Latest Odisha News

BREAKING NEWS

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂରତି, ରଥରୁ ପହଣ୍ଡିରେ ଝୁଲି ଝୁଲି ଗଲେ ମହାପ୍ରଭୁ

ପୁରୀ : ମହାପ୍ରଭୁ ବଡ଼ଭାଇ ଓ ସାନଭଉଣୀ ସହିତ ରଥରେ ବୁଲୁଛନ୍ତି । ଶନିବାର ଦିନ ରତ୍ନବେଦୀରୁ ବାହାରି ରଥରେ ବସି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରାରମ୍ଭ କରିଥିଲେ ଶ୍ରୀଜଗନ୍ନାଥ । ଭାଇ ଭଉଣୀ ଗୁଣ୍ଡିଚା ମନ୍ଦିର ସହଳ ପହଞ୍ଚି ଯାଇଥିଲେ ମଧ୍ୟ ସାନଭାଇ ଶ୍ରୀଜଗନ୍ନାଥ ବଳଗଣ୍ଡି ଛକରେ ରାସ୍ତାର ବାମପାଶ୍ୱର୍କୁ ମାଡ଼ି ଅଟକି ଯାଇଥିଲେ । ରବିବାର ରଥଟଣା ହୋଇ ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଲେ । ଏଯାଏଁ ରଥ ଛାଡ଼ିନଥିଲେ କାଳିଆ ଠାକୁର । ରଥରେ ରହି ଦୂରଦୂରାନ୍ତର ଭକ୍ତମାନଙ୍କୁ ଦର୍ଶନ ଦେଉଥିଲେ ଶ୍ରୀଜୀଉମାନେ । ସୋମବାର ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହିତ ପହଣ୍ଡି କରି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ତିନିଠାକୁର ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ।

ସୋମବାର ସନ୍ଧ୍ୟା ୬ଟା ସମୟରେ ଆରମ୍ଭ ହେଲା ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ବିଜେ । ପ୍ରଥମେ ଶ୍ରୀସୁଦର୍ଶନ, ତା’ପରେ ବଡ଼ଭାଇ ଶ୍ରୀବଳଭଦ୍ର, ତାଙ୍କ ପଛକୁ ଭଉଣୀ ଦେବୀ ସୁଭଦ୍ରା ଏବଂ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ଅନୁଷ୍ଠିତ ହେଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଝୁଲି ଝୁଲି ହଲି ହଲି ଅପୂର୍ବ ଠାଣିରେ ପହଣ୍ଡି କରି ଆଡ଼ପ ମଣ୍ଡପକୁ ବିଜେ କଲେ ।

ମଙ୍ଗଳବାର ଶ୍ରୀଜୀଉମାନଙ୍କର ବନକଲାଗି ଅନୁଷ୍ଠିତ ହେବ । ତେଣୁ ମଙ୍ଗଳବାର ରାତି ୮ଟା ଠାରୁ ଦର୍ଶନ ବନ୍ଦ ରହିବ । ମଙ୍ଗଳବାରଠୁଁ ବାହୁଡ଼ା ପର୍ଯ୍ୟନ୍ତ ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ରହି ଭକ୍ତମାନଙ୍କୁ ଦର୍ଶନ ଦେବେ ।

ମଙ୍ଗଳବାରରୁ ଆଡ଼ପମଣ୍ଡପରେ ଆଡ଼ପ ଅବଢା ବାହାରିବାର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁମାନେ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟରେ ଅବଢା ପ୍ରସାଦ ଲାଭ କରିପାରିବେ ।

ପ୍ରବଳ ବର୍ଷା ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପାଣି ଜମିରହିଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ଭକ୍ତି ଭାବନାର ସହିିତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

Leave A Reply

Your email address will not be published.