ଭୁବନେଶ୍ୱର: ବିଜେଡି ନେତା ତଥା କେନ୍ଦ୍ରାପଡା ବିଧାୟକ ଶଶୀ ବେହେରା ଏବେ ଅଡ଼ୁଆରେ। କେନ୍ଦ୍ରାପଡା ସଦରର ଏହି ବିଧାୟକଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏବଂ ସୋଶିଆଲ ମିଡିଆରେ ପୋଷ୍ଟର ଲାଗିଛି। ଯେଉଁଥିରେ ଶଶୀ ହଟାଅ ନାରା ଦିଆଯାଇଛି। ଆଗକୁ 2024 ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ରହିଛି। ଦଳ ପକ୍ଷରୁ ନେତା ମାନେ ପୁଣିଥରେ କିଭଳି ଟିକେଟ୍ ହାତେଇବେ ସେ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ଆଗାମୀ ଦିନରେ 2024ରେ ଶଶୀ ଭୂଷଣ ପୁଣିଥରେ କେନ୍ଦ୍ରାପଡାରୁ ଟିକେଟ୍ ପାଇବେକି ନାହିଁ ସେ ନେଇ ଦ୍ବନ୍ଦ୍ବ ଉପୁଜିଛି। ଅନ୍ୟପଟେ କେନ୍ଦ୍ରାପଡା ସଦର ଆସନରେ ବିଧାୟକ ରିପିଟ୍ ହେବା ନଜିର ନାହିଁ। ତେଣୁ ଦେଖାଦେଇଥିବା ରାଜନୈତିକ ପରିସ୍ଥିତି ଓ ସମୟ ଅନୁସାରେ ଶଶୀ ଭୂଷଣ ଏବେ ସଙ୍କଟରେ ପଡିଛନ୍ତି ବୋଲି କୁହାଯାଉଛି।
ଶଶୀ ଭୂଷଣ ବେହେରା ନବୀନ ସରକାରରେ ଏକଦା ରାଜ୍ୟସଭା ସାଂସଦ ଏବଂ ଅର୍ଥମନ୍ତ୍ରୀ ଥିଲେ। ଦଳର ମୁଖପାତ୍ର ମଧ୍ୟ ଥିଲେ। ଅର୍ଥମନ୍ତ୍ରୀ ଥିବା ବେଳେ ଦଳର ଦ୍ବିତୀୟ ଶକ୍ତିଶାଳୀ ନେତା ଥିଲେ। ସେ ରାଜଧାନୀର ଜୟଦେବ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଏପରି ସ୍ଥିତିରେ ସେ ସେହି ଆସନରୁ ନିର୍ବାଚନ ଲଢିବାକୁ 2019 ବେଳେ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଦଳ ଅରବିନ୍ଦ ଢାଲିଙ୍କୁ ଟିକେଟ୍ ଦେଇଥିଲା। ଟିକେଟ କଟିଯିବା ଆଶାରେ ଶଶୀଭୂଷଣଙ୍କ ସମର୍ଥକ ନାରାବାଜି କରିଥିଲେ। ଏହାପରେ ବିଜେଡି ଶଶୀ ଭୂଷଣଙ୍କୁ ତାଙ୍କ ଶ୍ବଶୁର ଘର ଅଞ୍ଚଳରୁ ଟିକେଟ୍ ଦେଇଥିଲା। ଆଉ କେନ୍ଦ୍ରାପଡା ସଦର ଆସନରୁ ବିଧାୟକ ଥିବା କିଶୋର ତରାଇଙ୍କ ଟିକେଟ କାଟିଥିଲା ବିଜେଡି।
କିଶୋର ତରାଇ ତାଙ୍କ ପତ୍ନୀ ଓ ବାପାଙ୍କ ନାଁ ନିର୍ବାଚନ ବେଳେ ଯାହା ଲେଖିଥିଲେ ତାକୁ ନେଇ ବିବାଦ ଥିଲା। ବବିତା ନା କବିତା ସେ ନେଇ ସତ୍ୟପାଠ ଏବଂ ମୂଳ ନାଁରେ ବିବାଦ ଥିବା ନେଇ ବିରୋଧୀ ଅଭିଯୋଗ ଆଣିଥିଲେ। ପରେ 2017 ପଞ୍ଚାୟତ ନିର୍ବାଚନରେ ବବିତା ତରାଇ ବିଜୟୀ ହୋଇଥିଲେ ମଧ୍ୟ ଶେଷରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ତେଣୁ କିଶୋର ତରାଇଙ୍କ ଟିକେଟ୍ କାଟିଥିଲେ ବିଜେଡି।
