ବି ଆମକୁ ଲଜ୍ଜିତ କରୁନି । ଏହା ଆଜିର ସମୟର ସବୁଠାରୁ ବଡ଼ ଦୁର୍ଭାଗ୍ୟ । ସରକାର ଆହୁରି ପାଦେ ଆଗକୁ ଯାଇ ଚାଷୀ ଆତ୍ମହତ୍ୟାକୁ ଆଦୌ ସ୍ୱୀକାର ବି କରୁନାହାନ୍ତି । ନେତା ମନ୍ତ୍ରୀମାନେ ଆତ୍ମହତ୍ୟା କରିଥିବା ଚାଷୀ ବିଷୟରେ ଅନେକ ଅରୁଚିକର ମନ୍ତବ୍ୟ ଦେବାକୁ ବି ପଛାଉ ନାହାନ୍ତି । କୌଣସି ସମସ୍ୟାକୁ ଗ୍ରହଣ କଲେ ସିନା ସମସ୍ୟାର ସମାଧାନର ରାସ୍ତା ବାହାରି ପାରିବ । କିନ୍ତୁ ସମସ୍ୟାକୁ ଗ୍ରହଣ ନକଲେ ସମସ୍ୟା ବଢ଼ିବ ପଛେ କମିବ ନାହିଁ, ଯାହା ବର୍ତ୍ତମାନ ଚାଷୀ ଆତ୍ମହତ୍ୟା କ୍ଷେତ୍ରରେ ଦେଖାଯାଉଛି ।
ଆମ ଦେଶରେ ପଞ୍ଜାବର ଚାଷ ଓ ଚାଷୀଙ୍କୁ ସବୁଠାରୁ ସମୃଦ୍ଧ ଭାବେ ଗଣନା କରାଯାଏ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଚାଷୀ ଆତ୍ମହତ୍ୟା କ୍ଷେତ୍ରରେ ବି ପଞ୍ଜାବ ବହୁତ ଆଗରେ ଅଛି । ଏହା ଆମ ସରକାରଙ୍କ ଚାଷ ନୀତି ଓ ଚାଷୀ କଲ୍ୟାଣ ଯୋଜନାର ସୁଫଳକୁ ସୂଚାଉଛି । ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା ପଞ୍ଜାବରେ ଚାଷୀ ଆତ୍ମହତ୍ୟା ଉପରେ କରାଯାଇଥିବା ଏକ ଅଧ୍ୟୟନର ପରିସଂଖ୍ୟାନ ଉପରେ ସଂସଦରେ ସାଂସଦ ସୁରେଶ ଦାନୋର୍କାଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍ ଚାଷୀ ଆତ୍ମହତ୍ୟାର ପରିସଂଖ୍ୟାନକୁ ବାଏଁ ବାଏଁ ଉଡ଼େଇ ଦେଇଛନ୍ତି । ପଞ୍ଜାବ୍ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଅନୁସାରେ ଚାଷୀ ଆତ୍ମହତ୍ୟାର ପରିସଂଖ୍ୟାନ ଓ କେନ୍ଦ୍ର ସରକାରଙ୍କର ନ୍ୟାସ୍ନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋର ଚାଷୀ ଆତ୍ମହତ୍ୟା ତଥ୍ୟର ପରିସଂଖ୍ୟାନ ଭିତରେ ଅନେକ ଫରକ୍ ରହୁଛି ।
ଘଟଣାର ଗମ୍ଭୀରତାକୁ ନବୁଝି ବିଜେପି ସାଂସଦ ନିଶିକାନ୍ତ ଦୁବେ ଅତ୍ୟନ୍ତ ଅପରିପକ୍ୱ ବୟାନ ଦେଇ କହିଛନ୍ତି ଯେ, ମୋଦି କ୍ଷମତାକୁ ଆସିବା ପରଠାରୁ ଭାରତରେ ଆଦୌ ବି ଚାଷୀ ଆତ୍ମହତ୍ୟା ହୋଇନାହିଁ । ତାହେଲେ ପଞ୍ଜାବ ସରକାରଙ୍କ ପୃଷ୍ଠପୋଷକତାରେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟୟନର ତଥ୍ୟ ଯାହା କହୁଛି ତାହା କ’ଣ? ଏହି ଅଧ୍ୟୟନ ତ କୌଣସି ଘରୋଇ ସଂସ୍ଥା କରିନାହାନ୍ତି । ଆମ ଦେଶର ଗୋଟିଏ ସରକାରୀ ବିଶ୍ୱବିଦ୍ୟାଳୟର ତଥ୍ୟ ଇଏ । ଏପରି ବାସ୍ତବତାକୁ ଜାଣି ଜାଣି ଏଡ଼େଇ ଯାଉଥିବା ନେତାମାନଙ୍କର ଚାଷ ଓ ପ୍ରତି ଥିବା ମନୋଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି ।
