Latest Odisha News

BREAKING NEWS

ପିନାକୀଙ୍କୁ ନେଇ ଅଡ଼ୁଆରେ ବିଜେଡି, ହାତରୁ ଖସିଯିବ କି ପୁରୀ ?

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିଜେଡି ହାତରୁ ଖସିଥିଲା ପୁରୀ ସହ ବ୍ରହ୍ମଗିରି ବିଧାନସଭା ଆସନ । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ଥିବାବେଳେ ବିଜେଡି ପୁରୀ ଲୋକସଭା ଆସନକୁ ନେଇ ବିବ୍ରତ ହୋଇ ପଡ଼ିଛି । ୨୦୧୯ ନିର୍ବାଚନରେ ବିଜେଡିର ପିନାକୀ ମିଶ୍ର, ବିଜେପିର ସମ୍ବିତ ପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ମାତ୍ର ୧୧ ହଜାର ୭୧୪ ଭୋଟରେ ବିଜୟୀ ହୋଇଥିଲେ ବିଜେଡିର ପିନାକୀ ମିଶ୍ର ।

ବିଜେଡି ସିନା ପୁରୀ ଲୋକସଭା ଆସନରେ ବିଜୟୀ ହୋଇଥିଲା ହେଲେ ହାତରୁ ଖସି ଯାଇଥିଲା ପୁରୀ ସହ ବ୍ରହ୍ମଗିରି ଭଳି ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ । ଏହା ଭିତରେ ପାଖାପାଖି ୪ ବର୍ଷ ବିତିଲାଣି । ୨୦୧୯ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ଯେଉଁଠି ହାରିଥିଲେ, ସେଠି ବିଜେପି ଅପେକ୍ଷା କମ୍ ଭୋଟ୍ ପାଇଥିଲେ ପିନାକୀ ମିଶ୍ର । ସେସବୁ ଆସନରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ ପାଇଁ ଏବେର ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଆଗ୍ରହ ନଥିବା ଭଳି ଲାଗୁଛି ।

ବିଜେଡି ସାଂସଦ ପିନାକୀ ମିଶ୍ର ଗତ ମାସରେ ପୁରୀରେ ହୋଇଥିବା ଦଳର ପ୍ରତିଷ୍ଠା ଦିବସକୁ ଆସି ନଥିଲେ । ଏପରିକି ଗାନ୍ଧୀ ଜୟନ୍ତୀରୁ ଦଳ ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରିଥିଲେ ବି ପିନାକୀଙ୍କ ଦେଖା ନଥିଲା । ପୁରୀରେ ହେଉଥିବା ଦଳୀୟ କାର୍ଯ୍ୟକ୍ରମରେ ଲୋକେ ପିନାକୀଙ୍କୁ କାଁ ଭାଁ ଦେଖିଥିବା ବେଳେ ସେ ଲୋକଙ୍କ ନିକଟକୁ ଯାଉ ନଥିବା ଅଭିଯୋଗ ହେଉଛି ।

ଅନ୍ୟପଟେ ୨୦୧୯ରେ ମାତ୍ର ୧୧ ହଜାର ଭୋଟରେ ହାରିଥିବା ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଘନ ଘନ ପୁରୀ ଆସୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉଠାଇବା ସହ ଲୋକଙ୍କ ସହ ମିଶୁଛନ୍ତି । ୨୦୧୯ ନିର୍ବାଚନରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି, ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପିନାକୀଙ୍କ ଠାରୁ ଅଧିକ ଭୋଟ୍ ପାଇଥିଲେ ବିଜେପିର ସମ୍ବିତ ପାତ୍ର ।

୨୦୧୯ରେ ପୁରୀ ବିଧାନସଭା ଆସନରେ ପିନାକୀଙ୍କ ଠାରୁ ସମ୍ବିତ ୨୬ ହଜାର ୩୬୪ ଭୋଟ୍ ଅଧିକ ପାଇଥିବା ବେଳେ ବ୍ରହ୍ମଗିରିରେ ୪ ହଜାର ୧୭୨ ଖଣ୍ଡ ଅଧିକ ଭୋଟ୍ ପାଇଥିଲେ । ଚିଲିକା, ରଣପୁର ବିଧାନସଭା ଆସନରେ ଯଦିଓ ବିଜେଡି ଜିତିଥିଲା, ସେଠି ସମ୍ବିତଙ୍କ ଠାରୁ ମାତ୍ର ୨ରୁ ୩ ହଜାର ଭୋଟ୍ ଅଧିକ ପାଇଥିଲେ ପିନାକୀ ମିଶ୍ର ।

୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିଜେପି, ବିଜେଡି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ପୁରୀକୁ ନେଇ ପିନାକୀ ସେତେଟା ଗମ୍ଭୀର ନଥିବା ଭଳି ଲାଗୁଛି । କିନ୍ତୁ ବିଜେଡି ପୁରୀକୁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେଉଛି । ଯେଉଁଥିପାଇଁ ପୁରୀରେ ଦଳ ଗତ ଡିସେମ୍ବରରେ ଶକ୍ତି ପ୍ରଦର୍ଶନ କରି ପାଳିଥିଲା ବିଜେଡିର ରୌପ୍ୟ ଜୟନ୍ତୀ । ହେଲେ ଦଳର ଏତେବଡ଼ କାର୍ଯ୍ୟକ୍ରମରେ ପିନାକୀ ଅନୁପସ୍ଥିତ ଥିବା ବେଳେ ମଞ୍ଚରେ ଘୋଷଣା କରାଯାଇଥିଲା ସେ ଅସୁସ୍ଥ ଅଛନ୍ତି ।

ତେବେ ଦଳୀୟ କାର୍ଯ୍ୟକ୍ରମକୁ କାହିଁକି ଆସୁନାହାନ୍ତି ପିନାକୀ ? ମହେଶ୍ୱରଙ୍କ ସହ ପିନାକୀଙ୍କ ପଡ଼ୁନି ନା ପୁରୀ ଆସିବାକୁ ମନ ହେଉନି ? ଯାହାକୁ ନେଇ ପୁରୀରେ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ ପିନାକୀ ରାଜ୍ୟସଭା ଯିବାକୁ ଆଗ୍ରହୀ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି ।

ଯଦି ୨୦୨୪ରେ ବିଜେଡି ପୁରୀ ଲୋକସଭା ପାଇଁ ପିନାକୀଙ୍କୁ ଟିକେଟ୍ ନ ଦିଏ । ତାହାଲେ କିଏ ହେବ ପୁରୀରୁ ବିଜେଡି ପ୍ରାର୍ଥୀ ? ପୁରୀରେ ପିନାକୀଙ୍କୁ ନେଇ ଗଣ୍ଡା ଗଣ୍ଡା ପ୍ରଶ୍ନ ବିଜେଡିକୁ ଘାଇଲା କରିଥିବା ବେଳେ କି ନିଷ୍ପତ୍ତି ନେବ ଦଳ ? ୨୦୨୪ ପୂର୍ବରୁ ଭୁଲ୍ ସୁଧାରିବ ନା ଯୁଦ୍ଧ ନକରି ସମ୍ବିତ ପାତ୍ରଙ୍କୁ ଟେକି ଦେବ ପୁରୀ ଲୋକସଭା ଆସନ ।

Comments are closed.