Latest Odisha News

BREAKING NEWS

ଭୁବନେଶ୍ୱରରେ ‘ରୋଜଗାର ମେଳା’ରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ୩୮୪ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଭୁବନେଶ୍ୱରରେ ‘ରୋଜଗାର ମେଳା’ରେ ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି କେନ୍ଦ୍ରମନ୍ତ୍ରୀ। ନବନିଯୁକ୍ତ ଯୁବକ ଯୁବତୀମାନେ କର୍ମକ୍ଷେତ୍ରରେ ଦାୟିତ୍ୱ ଏବଂ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କଲେ ସମାଜରେ ପରିବର୍ତ୍ତନ ଆସିବ ବୋଲି ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ନିଯୁକ୍ତିପତ୍ର ପାଇଥିବା ଯୁବକ ଯୁବତୀମାନେ ଆସାମ ରାଇଫଲ୍ସ, ଏମ୍ସ ଭୁବନେଶ୍ୱର, ବିଏସଫ, ସିଆଇଏସଏଫ, ରେଳ, ଇଏସଆଇସି,  ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ, ଆଇଆଇଟି ଭୁବନେଶ୍ୱର, ଇନକମ ଟ୍ୟାକ୍ସ, ଆଇଟିବିପି, ଡାକ ବିଭାଗ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସଶସ୍ତ୍ର ସୀମା ବଳ ଓ ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହରେ କାମ କରିବାର ସୁଯୋଗ ପାଇଛନ୍ତି । ଆଜିର ନିଯୁକ୍ତି ମାଧ୍ୟମରେ ୧୩୦ କୋଟି ଭାରତୀୟଙ୍କ ସେବା କରିବା ଭଳି ଗୁରୁ ଦାୟିତ୍ୱ ଯୁବସାଥୀଙ୍କ ହାତରେ ନ୍ୟସ୍ତ କରାଯାଇଛି । ଚାକିରି ନୁହେଁ ବରଂ ଭାରତୀୟଙ୍କ ସେବା କରିବାର ସୌଭାଗ୍ୟ ପାଇଛନ୍ତି ।

ରୋଜଗାର ମେଳା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଅକ୍ଟୋବର ୨୨ ତାରିଖ ଦିନ ୧୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ଏହି ଦିନ ପ୍ରଥମ ପର୍ଯ୍ୟାୟରେ ଦେଶର କୋଣ ଅନୁକୋଣରେ ୭୫,୦୦୦ ଯୁବକଯୁବତୀଙ୍କୁ ଏକକାଳୀନ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଆଜି ମଧ୍ୟ ଅନୁରୂପ ଭାବରେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୪୫ଟି ସ୍ଥାନରେ ୭୧,୦୦୦  ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ଏହାସହ ନୂଆ ନିଯୁକ୍ତିଧାରୀଙ୍କୁ ଅନଲାଇନରେ ଓରିଏନଟେସନ କୋର୍ସ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ‘କର୍ମଯୋଗୀ ପ୍ରାରମ୍ଭ ମୋଡ୍ୟୁଲ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି ।  ଦେଶରେ ଆତ୍ମନିଯୁକ୍ତି  ସ୍ୱରୋଜଗାରର ନୀତିଗତ ନିଷ୍ପତି ମୋଦି ସରକାର ନେଇଥିବା କାରଣରୁ ଗବେଷଣା, ନବସୃଜନ ଓ ଉଦ୍ୟମିତାର ନୂଆ ବାତାବରଣ ତିଆରି ହୋଇଛି ।

ରୋଜଗାର ମେଳାର ପ୍ରଥମ ପର୍ଯ୍ୟାୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ରାଜ୍ୟର ୨୩୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।

Comments are closed.