କୋରାପୁଟ: ବୋରୱେଲ ଭିତରେ ଅଜାଣତରେ ଖସି ଯାଉଛନ୍ତି ଛୋଟ ଛୋଟ ଶିଶୁ । ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ବହୁ ପ୍ରଚେଷ୍ଟା କରାଯାଉଛି। ଉଦ୍ଧାର ପାଇ ବହୁତ ସମୟ ଲାଗିଯାଉଥିବାରୁ ବେଳେ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଅନେକ ସମୟରେ ଏମାନେ ମୃତ୍ୟୁବରଣ କରୁଛନ୍ତି। ଏହି ସମସ୍ୟାର ସମାଧାନ କରିବା ପାଇଁ ଆଗେଇ ଆସିଛନ୍ତି ତିନି ଯୁବ ଇଞ୍ଜିନିୟର । ବୋରୱେଲରେ ଫସି ରହିଥିବା ପିଲାକୁ ବାହାର କରିବା ପାଇଁ ସେମାନେ ତିଆରି କରିଛନ୍ତି ରୋବର୍ଟ । ଏହି ତିନ ଜଣ ଯୁବ ଇଞ୍ଜିନିୟର ନିଜର ଜ୍ଞାନ କୌଶଳ ଓ ଅଭିଜ୍ଞତାକୁ ବ୍ୟବହାର କରି ‘ବୋରୱେଲ ରୋବୋଟିକ୍ ରେସ୍କ୍ୟୁର’ ତିଆରି କରିଛନ୍ତି। ଯାହାକି ଗଭୀର ବୋର ୱେଲ ଭିତରକୁ ଯାଇ ଫସି ରହିଥିବା ପିଲାକୁ ସୁରକ୍ଷିତ ଭାବେ ବାହାର କରିପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି।
ତିନି ଜଣ ଯୁବ ଇଞ୍ଜିନିୟର ହେଉଛନ୍ତି ଶିଶିର ମଲ୍ଲିକ, ବିରେନ୍ କୁମାର ପ୍ରଧାନ ଓ ଲିଙ୍ଗରାଜ ପ୍ରଧାନ। କୋରାପୁଟ ଜିଲ୍ଲା ଜୟପୁର ସହରର ପାରାବେଡାରେ ଶିଶିରଙ୍କ ଘର ହୋଇଥିବା ବେଳେ ବିରେନଙ୍କ ଘର ଗଞ୍ଜାମ ଜିଲ୍ଲା ପ୍ରାତପୁଟ ବ୍ଲକର ବାଦପୁର ଗ୍ରାମ ଓ ଲିଙ୍ଗରାଜଙ୍କ ଘର ଚିକିଟି ବ୍ଲକ କୃଷ୍ଣପୁର ଗ୍ରାମରେ। ତିନି ଜଣ ଛତିଶଗଡ ରାଜ୍ୟର ଏନ୍ଏମ୍ଡିସି ଠାରେ କାମ କରୁଥିଲେ ।
ଚଳିତମାସରେ ମଧ୍ୟପ୍ରଦେଶର ବେଟୁଲ ଜିଲ୍ଲାରେ ୪ ଶହ ଫୁଟ ଗଭୀର ବୋରୱେଲ ଭିତରେ ପଡିଥିବା ୮ ବର୍ଷ ବାଳକ ତନ୍ମୟ ସାହୁକୁ ବଞ୍ଚାଇବାରେ ଉଦ୍ଧାରକାରୀ ଦଳ ବିଫଳ ହୋଇଥିଲେ। ଦୀର୍ଘ ୬୫ ଘଣ୍ଟା ଧରି ଉଦ୍ଧାରକାରୀ ଦଳ ଚେଷ୍ଟା କରି ବାହାର କରିବା ବେଳକୁ ତାର ମୃତ୍ୟୁ ହୋଇ ସାରିଥିଲା। ଏହି ଖବର ଯେତିକି ଦୁଃଖଦ ଥିଲା ଆମ ବ୍ୟବସ୍ଥା ପ୍ରତି ସେତିକି ବିଦ୍ରୁପ କରୁଥିଲା ।
ଏିହ ଘଟଣା ତିନି ସାଙ୍ଗଙ୍କୁ ପ୍ରଭାବିତ କରିଥିଲା । ସେମାନେ ଚିନ୍ତା କରିଥିଲେ କେମିତି ଏହି ସମସ୍ୟାର ସମାଧାନ କରିବେ । ତିନି ଜଣ ଇଲେଟ୍ରିକାଲ ଏଣ୍ଡ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟର ପଢ଼ିଥିବା ବେଳେ ଏକ ନୂତନ କୌଶଳ ବ୍ୟବହାର କରି ଭିତରେ ପଶିଥିବା ପିଲାଙ୍କୁ କେମିତି ବାହାର କରିବେ ସେ ନେଇ ଚେଷ୍ଟା କରିଥିଲେ। ବର୍ତ୍ତମାନ ତିନି ସାଙ୍ଗ ମିଶି ତିଆରି କରିଛନ୍ତି ଏକ ରୋବଟର ଡେମୋ । ଏହି ରୋବଟ୍ ବ୍ୟାଟେରୀ କିମ୍ବା ବିଦ୍ୟୁତ ଦ୍ୱାରା ପରିଚାଳିତ ହୋଇପାରିବ।
