Latest Odisha News

BREAKING NEWS

ନବ ଓ ରଣେନ୍ଦ୍ରଙ୍କୁ ବାଣ ମାରିଲେ ଧର୍ମେନ୍ଦ୍ର, ଜବାବ ରଖିଲେ ସସ୍ମିତ

ଭୁବନେଶ୍ୱର: ପଦ୍ନପୁର ଉପନିର୍ବାଚନକୁ ନେଇ ଶାସକ ଦଳ ବିଜେଡିକୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଦ୍ମପୁରବାସୀଙ୍କ ସମସ୍ୟା ନେଇ ରାଜ୍ୟ ବିଜେପି ଲୋକଙ୍କ ପାଖକୁ ଯାଉଛି। ଆମେ ଯାହା କରିବୁ ତାହା କରିବୁ ମିଛ ପ୍ରତିଶ୍ରୁତି ଦେବୁ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ନାଁ ନନେଇ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଯାହାର ଜବାବ ମଧ୍ୟ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବରଗଡ଼ରେ ଧାନ କିଣା ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଏଠାରେ ଧାନ କିଣା ଯାଇପାରୁନାହିଁ । ଫସଲ ବୀମା ହେଉ ଅବା ଇନପଟ ସବସିଡି ଦିଆଯାଇପାରି ନାହିଁ। ଯୁବକ ମାନେ ଦାଦନ ଖଟିବାକୁ ଯାଉଛନ୍ତି। ଏଗୁଡିକ ଏବେ ପଦ୍ମପୁରରେ ନିର୍ବାଚନ ପ୍ରସଙ୍ଗ। ଶାସକ ଦଳ କେବଳ ସରକାରୀ ବଳ, ଧନ ବଳରେ ନିର୍ବାଚନ ଲଢୁଛନ୍ତି।

ପଦ୍ମପୁର ହେଉଛି ସ୍ୱାଭିମାନୀ ଓ ସଂଗ୍ରାମୀଙ୍କ ମାଟି । ସେହି ଅଞ୍ଚଳରେ ଶହୀଦ ମାଧୋ ସିଂହ ଅନ୍ୟାୟର ପ୍ରତିବାଦ କରିଥିଲେ । ନିଜର ହକକୁ ଲଢେଇ କରି ହାସଲ କରିବାର ପରମ୍ପରାର ମାଟି ହେଉଛି ପଦ୍ମପୁର । ଆଜି କିନ୍ତୁ ସେହି ଅଞ୍ଚଳର ଯୁବକମାନେ ବାହରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । 22 ବର୍ଷର ଲମ୍ବା ଶାସନରେ ରହିବା ପରେ ମଧ୍ୟ ସେଠାରେ ଚିକିତ୍ସା ସେବା ବିପର୍ଯ୍ୟସ୍ତ । ସେଭଳି ମାଟିରେ ପ୍ରବଞ୍ଚନା ଚାଲିବ ନାହିଁ । ପଦ୍ମପୁର ଭଳି ମାଟିରେ ଲୋକ ନିର୍ବାଚନ ଲଢୁଛନ୍ତି ଓ ଏହି ଉପନିର୍ବାଚନରେ ଲୋକମାନେ ଉଚିତ୍ ଜବାବ ଦେବେ। ଏପରି କହିବା ସହିତ ବିଜେଡି ପାଇଁ ପ୍ରଚାର କରୁଥିବା ଦୁଇ ମନ୍ତ୍ରୀଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

 

ସେ କହିଛନ୍ତି, ପାଇକମାଳରେ ସ୍ବାସ୍ଥ୍ୟମନ୍ତ୍ରୀ ପଇସା ମୁଣି ଧରି ବୁଲୁଛନ୍ତି । ଲୋକମାନଙ୍କ ଚିକିତ୍ସା ପାଇଁ ତାଙ୍କର ଦାୟିତ୍ୱ ନାହିଁ। ସେହିପରି କୃଷି ମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଯାଇ ସେ କହିଛନ୍ତି, ଜଣେ ମନ୍ତ୍ରୀ ଆଠଗଡ଼ରେ ଗରିବ ଚାଷୀଙ୍କ ସମବାୟ ପଇସାକୁ ହରିଲୁଟ କରିଛନ୍ତି। ପରିବାର ସହ ମିଶି ହରିଲୁଟ କରିଛନ୍ତି। ତାଙ୍କ ବଂଶଜ ମାନେ ଦାଦାଗିରି କରୁଥିବାରୁ ପୋଲିସ ଜେଲରେ ଭର୍ତ୍ତି କରିଛି । ସେମାନେ ପଶ୍ଚିମ ଓଡିଶାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହି ଦୁର୍ନୀତିର ପର୍ଦ୍ଦାଫାଶ ହେବ।

ଏହାର ଜବାବ ରଖିବାକୁ ଯାଇ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିଛି ବିଜେପି। ୨୦୧୪ ରେ ସରକାରକୁ ଆସିଲେ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣ ହେବ, ଚାଷୀଙ୍କ ଆୟାକୁ ଦୁଇ ଗୁଣିତ କରିବାକୁ ପ୍ରତିଶୃତି ଦେଇଥିଲା ବିଜେପି । କିନ୍ତୁ ସେମିତି କିଛି ଏଯାବତ କଲାନାହିଁ।

ବଳକା ଚାଉଳ ଉଠାଇବା ଦାୟିତ୍ୱ କେନ୍ଦ୍ରର, କିନ୍ତୁ ନେଉନି। ମୁଖ୍ୟମନ୍ତ୍ରୀ ଇନପୁଟ ସବସିଡି ଘୋଷଣା କଲେ ହେଲେ ବିଜେପି ନିର୍ବାଚନ କମିଶନକୁ ଭେଟି ଆଚରଣ ଵିଧି ଉଲଂଘନ ହେଉଥୁବା କହି ଏହାକୁ ବନ୍ଦ କରିଦେଲେ। ହେଲେ ନିର୍ବାଚନ ଯେଉଁ ଦିନ ସରିବ ଆମେ ପ୍ରତିଶୃତି ଦେଉଛୁ ଏହାର ପର ଦିନ ଇନପୁଟ ସବସିଡି ଚାଷୀଙ୍କୁ ମିଳିବ। ଏହା ବିଜେଡିର ପ୍ରତିଶୃତି ବୋଲି ସେ କହିଛନ୍ତି।

Comments are closed.