Latest Odisha News

BREAKING NEWS

ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍ ର ଚତୁର୍ଥ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର: ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ସମ୍ମାନୀତ କରିବାର ଚିରାଚରିତ ପରମ୍ପରାକୁ ନେଇ ପୁନଃଶ୍ଚ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍ ର ଚତୁର୍ଥ ସଂସ୍କରଣ ଚଳିତ ମାସ ୨୦ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ହୋଟେଲ୍ କ୍ରାଉନଠାରେ ଆୟୋଜନ କରାଯାଇଥିଲା । ଯଦିଓ ପ୍ରତିବର୍ଷ ଜୁନ୍ ମାସରେ ଫାଦର୍ସ୍ ଡେ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ, କିନ୍ତୁ ଚଳିତ ବର୍ଷ ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ ଫନୀର ତାଣ୍ଡବ ଯୋଗୁଁ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଏହି ପୁରସ୍କାର ବିତରଣ ସମାରୋହକୁ ଏକ ମାସ ବିଳମ୍ବରେ ଆୟୋଜନ କରାଯାଇଥିଲା । ସାରା ଓଡିଶା ରାଜ୍ୟରେ ଏହିପରି ସମାରୋହ ପ୍ରଥମ ଯେଉଁଠି ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ସମ୍ମାନୀତ କରାଯାଇଥାଏ ।

ସମ୍ମାନୀତ ଅତିଥି ଲୋକସଭାର ମାନ୍ୟବର ସାଂସଦ ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଏବଂ ସ୍ୱତନ୍ତ୍ର ଅତିଥି, କୋଲକାତାରେ ଅବସ୍ଥାପିତ ଚୀନର ବାଣିଜ୍ୟିକ ଦୂତାବାସ ଅଧିକାରୀ  ଝା ଲିଓଙ୍କ ଗୌରବମୟ ଉପସ୍ଥିତିରେ ମୁଖ୍ୟ ଅତିଥି ରାଜ୍ୟସଭାର ମାନ୍ୟବର ସାଂସଦ ତଥା ପଦ୍ମ ବିଭୂଷଣ ଉପାଧିରେ ସମ୍ମାନୀତ ଡଃ ସୋନାଲ ମାନସିଂହ ଏହି ପୁରସ୍କାର ବିତରଣ ସମାରୋହକୁ ଉଦ୍ଘାଟନ କରିଥିଲେ ।

ପରିଚୟ ଫାଉଣ୍ଡେସନ୍ କାର୍ଯ୍ୟନିର୍ବାହୀ ଓ କମିଟିର ସଦସ୍ୟ, ଗତବର୍ଷ ସମ୍ମାନୀତ ଖ୍ୟାତିସମ୍ପନ୍ନ, ଲବ୍ଧ ପ୍ରତିଷ୍ଠିତ ତଥା ନିଜ ନିଜ କ୍ଷେତ୍ରରେ ସାମାଜିକ ପ୍ରଭାବ ପକାଇପାରିଥିଲେ ମଧ୍ୟ ଚର୍ଚ୍ଚାରୁ ଦୂରେଇ ରହିଥିବା ପ୍ରତିଭାମାନଙ୍କ ପରାମର୍ଶ କ୍ରମେ ଚଳିତ ବର୍ଷର ପ୍ରତିଭାମାନଙ୍କ ନାମ ସ୍ଥିର କରାଯାଇଥିଲା ।

ପ୍ରସିଦ୍ଧ ଏବଂ ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱରା ଏହି ପୁରସ୍କାର ବିତରଣ ସମାରୋହରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଶିଷ୍ୟ ଶ୍ରୀଯୁକ୍ତ ଦିଗ୍ବିଜୟସିନ୍ ଚୌହାନ ନିଜର ସ୍ମୃତିମଧୁର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ବଂଶୀବାଦନ ଦ୍ୱାରା ଉପସ୍ଥିତ ଜନତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମିସ୍ ଅନିନ୍ଦିତା ଦାସଙ୍କ ଦ୍ୱରା ପରିବେଷିତ ଏକତା ଓ ସମତା ରକ୍ଷା ଭିତିକ ସଙ୍ଗୀତ ଅନେକ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ମିସ୍ ପ୍ରାଚୀତାରାଙ୍କ ଦ୍ୱରା ଗଳ୍ପାଦୃତ କରାଯାଇଥିବା ବେଳେ ଯୁବ ପ୍ରତିଭା ମିସ୍ ଅନୁଷ୍କା କରଙ୍କ ଦ୍ୱାରା ପରିବେଷିତ ସୁମଧୁର ସଙ୍ଗୀତ ଦର୍ଶକମାନଙ୍କ ମଧ୍ୟରେ ଏକ ଉନ୍ମାଦନା ଭରା ପରିବେଷ ସୃଷ୍ଟି କରିଥିଲା ।

