Latest Odisha News

ଷ୍ଟ୍ରେଚରରେ ମର ଶରୀରକୁ ନେବା ଘଟଣା, ଜବାବ ରଖିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ବର:  ଶୀତ ରାତିରେ ମା’ର ଶବକୁ ଷ୍ଟ୍ରେଚରରେ ବୋହି ନେଉଥିବା ମଣିଷର ଦୁଃଖ ବାସ୍ତବରେ ହୃଦୟ ବିଦାରକ ଏବଂ ଏହା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଭ୍ରାଟ ଆଡ଼କୁ ଇଙ୍ଗିତ କରୁଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମା’ର ଶବକୁ ଷ୍ଟ୍ରେଚରରେ ବୋହି ନେଉଥିବାର ଚିତ୍ର ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ହସ୍ପିଟାଲରେ ଗତକାଲ ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ତାଙ୍କୁ ଛାଡ଼ିବା ପାଇଁ ମହାପ୍ରୟାଣ ଗାଡ଼ି ବାଣପୁର ଯାଇଥିଲା। ସେଠାରୁ ଫେରିବାକୁ ସମୟ ଲଗିଲା। ଏଥିପାଇଁ ମୃତକଙ୍କ ପୁଅ କାହାର କଥା ନଶୁଣି ଷ୍ଟ୍ରେଚରେ ଭିଡ଼ି ତାଙ୍କ ମାଙ୍କ ମର ଶରୀରକୁ ନେଇଥିଲେ। ତାଙ୍କ ମା ଙ୍କ ମୃତ୍ୟୁ ରାତି ପ୍ରାୟ ୯.୩୦ ରେ ହୋଇଛି। ଯେହେତୁ ଗୋଟିଏ ମାତ୍ର ମହାପ୍ରୟାଣ ଗାଡ଼ି କ୍ୟାପିଟାଲ ହସ୍ପିଟାଲରେ ରହିଛି ତେଣୁ ଏପରି ବିଳମ୍ବ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏବେ ଆଉ ଏକ ମହାପ୍ରୟାଣ ଗାଡ଼ିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବୋଲଗଡ଼ର ଡୁଙ୍ଗରପଡା ଅଞ୍ଚଳର ମାନସ ରଞ୍ଜନ ତାଙ୍କ ୮୨ ବର୍ଷୀୟ ମା ବାଥରୁମରେ ପଡ଼ି ଆହତ ହେବା ପରେ ଭୁବନେଶ୍ୱର ଏମ୍ସକୁ ଆଣିଥିଲେ। ଏମ୍ସରେ ତାଙ୍କୁ ବ୍ରେନ୍ ହେମରେଜ ହୋଇଥିବା ଜଣାପଡ଼ିଥିଲା। ବେଡ୍ ନଥିବାରୁ ଏମ୍ସ ପକ୍ଷରୁ ବୃଦ୍ଧାଙ୍କୁ କଟକ ଏସସିବି ମେଡିକାଲକୁ ରେଫର କରାଯାଇଥିଲା। କିନ୍ତୁ ମାନସ ତାଙ୍କ ମା’ଙ୍କୁ ଏସସିବିକୁ ନେଇ ପାରିନଥିଲେ ଏବଂ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ମାନସଙ୍କ ପାଖରେ ସମ୍ବଳ ନଥିଲା ଯେ ସେ ନିଜ ଗାଁକୁ ଆମ୍ବୁଲାନ୍ସ କରି ଭଡ଼ାରେ ନେବାରେ ସକ୍ଷମ ନଥିଲେ ବୋଲି କହିଥିଲେ। ତେଣୁ ରାଜ୍ୟ ସରକାରଙ୍କ ମହାପ୍ରୟାଣ ଯୋଜନାରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ମାନସ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆମ୍ବୁଲାନ୍ସ ଭଡ଼ାରେ ନେବାକୁ କହିଥିଲେ ବୋଲି ଅଭିଯୋଗ କରିଛନ୍ତି। ତେଣୁ ସେ ତାଙ୍କ ମା’ଙ୍କୁ ଷ୍ଟ୍ରେଚରରେ ଗାଁକୁ ନେବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି।

Comments are closed.