ଢେଙ୍କାନାଳ : କଲଦା ଗାଁରେ ହାତୀ ଉପଦ୍ରବ । ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା । ହାତୀ ପଲଙ୍କୁ ଘୋଉଡ଼ାଇବାକୁ ଗାଁ ଲୋକେ ଚଳାଇଛନ୍ତି ପ୍ରୟାସ । ହେଲେ ଯିବାର ନାଁ ଧରୁନାହାଁନ୍ତି ହାତୀ ପଲ । ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଲଦା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପରଜଙ୍ଗ ଥାନା କଲଦା ଗାଁର ରମେଶ ଚନ୍ଦ୍ର ସାହୁ ।
ସୂଚନା ଅନୁଯାୟୀ, ରମେଶ ସକାଳୁ ଗାଁ ପାଖ ମୁଣ୍ଡାନାଳୀ ନିକଟରେ ଧାନ ବିଲରେ ନଡ଼ା ଭିଡୁଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ସ୍ଥାନୀୟ ଲୋକମାନେ ରମେଶଙ୍କ ଚିତ୍କାର ଶୁଣି ତାଙ୍କୁ ଧାନ ବିଲରୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏ ନେଇ ପରଜଙ୍ଗ ମେଡ଼ିକାଲ ପରିସରରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା ।
ତେବେ ଅଞ୍ଚଳରେ ୬୦ ଟିକିଆ ହାତୀ ପଲଙ୍କୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ଗତ କିଛି ଦିନ ମଧ୍ୟରେ ପରଜଙ୍ଗର ଆଖ ପାଖ ଅଞ୍ଚଳରେ ହାତୀ ଉପଦ୍ରବରେ ଲୋକମାନେ ଅତିଷ୍ଠ ହୋଇ ପଡ଼ିଲେଣି । ଏନେଇ ତୁରନ୍ତ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
Comments are closed.