Latest Odisha News

ମହଙ୍ଗା ପଡ଼ିଲା ଡକାୟତି ନାଟକ, ନିଜ ଜାଲରେ ନିଜେ ପଡ଼ିଲେ ଯୁବକ

ନବରଙ୍ଗପୁର : ଡକାୟତିର ମିଛ କାହାଣୀ ରଚି ଜଣେ ଯୁବକ ଗିରଫ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ନିଳଗୁଣ୍ଡି ଗାଁରେ ଘଟିଛି । ସୁଶାନ୍ତ  ହିୟାଲଙ୍କ ପୁଅ ରୁପନ୍ତ ହିୟାଲ ଦଶହରାପଦା ନିକଟରେ ତିନି ଜଣ ଦୁବୃତ୍ତ ତାଙ୍କ ଠାରୁ ମୋଟର ସାଇକଲ , ମୋବାଇଲ ଫୋନ ସହ ୨୭ ହଜାର ଟଙ୍କା ଡକାୟତି କରି ନେଇଥିବା ନବରଙ୍ଗପୁର ସଦର ଥାନାରେ ଅଭିଯୋଗ କରିଥିଲେ ।

ନିଜ  ସୁନା ବନ୍ଧକ ରଖିଥିବା ଲୋକଙ୍କ ନିକଟକୁ  ସୁନା ମୁକୁଳାଇବା ପାଇଁ ଫୋନରେ ଯୋଗାଯୋଗ କରି ତାଙ୍କ ନିକଟକୁ ଯିବା ସମୟରେ  ଏହି ଡକାୟତି ହୋଇଥିବା ଅଭିଯୋଗ କରିଥିଲେ ରୁପନ୍ତ ।  ତେବେ ପୋଲିସ ତଦନ୍ତ କରିବା ବେଳେ ରୁପନ୍ତ ମିଛ ଅଭିନୟ କରୁଥିବା ଜାଣିବାକୁ ପାଇଥିଲା ।

ବନ୍ଧକ ପଡିଥିବା ସୁନା ମୁକୁଳାଇବା ପାଇଁ ରୂପନ୍ତଙ୍କ ବାପା ତାଙ୍କୁ ୨୭ ହଜାର ଟଙ୍କା ଦେଇଥିଲେ । କିନ୍ତୁ ରୂପନ୍ତ ବନ୍ଧକ ପଡିଥିବା ସୁନା ମୁକୁଳାଇବା ବଦଳରେ ନିଜେ ଋଣ କରିଥିବା ଟଙ୍କା ସୁଝିଦେଇଥିଲେ  । ଆଉ ବାପଙ୍କ  ନିକଟରୁ ବର୍ତ୍ତିବା ପାଇଁ  ଟଙ୍କା ଡକାୟତି ହୋଇଥିବା ନେଇ ମିଛ ଅଭିନୟ କରି ତାକୁ ସତ ପ୍ରମାଣିତ କରିବାକୁ ଯାଇ  ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି  ସତ୍ୟତା ଜାଣିବା ପରେ ରୁପନ୍ତ ହିୟାଲଙ୍କୁ ଗିରଫ କରିଛି ।

ଏନେଇ ପଡାଲଗୁଡ଼ା  ନିକଟସ୍ଥ ଏକ ଜଙ୍ଗଲରୁ ରୂପନ୍ତଙ୍କ ମୋଟର ସାଇକଲକୁ ଜବତ କରିବା ସହ ଏହି ଘଟଣାରେ ଅନ୍ୟ କେହି  ସମ୍ପୃକ୍ତ ଥିବା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

Comments are closed.