ପଞ୍ଜାବରେ ଚାଷୀ ଆତ୍ମହତ୍ୟା ଉପରେ ପଞ୍ଜାବ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଓ ନ୍ୟାସ୍ନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋର ଅଧ୍ୟୟନ ଭିତରେ ଏକାଧିକ ମୌଳିକ ପାର୍ଥକ୍ୟ ଅଛି । ଏନ.ସି.ଆର.ବି.ର ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ଅନେକ ମୌଳିକ ତ୍ରୁଟି ରହିଛି, ଯାହା ଫଳରେ ଚାଷୀ ଆତ୍ମହତ୍ୟାର ପରିସଂଖ୍ୟାନ କମ୍ ଦେଖାଯାଉଛି । ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଅନୁସାରେ ୨୦୦୦ରୁ ୨୦୧୮ ମଧ୍ୟରେ ପଞ୍ଜାବର ୬ଟି ଜିଲ୍ଲାରେ ୯୨୯୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏନ୍.ସି.ଆର.ବି.ର ରିପୋର୍ଟ ଅନୁସାରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ସମଗ୍ର ରାଜ୍ୟରେ ଏହି ସମୟ ସୀମା ମଧ୍ୟରେ ମାତ୍ର ୧୮୦୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଅନୁସାରେ ୨୦୧୪ରେ ପଞ୍ଜାବର ୬ଟି ଜିଲ୍ଲାରେ ୪୭୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ, ୨୦୧୫ରେ ୫୩୭ ଜଣ, ୨୦୧୬ରେ ୨୮୮ ଜଣ, ୨୦୧୭ରେ ୩୦୮ ଜଣ ଓ ୨୦୧୮ରେ ୩୯୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏନ୍.ସି.ଆର.ବି. ତଥ୍ୟ ଅନୁସାରେ ସମଗ୍ର ପଞ୍ଜାବରେ ୨୦୧୪ରେ ମାତ୍ର ୬୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୨୦୧୫ରେ ୧୦୦ ଜଣ, ୨୦୧୬ରେ ୨୩୨ ଜଣ, ୨୦୧୭ରେ ୨୪୩ ଜଣ ଓ ୨୦୧୮ରେ ୨୨୯ ଜଣ ଚାଷୀ ଆତ୍ମହତ୍ୟା କରଛନ୍ତି । ଉଭୟ ଅଧ୍ୟୟନର ତଥ୍ୟ ସଂଗ୍ରହର ପ୍ରକ୍ରିୟାରେ ଥିବା ପ୍ରଭେଦକୁ ବୁଝିଗଲେ ଜାଣି ହୋଇଯିବ, କେଉଁଥି ପାଇଁ ଏନ.ସି.ଆର.ବି.ର ତଥ୍ୟରେ ଚାଷୀ ଆତ୍ମହତ୍ୟାର ସଂଖ୍ୟା କମ୍ ଦେଖାଯାଉଛି ତଥା ସତ୍ୟର ନିକଟବର୍ତ୍ତୀ ନୁହେଁ । ପଞ୍ଜାବ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏକ ବିସ୍ତୃତ ପ୍ରଶ୍ନପତ୍ର ମାଧ୍ୟମରେ ଆତ୍ମହତ୍ୟା କରିଥିବା ପରିବାର ସହିତ ଆଲୋଚନା କରାଯାଇଥିଲା ।
