କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ବ୍ରହ୍ମପୁର ହଷ୍ଟେଲରୁ ଫେରି ପଦ୍ମିନୀ ନିଜ ପଢ଼ାରୁମ୍ ଉଦ୍ଦେଶ୍ୟରେ ଯିବାକୁ ବାହାରିବା ବେଳେ ହଠାତ୍ ସାନଭାଇ ପଛରୁ ଡାକିଲା- ଅପା.. ଆଗକୁ ବଢ଼ୁଥିବା ପାଦ ତା’ର ଅଟକିଗଲା – କ’ଣ କିରେ… ?
– ଆଜି କିଏ ସବୁ ଆସୁଛନ୍ତି ଯେ… ତୁ ଜାଣୁ…?
ଭାଇର ଚପଳ କଥା ଶୁଣି ସେ ଗଂଭୀର ହୋଇଉଠିଲା । ତେବେ ବାବା- ବୋଉଙ୍କ ମୁହଁରୁ ସେ ସକାଳେ ଯାହା ଶୁଣି କିଛିଟା ଅନୁମାନ କରିଥିଲା; ସେ ସବୁ ସତ କି ?
ଭାଇର ପାଖକୁ ଯାଇ, ତା’ କାନ୍ଧ ଉପରେ ହାତ ରଖି ଧୀର ସ୍ୱରରେ ପଚାରିଲା- କହିଲୁ ବାପ, କିଏ ସବୁ ଆସୁଛନ୍ତି ?
– ତୋ ବର… ।
ହସି ଉଠିଲା ପଦ୍ମିନୀ- ଆରେ ବୋକା, ମୋର ପୁଣି ବର କୁଆଡ଼େ ଆସିବ ?
– କେଜାଣି, ନୂଆବୋଉ ତ କହୁଥିଲେ ।
ପଢ଼ାରୁମ୍ ଉଦ୍ଦେଶ୍ୟରେ ସେ ପାଦ ବଢ଼ାଇଲା ।
ନିକଟରୁ ସେ ଜାଣିପାରିଲା ଭିତରେ କିଏ ଅଛି । କିଏ ହୋଇପାରେ… ?
– ଆସ ମିନୀ !
ଓ, ଭାଉଜ ତେବେ ଅଛନ୍ତି । ସେ ଭିତରକୁ ପାଦ ବଢ଼ାଇଲା । ଦେଖିଲା, ପଢ଼ା ଘରଟିକୁ ସେ ମନଧ୍ୟାନ ଦେଇ ସଜାଇବାରେ ଲାଗିଛନ୍ତି । କୋଠରୀଟି ଯେପରି ଭାବେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲା- ଚାରିକୋଣରେ ବହିଖାତା…ଟେବୁଲ ଉପରେ ଜଳଖିଆ ପ୍ଲେଟ୍, ଚା’ କପ୍, ଟଫି, ଚକୋଲେଟର ଜରି… ଘର ସାରା ଇତସ୍ତତଃ ହୋଇ ପଡ଼ିଥିଲା, ସେସବୁ ଆଉ ନାହିଁ।
Comments are closed.