ଏହି ବୋରୱେଲ୍ ଉପରେ ଏକ ଲୁହା ଫ୍ରେମ ରଖାଯିବ। ସେଠାରୁ ବୋରୱେଲ ଭିତରକୁ ଏହି ରୋବଟକୁ ଛଡାଯିବ। ଆଇରନ୍ କେବୁଲ ସାହଯ୍ୟରେ ତାହା ଭିରକୁ ଯିବ ଏବଂ ଉପରକୁ ଆସିବ। ଏଥିପାଇଁ ରୋବାଟିକ୍ କଂଣ୍ଟ୍ରୋଲର ରଖାଯିବ ଯଦ୍ବାରା ସେହି ରୋବଟକୁ ସେ ନିୟନ୍ତ୍ରଣ କରିପାରିବ। ଏହାର ପାର୍ଶ୍ବରେ ଉପରେ ୨ଟି ଓ ତଳେ ୨ଟି ଚକ ରହିବ। ଯାହାଫଳରେ ଭିରକୁ ଯିବା ଓ ଆସିବାରେ ସୁବିଧା ହେବ। ତଳକୁ ଯିବା ବେଳେ ଧୀରେ ଧୀରେ ଅକ୍ସିଜେନ ବାହାରକୁ ଛାଡି ଛାଡି ଯିବ।
ପିଲା ନିକଟରେ ପହଞ୍ଚିବା ପରେ କ୍ୟାମେରା ସାହାଯ୍ୟରେ ତାହାକୁ ନିରୀକ୍ଷଣ କରାଯିବ। ସେଥିରେ ୱାଟର ପ୍ରୁଭ ଲାଇଟ୍ ଲାଗିଥିବାରୁ ଭିତରର ଚିତ୍ର ଦେଖାଯାଇପାରିବ। ଏଥିସହ ସେଥିରେ କଥା କହିବା ପାଇଁ ମାଇକ୍ ଓ ସ୍ପିକର ବ୍ୟବସ୍ଥା ରହିଥିବ। ପିଲା ନିକଟରେ ପହଞ୍ଚିବା ପରେ ତଳ ଫ୍ୟାନ ସାହାଯ୍ୟରେ ଅକ୍ସିଜେନ ଯୋଗାଇବ ଓ ଉପର ଫ୍ୟାନ ଦ୍ବାରା ତଳେ ଥିବା ଗ୍ୟାସକୁ ଉପରକୁ ଟାଣି ବାହାର କରିବ।
ସେହି ସମୟରେ ହାଇଡ୍ରୋଲିକ ହ୍ୟାଣ୍ଡ ଦ୍ବାରା ପିଲାକୁ ନିଜର ପୋଜିସନକୁ ଆଣାଯିବ। ଏହାପରେ ସେଥିରେ ଥିବା ଦୁଇଟି ପାଇପକୁ ପିଲାଙ୍କୁ ହାତରେ ଧରିବା ପାଇଁ କୁହାଯିବ । ଯଦିଓ ସେ ସାନ ପିଲା ହୋଇଥିବେ ଜାଣି ନପାରିବେ ତେବେ ହାଇଡ୍ରୋଲିକ୍ କେବୁଲ ସେଥିରୁ ବାହାରି ପିଲାକୁ ଜାବୁଡି ଧରିବାକୁ ଚେଷ୍ଟା କରିବେ। ଏହା ଦ୍ବାରା ଧୀରେ ଧୀରେ ପିଲାକୁ ଉପରକୁ ସୁରକ୍ଷିତ ଭାବେ ଟାଣି ବାହାର କରାଯିବ।
ଏହି ସମସ୍ତ ବ୍ୟବସ୍ଥା କ୍ୟାମେରାରେ ଦେଖି ତାହାକୁ କଣ୍ଟ୍ରୋଲ କରାଯାଉଥିବ ବୋଲି କହିଛନ୍ତି ତିନି ଯୁବ ବୖଜ୍ଞାନିକ । ଏହାକୁ ତିଆରିରେ ହାଇଡ୍ରୋଲିକ ହ୍ୟାଣ୍ଡ୍, ଏଲଇଡି ଲାଇଟ୍, କ୍ୟାମେରା, ସ୍ପିକର, ମାଇକ୍, ଚକ, ଅକ୍ସିଜେନ୍ ଟାଙ୍କି, ଫ୍ୟାନ୍, ଲାପଟପ୍ ଆଦି ବିଭିନ୍ନ ସାମଗ୍ରୀର ଆବାଶ୍ୟକତା ରହିଛି। ଏହାର ଓସାର ପାଖାପାଖି ୮ ଇଞ୍ଚ ଓ ଲମ୍ବା ୨ ଫୁଟ ୬ ଇଞ୍ଚ ରହିବ। ଏହା ୫୦ କିଲୋରୁ ଅଧିକ ଓଜନକୁ ଉଠାଇ ଆଣିପାରିବ। ଏହି ଡେମୋ ତିଆରି ପାଇଁ ୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମ୍ପୂର୍ଣ୍ଣ ଭାବେ ତିଆରି ପାଇଁ ପାଖାପାଖି ୩୦ ହଜାର ଟଙ୍କା ହେବ ବୋଲି ପ୍ରକାଶ କରିଛନ୍ତି। ଏହି ରୋବଟ ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ ମିଳିଲେ ଆହୁରି ଉନ୍ନତମାନର ସାମଗ୍ରୀ ଲଗାଇପାରିବେ ବୋଲି କହିଛନ୍ତି।
Comments are closed.