ଆତ୍ମହତ୍ୟାର ଭିନ୍ନ ଭିନ୍ନ କାରଣ ସଂପର୍କରେ ପରିବାର ସଦସ୍ୟମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ପ୍ରଶ୍ନ ଉତ୍ତର ହୋଇଥିଲା । ଗାଁ’ର ମୂଖିଆ ଓ ସରପଞ୍ଚ ବି ଏହି ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ଓ ତଥ୍ୟର ସତ୍ୟାସତ୍ୟକୁ ନେଇ ଭିନ୍ନ ଭିନ୍ନ ସ୍ତରରେ ଯାଞ୍ଚ କରାଯାଇଥିଲା । ଏତଦ୍ବ୍ୟତୀତ ସେହି ସମାନ ୬ଟି ଜିଲ୍ଲାରେ
କୃଷି ଶ୍ରମିକଙ୍କ ଆତ୍ମହତ୍ୟାକୁ ନେଇ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ ମଧ୍ୟ ଏକ ଅଲଗା ଅଧ୍ୟୟନ କରିଥିଲା । ସେହି ଅଧ୍ୟୟନ ଅନୁସାରେ ୨୦୦୦ରୁ ୨୦୧୮ ମଧ୍ୟରେ ପଞ୍ଜାବର ୬ଟି ଜିଲ୍ଲାରେ ୭୩୦୩ ଜଣ କୃଷି ଶ୍ରମିକ ଆତ୍ମହତ୍ୟା ମାଧ୍ୟମରେ ନିଜ ଜୀବନ ହାରିଛନ୍ତି । ଅର୍ଥାତ୍ ପଞ୍ଜାବର ୬ଟି ଜିଲ୍ଲାରେ ସମୁଦାୟ ୧୬୫୯୪ଜଣ କୃଷି ସଂକଟ ଯୋଗୁ ଆତ୍ମହତ୍ୟା କରିଛନ୍ତି ।
ପ୍ରଥମତଃ ଏନ.ସି.ଆର.ବି. କେବଳ ଥାନା ରେକର୍ଡ଼ରୁ ଆତ୍ମହତ୍ୟାର ପରିସଂଖ୍ୟାନ ସଂଗ୍ରହ କରିଛି । କିନ୍ତୁ ଆମ ଦେଶରେ ଭିନ୍ନ ଭିନ୍ନ ସାମାଜିକ ଓ ସାଂସ୍କୃତିକ କାରଣରୁ ଅନେକ ଆତ୍ମହତ୍ୟାର ତଥ୍ୟ ଥାନା ରେକର୍ଡ଼କୁ ଆସିପାରେ ନାହିଁ । ଭିନ୍ନ ଭିନ୍ନ କାରଣରୁ ଆତ୍ମହତ୍ୟା କରିଥିବା ଲୋକର ପରିବାର ଆତ୍ମହତ୍ୟା ବିଷୟରେ ଥ।।ନାରେ ଜଣାଇନଥାନ୍ତି । ଏପରିକି ଅଧିକାଂଶ କ୍ଷେତ୍ରରେ ପୋଲିସ୍ର ବ୍ୟବହାର ଲୋକମାନଙ୍କ ପ୍ରତି ଏପରି ହୋଇଥାଏ ଯେ, ପରିବାର ଲୋକ ଆଦୌ ବି ଥାନାକୁ ଆସିବାକୁ ଚାହାଁନ୍ତି ନାହିଁ । ତେଣୁ ଅଧିକାଂଶ ପରିବାର ଲୋକ ଥାନାକୁ ନଆସି ନିଜ ଗାଁ’ରେ ଶବ ସଂସ୍କାର କରିଥାନ୍ତି । ଏପରି କ୍ଷେତ୍ରରେ ଏନ.ସି.ଆର.ବି.କୁ ସମସ୍ତ ତଥ୍ୟ ନମିଳିବା ସ୍ୱଭାବିକ । ଏତଦ୍ବ୍ୟତୀତ ‘ଚାଷୀ’ର ସଂଜ୍ଞାକୁ ନେଇ ଭିନ୍ନ ଭିନ୍ନ ଅବଧାରଣା ଥିବାରୁ ଅନେକ ଆତ୍ମହତ୍ୟାକୁ ଏନ.ସି.ଆର.ବି. ଚାଷୀ ଆତ୍ମହତ୍ୟା ଭାବେ ମାନେ ନାହିଁ । କୃଷି ଶ୍ରମିକକୁ ବା ଭାଗ ଚାଷୀଙ୍କୁ ବି ଏହା ଚାଷୀର ମାନ୍ୟତା ଦିଏ ନାହିଁ । ଏନ.ସି.ଆର.ବି. ଚାଷ କରୁଥିବା ମହିଳାମାନଙ୍କୁ ମଧ୍ୟ ଚାଷୀରେ ଗଣେ ନାହିଁ ।