କୋଲକାତାରେ ଅବସ୍ଥାପିତ ଚୀନର ବାଣିଜ୍ୟିକ ଦୂତାବାସ ଅଧିକାରୀ  ଝା ଲିଓ ଏହି ଅବସରରେ ଫନୀ କ୍ଷତିଗ୍ରସ୍ତ ଅଂଚଳରେ ମହିଳାମାନଙ୍କର ଆର୍ଥିକ ପ୍ରଗତି ଏବଂ ମହିଳା ସଶକ୍ତିକରଣ ନିମନ୍ତେ ୧.୫ ଲକ୍ଷ ଟଙ୍କାର ଏକ ଚେକ୍ ପରିଚୟ ଫାଉଣ୍ଡେସନ୍କୁ ପ୍ରଦାନ କରିଥିଲେ । ଇତ୍ୟବସରରେ ଫନୀ କ୍ଷତିଗ୍ରସ୍ତ ଅଂଚଳରେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟ କରିଥିବା ଯୁକ୍ତ ରାଜ୍ୟରେ ଥିବା ଓଡିଶା ସମାଜର ସଦସ୍ୟ ଡଃ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ ସମ୍ମାନୀତ କରାଯାଇଥିଲା ।

ଚଳିତ ବର୍ଷର ସମ୍ମାନୀତ ପ୍ରତିଭାମାନେ-

୧. ଜୀବନ ବ୍ୟାପୀ ସାଧନା ପୁରସ୍କାର-  ଅଜୟ ଅଗ୍ରୱାଲ
୨. ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁରସ୍କାର- ଡଃ ନୀଳମାଧବ ରଥ
୩. କଳା ଓ ସଂସ୍କୃତି କ୍ଷେତ୍ରରେ ପୁରସ୍କାର- ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ
ଏନ୍ଆର୍ଓ କ୍ଷେତ୍ରରେ ପୁରସ୍କାର- ମିଷ୍ଟର୍ ଉତମ ତ୍ରିପାଠୀ
୧. ସମାଜସେବା କ୍ଷେତ୍ରରେ ପୁରସ୍କାର-  ମଧୁସୂଦନ ଦାସ ଓ ମିଷ୍ଟର୍ ଧୀରେନ୍ଦ୍ର ଠାକୁର
୨. ଶିକ୍ଷା କ୍ଷେତ୍ରରେ ପୁରସ୍କାର- ଡଃ ସତ୍ୟବ୍ରତ ମୀନକେତନ
୩. ଉଦ୍ୟୋଗ କ୍ଷେତ୍ରରେ ପୁରସ୍କାର-  ପ୍ରଣବ କେ ପାଣି
୪. ସାମ୍ବାଦିକତା କ୍ଷେତ୍ରରେ ପୁରସ୍କାର-  ଶିବ ମହାନ୍ତି
୫. କ୍ରୀଡା କ୍ଷେତ୍ରରେ ପୁରସ୍କାର-  ପ୍ରଭାତ ବରାଳ ଓ ଡଃ ପୀୟୂଷ ରଞ୍ଜନ ରାଉତ
୬. ମନୋରଞ୍ଜନ କ୍ଷେତ୍ରରେ ପୁରସ୍କାର- ଡଃ ଅଭିନାଶ ନନ୍ଦ
୭. ଦୃଶ୍ୟ ଚିତ୍ର ଉତୋଳନ କ୍ଷେତ୍ରରେ ପୁରସ୍କାର-  ମନୋଜ ସାହୁ
୮. ସ୍ୱତନ୍ତ୍ର ପୁରସ୍କାର- ସିଏ ସମୀର କୁମାର ସାମଲ

