ଗଦାଧର ସାହୁ
ଫୁଲ ସବାରୀରେ ବସି
ଫଗୁଣ ଆସିଛି
ମୋ କାନରେ ତୁମ କଥା
କହେ ହସି ହସି ।
ତା ଚୋରା ଚଇତି କରେ
ତୁମ ଚିତ୍ତ ଚୋରି
ମୋ ଚିତ୍ତ କେତେ ସହିବ
କେତେ ଧୈର୍ଯ୍ଯ ଧରି ।
ଆହୁରି ଡରାଏ ମୋତେ
ତୁମେ ଆନମନା
ତା ପରଶ କାଉଁରିରେ
ମୁଁ ମନେ ପଡେନା ।
ଫୁଲ ଫଗୁଣ ଫଗୁରେ
ଯେତେ ଚିତ୍ର କର
ସେ ଚିତ୍ରରେ ସେ ଚଇତି
ମୋଠୁ ବଳିୟାର ।
ସେ ମାରିଛି ଫୁଲ ଶର
ତୁମ ହୃଦୟରେ
ମଳୟ ଅତର ଢାଳି
ସେ ଶର ମୁନରେ ।
ଆଜି ମୁଁ ପାରୁଛି ବୁଝି
ତୁମ ମନ ବ୍ୟଥା
କାଲିଠୁ ବସନ୍ତ ହେବି
ମୁଁ ଦେଉଛି କଥା ।
ଯାହା ଶିଖିଲି ତାହାଠୁ
ତାହା ମୁଁ କରିବି
ବସନ୍ତ ଆସିବା ଆଗୁ
ଫୁଲଶର ହେବି ।
Comments are closed.