ବଲାଙ୍ଗୀର : ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଗୋବିନ୍ଦର ମୃତ୍ୟୁ ଏକ ରହସ୍ୟ ହୋଇ ରହିନଯାଉ, ସେଥିପାଇଁ ଖୁବ ସାବଧାନତା ସହିତ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏଭଳି ସ୍ଥିତିରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗୋବିନ୍ଦଙ୍କ ଓକିଲ ଦୁର୍ଗା ମୋହନ ପାଢୀଙ୍କ ଅନୁସାରେ, ଫାଶୀରୁ ଗୋବିନ୍ଦଙ୍କୁ ଉଦ୍ଧାର କରିବା ପରେ ଡାକ୍ତରଖାନା ନିଆଯାଇଥିଲା । ସେତେବେଳେ ଗୋବିନ୍ଦ ବଞ୍ଚିଥିଲେ ।
ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ, ସେ ଆତ୍ମହତ୍ୟା କରିଥିବା ଜଣାପଡୁନାହିଁ । ମୁଁ କୋର୍ଟରେ ତାଙ୍କ ମୃତ୍ୟୁ ଖବର ପାଇ ଜେଲରେ ପହଞ୍ଚିଥିଲି । ସେତେବେଳେ ଗୋବିନ୍ଦଙ୍କୁ ଡାକ୍ତରଖାନା ନିଆଯାଉଥିଲା । ଗୋବିନ୍ଦ ନିଃଶ୍ୱାସ ନେଉଥିଲେ, ସେ ବଞ୍ଚିଥିଲେ । ଆଜି ଗଣମାଧ୍ୟମକୁ ଏହା କହିଛନ୍ତି ଦୁର୍ଗାମୋହନ ।
ତେବେ ଏଠାରେ କଥା ଉଠୁଛି, ଯଦି ଗୋବିନ୍ଦ ବଞ୍ଚିଥିଲେ ସେଦିନରୁ ଆଜି ପର୍ଯ୍ୟନ୍ତ ଦୁର୍ଗାମୋହନ ଚୁପ୍ ରହିଥିଲେ କାହିଁକି? ତାଛଡା କୌଣସି ଗଣମାଧ୍ୟମ କିମ୍ୱା ଘଟଣା ଦିନ ଉପସ୍ଥିତ କେହି ବି ଏନେଇ ମୁହଁ ଖୋଲିନଥିଲେ କାହିଁକି? ଏପରି ନାନା ପ୍ରଶ୍ନ ଏବେ ଉଙ୍କି ମାରିଛି ।
ସେପଟେ କ୍ରାଇମ ବ୍ରାଞ୍ଚ ଟିମ୍ ଗୋବିନ୍ଦଙ୍କ କଳାହାଣ୍ଡିସ୍ଥିତ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚୁରା କରିଛି । ଜିଲ୍ଲା ଫରେନସିକ୍ ସାଇନ୍ସ ଲାବରୋଟେରୀରୁ କ୍ରାଇମବ୍ରାଞ୍ଚ ଫଟୋଗ୍ରାଫ, ଭିଡିଓ ଓ ପୋଷ୍ଟମର୍ଟମ ଥିବା ଏକ ଡିଭିଡି ଜବତ କରିଛି । ଜେଲ୍ କଏଦୀଙ୍କୁ ମଧ୍ୟ ଜେରା କରିଛି । ସେହିପରି ମହାଲିଙ୍ଗ କଲେଜରୁ ଏକ ଡାଏରୀ ଜବତ କରିଛି । ଗୋବିନ୍ଦଙ୍କ ଶେଷ ଚିଠିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି ।
Comments are closed.