କେନ୍ଦ୍ର ସରକାର ମଧ୍ୟ ଠିକ୍ ଏକାପରି ଭାବନ୍ତି । ଆମ ଦେଶରେ ମହିଳାମାନଙ୍କୁ ଚାଷୀରେ ଗଣାଯାଏ ନାହିଁ । ତେଣୁ ମହିଳା ଚାଷୀ ଆତ୍ମହତ୍ୟାକୁ ଏନ.ସି.ଆର.ବି. ଚାଷୀ ଆତ୍ମହତ୍ୟା ରୁପେ ଗଣନା କରୁନାହିଁ । ତେଣୁ ଏନ୍.ସି.ଆର.ବି.ର ଅଧ୍ୟୟନରେ ଚାଷୀ ଆତ୍ମହତ୍ୟାର ଅସଲ ସଂଖ୍ୟା ଜଣାପଡ଼ୁନାହିଁ । ଏହାର ସୁଯୋଗ ନେଇ କୃଷିମନ୍ତ୍ରୀ ସାରା ଦେଶକୁ ବିଭ୍ରାନ୍ତି କରିବାରେ ଲାଗିଛନ୍ତି ଓ ହଜାର ହଜାର ସଂଖ୍ୟାରେ ଚାଷୀ ଆତ୍ମହତ୍ୟା ସତ୍ତ୍ୱେ ବି କେନ୍ଦ୍ର ସରକାର ଚାଷୀମାନଙ୍କୁ ମିଛ ଗୋଲାପି ଚିତ୍ର ଦେଖାଉଛନ୍ତି । ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଅଧ୍ୟୟନ ମାତ୍ର ୬ ଟି ଜିଲ୍ଲାର ୨୪୦୦ ଗାଁ’ର ଅବସ୍ଥାକୁ ବର୍ଣ୍ଣନା କରୁଛି । ୨୦୧୧ ଜନଗଣନା ଅନୁସାରେ ପଞ୍ଜାବର ସମୁଦାୟ ଗାଁ’ ସଂଖ୍ୟା ୧୨୫୮୧ । ଯଦି ଦଶ ବର୍ଷ ମଧ୍ୟରେ ୨୪୦୦ ଗାଁ’ରେ ୯୨୯୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି, ତେବେ ସମୁଦାୟ
୧୨୫୮୧ଟି ଗାଁ’ରେ ଏହି ସଂଖ୍ୟା କେତେ ହେବ ଅନୁମାନ କରାଯାଇପାରେ । ଏହା ନିଶ୍ଚିତ ଭାବେ କେବଳ ପଞ୍ଜାବର କାହାଣୀ ନୁହେଁ । ସମଗ୍ର ଭାରତ ବର୍ଷର କାହାଣୀ ଇଏ ।
ପଞ୍ଜାବ ହେଉଛି ଆମ ଦେଶର ସବୁଠାରୁ କୃଷି ସମୃଦ୍ଧ ରାଜ୍ୟ । ପଞ୍ଜାବର ଯଦି ଏପରି ଅବସ୍ଥା ତେବେ ଆମ ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକର ଅବସ୍ଥା କଣ ହୋଇଥିବ ତାହା ସହଜେ ଅନୁମେୟ । ଆମ ଦେଶର କୃଷି ସଂକଟକୁ ବୟାନ କରିବା ପାଇଁ ଏହି ତଥ୍ୟ କଣ ଯଥେଷ୍ଟ ନୁହେଁ! ଏପରି ପରିସ୍ଥିତିରେ ରୋଗକୁ
ଅଣଦେଖା ନକରି ତୁରନ୍ତ ଚିକିତ୍ସା କରିବା ପରି ଆତ୍ମହତ୍ୟାର ବାସ୍ତବତାକୁ ସ୍ୱୀକାର କରି ଚାଷ ଓ ଚାଷୀଙ୍କ କଲ୍ୟାଣ ପାଇଁ ସରକାର ତୃଣମୂଳ ସ୍ତରରୁ କାମ ଆରମ୍ଭ କରିବା ଉଚିତ୍ ।
ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪
Comments are closed.