ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶିକ୍ଷା ଓ ଶାସନ, ସଂସ୍କାର
ବେପାର, ଧର୍ମ ଓ ପ୍ରଚାର
କଳହ, ବିବାଦ, ବିଚାର
ସବୁଠି ଭାଷା ଦରକାର
ପିଲା, ଯୁବକ ଆଉ ବୁଢ଼ା
ସଭିଂକୁ ଭାଷା ପଡ଼େ ଲୋଡ଼ା
ସଂସାରେ ନିର୍ଭାଷୀ ଜୀବନ
ଯାପନ କରେ କେଉଁ ଜନ ?
ଭାଷା ବ୍ୟତୀତ ଦିନରାତି
କେହି କି ସତରେ ବିତାଂତି ?
‘ ନା ‘ ହୁଏ ଏହାର ଉତ୍ତର
ଭାଷା ସର୍ବଦା ଦରକାର
ଏ ସବୁ ହେଲେ ସୁଦ୍ଧା ସତ
ବହୁ ଭାଷା ଅବହେଳିତ
ବିଶ୍ବରେ ହୁଅଂତି କିପାଇଁ ?
ଉତ୍ତର ଆଦୌ ଜଣା ନାହିଁ
ଯେଉଁଟି ଯାହା ମାତୃଭାଷା
ସେ ଯଦି ନ କରେ ଭରସା
କିଏ କ’ଣ କରିବ ଆଶା ?
ବଢ଼ିବ ଆହୁରି ଦୁର୍ଦଶା
ସ୍ବଭାଷା ନ କହି, ନ ଲେଖି
ଦେଖାଇଲେ ବି ବଡ଼ଲୋକି
ତାହା କି ନୁହେ ନିରର୍ଥକ ?
ବୁଝଂତିନାହିଁ ବହୁ ଲୋକ
ଦୁର୍ବଳ ଭାଷା ପଡ଼େ ଟଳି
କେବେ ପଡ଼ିବ କାହା ପାଳି
ତାହା ଯେହେତୁ ଜଣା ନାହିଁ
ସତର୍କ ହେବାନି କିପାଇଁ ?
Comments are closed.