Latest Odisha News

BREAKING NEWS

ଓଡ଼ିଶାରେ ଅସୁରକ୍ଷିତ ବାଘ, ହାତୀ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭୟାରଣ୍ୟ ଜୀବ ଜନ୍ତୁଙ୍କୁ ସୁରକ୍ଷିତ ରଖିବାର ସ୍ଥାନ। ହେଲେ କିଛି ବର୍ଷ ହେବ ଓଡ଼ିଶାରେ ଅଭୟାରଣ୍ୟରେ ରହୁଥିବା ଜୀବ ଜନ୍ତୁ ମାନେ ଯେପରି ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଭଳି ମନେ ହେଉଛି । କେବେ ଦୁର୍ଘଟଣାରେ ତ ଆଉ କେବେ ମନୁଷ୍ୟକୃତ କାରଣ ଯୋଗୁଁ ବାଘ, ହାତୀ, ଭାଲୁ, ହରିଣ ଓ ମୟୁର ସହ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଚଳିତ ସପ୍ତାହରେ ସଦ୍ୟ ଉଦାହରଣ ହେଲା ବାରିପଦା ପରେ ମାଲକାନଗିରିରୁ ବାଘ ଛାଲ ଜବତ ଘଟଣା। ଯାହା ଓଡ଼ିଶାର ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି। କେଉଁଠି ନାଁ କେଉଁଠି ଉଭୟ ଶିକାରୀ ଏବଂ ବନ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଗୋଟିଏ ଭିତିରିଆ ସମ୍ପର୍କ ଗଢିଉଠିଥିବା ମଧ୍ୟ ସନ୍ଦେହ ବଢିବାରେ ଲାଗିଛି । ୨୦୧୮ ଠାରୁ ଏହି ଧାରା ଏଯାବତ ଜାରି ରହିଛି ।

ଚଳିତ ବର୍ଷ ଏଯାବତର ଘଟଣା ଯଦି ଦେଖିବା ଜାନୁଆରୀ ୯ ତାରିଖରେ ସମ୍ବଲପୁର ସଦର ରେଞ୍ଜ ଖଇଁରମାଲ ରଘୁପଡା ଜଙ୍ଗଳରେ ବାରାହ ଶିକାର ପାଇଁ ଜେଇ ତାରରେ ଖଞ୍ଜା ଥିବା ଫାସରେ ଦନ୍ତା ହାତୀ ଫସି ପ୍ରାଣ ହରାଇଥିଲା । ସମ୍ବଲପୁର ବନ ବିଭାଗ ପକ୍ଷରୁ ଏ ନେଇ ୩ଜଣକୁ ଗିରଫ କରାଯାଇଛି । ସେହିପରି ଗତବର୍ଷ ଡିସେମ୍ବର ୨୨ରେ ମହାବଳ ବାଘକୁ ଶିକାର କରି ଛାଲ ବିକ୍ରି ଉଦ୍ୟମ କରୁଥିବା ବେଳେ ଏସଟିଏଫ ହାତରେ ଶିକାରୀ ଧରାପଡ଼ିଥିଲେ।

ଏହାର କିଛି ଦିନ ପୂର୍ବରୁ ଶିମିଳିପାଳରେ ହାତୀ ଶିକାର ପରେ ଶିକାରୀ ହାତୀର ଦାନ୍ତ କାଟି ନେଇଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ହାତୀର ମୃତଶରୀରକୁ ପୋଡ଼ି ବନ କର୍ମଚାରୀମାନେ ପାଉଁଶକୁ ନଦୀରେ ଭସାଇ ଦେଇଥିଲେ। ଏହି ଘଟଣାରେ ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଯାହା ଶିମିଳିପାଳରେ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏକ ରିପୋର୍ଟ ଅନୁଯାୟୀ ଗତବର୍ଷ ଆଠଗଡ ବନଖଣ୍ଡରେ ଗତମାସ ଜୁନ୍‌ରେ ୪ଟି ହାତୀ କଙ୍କାଳ ମିଳିଥିଲା। ଏହାପରେ ସମାନ ମାସରେ ୧୨ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୭ଟି ହତ୍ୟାର ଶିକାର ହୋଇଥିବା ଜଣାପଡିଥିଲା। ଶିମିଳିପାଳରେ ଶିକାରୀମାନେ ହାତୀଙ୍କୁ ହତ୍ୟା କରିଥିଲେ। ଆଉ ବନ କର୍ମଚାରୀ ଏହି ଶିକାରୀଙ୍କ ସୁରକ୍ଷା ପାଇଁ ଢାଲ ପାଲଟିଥିଲେ। ସେହିପରି ସମ୍ବଲପୁର ଓ ନରସିଂହପୁରରେ ଗୋଟିଏ ଲେଖାଏଁ ହାତୀ ଗୁଳିମାଡ଼ରେ ଟଳି ପଡ଼ିଥିଲେ।

ସେହିପରି ଗତବର୍ଷ ସାରା ରାଜ୍ୟରେ କ୍ରାଇମ୍‌ବ୍ରାଞ୍ଚ ୧୫ଟି ବାଘ ଛାଲ, ୧୩ଟି ହାତୀ ଦାନ୍ତ, ୫ ହରିଣ ଚମଡ଼ା, ସାଢ଼େ ୨୧କେଜି ବଜ୍ରକାପ୍ତା କାତି, ଦୁଇଟି ବାଘଦାନ୍ତ ଓ ୨୯ ବାଘପଞ୍ଝା ଜବତ କରିଥିଲା। ୮ଟି ଜୀବନ୍ତ ବଜ୍ରକାପ୍ତା ଓ ୪୬ଟି ଶୁଆ ଉଦ୍ଧାର କରାଯାଇଥିବା ବେଳେ ୩୩ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୈବ ସନ୍ତୁଳନରେ ଏହି ଜୀବ ଜନ୍ତୁଙ୍କର ଆମ ପରିବେଶ ସହିତ ଗୋଟିଏ ବଡ ଭୂମିକା ରହିଥାଏ। ହେଲେ ଏହି ଜୀବଜନ୍ତୁ ଯେଉଁଭଳି ଗୋଟିଏ ପରେ ଗୋଟିଏ ଯେଉଁଭଳି ଭାବେ ଶିକାରୀଙ୍କ ଶିକାର ହେଉଛନ୍ତି ଏବଂ ବନ ବିଭାଗ ନିରବ ରହୁଛି ତାହା ଆଗାମୀ ଦିନରେ ଆମ ପ୍ରତି ବିପଦ ସୃଷ୍ଟିକରିପାରେ।

Comments are closed.