ଏତଦ୍ ବ୍ୟତୀତ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ ଫନୀର ତାଣ୍ଡବ ପରେ ରାଜ୍ୟକୁ ପୁନରୁଥାନ କରିବା ନିମନ୍ତେ ସହଯୋଗ କରିଥିବା ବ୍ୟକ୍ତିବିଷେଷଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ୟେହ୍ ଫାଉଣ୍ଡେସନ୍ ପକ୍ଷରୁ ଓଡିଶାର ସ୍ୱତନ୍ତ୍ର ରିଲିଫ୍ କମିଶନର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ  ବିଷ୍ଣୁପଦ ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ପ୍ରକାରର ଆୟୋଜନକୁ ନେଇ ନିଜର ଖୁସି ବ୍ୟକ୍ତ ସମୟରେ ପରିଚୟ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସଭାପତି  ରୋଜାଲିନ୍ ପାଟ୍ଟଶାଣୀ କହିଥିଲେ ଯେ ପ୍ରତିବର୍ଷ ଦେଶର କୋଣ ଅନୁକୋଣରେ ଥିବା ବିଶିଷ୍ଟ ପ୍ରତିଭାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ଯାହା ମୋ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ସେମାନେ ସମସ୍ତେ ନିଜ ନିଜ ମଧ୍ୟରେ ପ୍ରେରଣାଦାୟୀ ଅଟନ୍ତି । ମୋ ଦଳର ସଦସ୍ୟମାନେ ଓ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି ଯେଉଁମାନେ ମହିଳା ଓ ବାଳ ସଶକ୍ତିକରଣ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ମୋର ଆଶା ଭବିଷ୍ୟତରେ ଆମେ ଆମର ଶୁଭଚିନ୍ତକଙ୍କ ଆଶାକୁ ପୂରଣ କରିବାରେ ସମର୍ଥ ହେବୁ ।

ଗତ ଦଶନ୍ଧି ହେଲା ପରିଚୟ ଫାଉଣ୍ଡେସନ୍ ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ଓଡିଶା ଓ ନୂଆଦିଲ୍ଲୀରେ ଥିବା ସହରୀ ବସ୍ତିମାନଙ୍କରେ ମହିଳା ଓ ଶିଶୁମାନଙ୍କର ଆର୍ଥିକ ଓ ସାମାଜିକ ପ୍ରଗତି ନିମନ୍ତେ କାର୍ଯ୍ୟ କରିଆସୁଛି । ନିଜର ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ରାଷ୍ଟ୍ରପତି ପୁରସ୍କାର ପ୍ରପ୍ତ ଓ ମିଳିତ ଜାତିସଂଘ ଦ୍ୱାରା ଆଦୃତ ଲାଭ କରିଥିବା ପରିଚୟ ଫାଉଣ୍ଡେସନ ୨୦୧୬ ମସିହାରୁ ଏହି ଶ୍ରୀ ପୁରସ୍କାର ପ୍ରଦାନ କରିଆସୁଅଛି । ୨୦୧୨ ମସିହାରୁ ବିଶ୍ୱ ମାତୃତ୍ୱ ଦିବସ ଅବସରରେ ବିଭିନ୍ନ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ପରିଚୟ ଫାଉଣ୍ଡେସନ ପକ୍ଷରୁ ଆରୟା ପୁରସ୍କାର ପ୍ରଦାନ କରାଯାଉଅଛି । ରାଜ୍ୟରେ ସ୍କୁଲ ଯାଇ ପାରୁନଥିବା ଛାତ୍ରୀମାନଙ୍କ ନିମନ୍ତେ ପରିଚୟ ଫାଉଣ୍ଡେସନ ପକ୍ଷରୁ ନିକଟରେ ଅଳକାନନ୍ଦା ଛାତ୍ରବୃତି ଯୋଜନାର ଶୁଭାରମ୍ଭ କରାଯାଇଛି ।

Leave A Reply

Your email address will not be published.