ସେହିପରି ଏହି ଆସନରୁ ସିପ୍ରା ମଲ୍ଲିକ ମଧ୍ୟ ବିଧାୟକ ହୋଇଥିଲେ। ସେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ଦଳ ଶଶୀଙ୍କୁ ଟିକେଟ୍ ଦେଇଥିବାରୁ ଦଳୀୟ ଚାପରେ ସିପ୍ରା ମଲ୍ଲିକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ। ଏହାପରେ ଉଭୟ ନବୀନ ନିବାସରେ କିଶୋର ତରାଇ ଏବଂ ସିପ୍ରା ମଲ୍ଲିକ କହିଥିଲେ ଦଳର ନିଷ୍ପତ୍ତିକୁ ସମ୍ନାନ ଜଣାଇ ଶଶୀ ଭୂଷଣଙ୍କୁ ଜିତାଇବାକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ। ଅର୍ଥାତ ଦୁଇ ପୂର୍ବତନ ବିଧାୟକଙ୍କୁ ରିପିଟ୍ ନକରି ଶଶୀଙ୍କୁ ଭରସା କରିଛି ଦଳ।
ଏହାପରେ କିନ୍ତୁ ଜିଲ୍ଲା ରାଜନୀତିରେ ଆରମ୍ଭ ହୋଇଛି ଅସଲ ଖେଳ। କେନ୍ଦ୍ରାପଡାରେ ଅତନୁ ସବ୍ୟସାଚ୍ଚୀଙ୍କ ପ୍ରଭାବ ରହିଛି। ସେ କୁଆଡେ ମନ୍ତ୍ରୀ ନଥିବା ବେଳେ ଅନେକ କନ୍ଦଳ ଜିଲ୍ଲାରେ ସାମ୍ନାକୁ ଆସିଛି। ଆଉ ଏହି କନ୍ଦଳର ସୂତ୍ରଧର ଅତନୁ ବୋଲି ଜିଲ୍ଲା ରାଜନୀତିରେ ଚର୍ଚ୍ଚା ହୁଏ। ତେଣୁ ଶଶୀଭୂଷଣ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଥିବା ବେଳେ ହୋଇଥିବା ଅଣ୍ଡାମାଡର ସୂତ୍ରଧର କିଏ ଯଦିଓ ଜଣାନାହିଁ ହେଲେ ଦଳୀୟ କନ୍ଦଳ ବୋଲି ବୁଝାଯାଏ। ଯାହାର ଜବାବରେ ଶଶୀ କହିଥିଲେ ତାଙ୍କ ବିକାଶମୂଳକ କାମକୁ ସହିନପାରି ତାଙ୍କ ବିରୋଧୀ ଏପରି କରୁଛନ୍ତି।
ଅନ୍ୟପଟେ ବିଧାନସଭା ଶୀତକାଳୀନ ଅଧିବେଶନରେ ଶଶୀଭୂଷଣ ବେହେରା ନିଜ ପୂର୍ବ ନିର୍ବାଚନମଣ୍ଡଳୀ ଜୟଦେବ ଅଞ୍ଚଳର ସମସ୍ୟା ଉଠାଇଥିଲେ। ସେହିପରି ଅରବିନ୍ଦ ଢାଲି ମାଲକାନଗିରିର ସମସ୍ୟା କଥା ଉଠାଇ ପ୍ରଶ୍ନ କରିଥିଲେ। ଯେଉଁଥିରୁ ବୁଝାପଡୁଛି ଉଭୟ ନିଜ ନିଜ ଏରିଆକୁ ଫେରିବାକୁ ଚାହୁଁଛନ୍ତି। କାରଣ ଜୟଦେବ ଆସନରେ ମଧ୍ୟ ଢାଲି କୁଆଡେ ଶଶୀଙ୍କ ସମର୍ଥକଙ୍କ ପାଇଁ ବଡ ଅଡୁଆର ସାମ୍ନା କରୁଛନ୍ତି। ତେଣୁ ଏପରି ସ୍ଥିତିରେ ଶଶୀ ଭୂଷଣ ସଙ୍କଟରେ ପଡିଥିବା କୁହାଯାଉଛି।
Comments are closed.