Latest Odisha News

କିଏ ଦଖଲ କରିବ ନବଙ୍କ ଗଡ଼ ?

ଭୁବନେଶ୍ୱର: ଉପନିର୍ବାଚନ ଘୋଷଣା ହୋଇନି ଆରମ୍ଭ ହୋଇଗଲାଣି ଲଢେଇ। ଏମିତି କିଛି ଦେଖିବାକୁ ମିଳିଛି ଝାରସୁଗୁଡ଼ାରେ। ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ରହିଛି। କୋଉ ମୁହୂର୍ତ୍ତରେ ସେଠାରେ ଉପନିର୍ବାଚନ ଘୋଷଣା ହୋଇପାରେ। କିନ୍ତୁ ଏହାର ବହୁ ପୂର୍ବରୁ ଦଳୀୟ ଟିକେଟ ଆଶାୟୀଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ଜୋର ଧରିଲାଣି।

ସରକାରୀ କର୍ମଚାରୀ ମାନଙ୍କୁ ବିଜେଡି ଦଳୀୟ କାର୍ଯ୍ୟପାଇଁ ନିୟୋଜିତ କରୁଛି ବୋଲି ଗତ ୧୧ ତାରିଖରେ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଥିଲେ। ଜିଲ୍ଲାରେ ମହିଳାମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ବୈଠକ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା।

ତେବେ ମହିଳା ମାନଙ୍କୁ ଏକତ୍ରିତ କରିବା ପାଇଁ ସରକାରୀ କର୍ମଚାରୀଙ୍କ ସମେତ ଏମବିକେ ଏବଂ ସିଆରପି ମାନଙ୍କୁ ବିଜେଡି ପକ୍ଷରୁ ନିୟୋଜିତ କରାଯାଉଛି ବୋଲି ଅଭିଯୋଗ ହୋଇଛି। ନିକଟରେ ଲଇକେରା ଠାରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହା ଦେଖିବାକୁ ମିଳୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା। ଏପରିକି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାରୁ ଟଙ୍କଧର ବିଜେଡିକୁ ଟାର୍ଗେଟ କରିବା ଆଲୋଚନାର ବିଷୟ ପାଲଟିଛି।

ଟଙ୍କଧର ଝାରସୁଗୁଡ଼ାରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ଆଗୁଆ ବିଜେଡିକୁ ଶାଣିତ ଆକ୍ରମଣ କରିଥିବା ନେଇ ଚର୍ଚ୍ଚା ହେଉଛି।ସେପଟେ ଟଙ୍କଧରଙ୍କ ଅଭିଯୋଗର କଡା ଜବାବ ଦେଇଛନ୍ତି ନବ ଦାସଙ୍କ ଝିଅ ତଥା ବିଜେଡିର ପ୍ରମୁଖ ଆଶାୟୀ ଦୀପାଳି ଦାସ।

ଯେତେବେଳେ ଯିଏ ଭଲ କାମ କରିବା ପାଇଁ ଆସେ ସେତେବେଳେ ବହୁତ ଲୋକେ ବାଟ ଜଗନ୍ତି କିନ୍ତୁ ଆମକୁ କିଛି ଫରକ ପଡ଼ିବନି ବୋଲି ଦୀପାଳି କହିଛନ୍ତି। ନିଜ କାମ କରିଚାଳିବ କେତେ ଆସିବେ କେତେ ଯିବେ କିନ୍ତୁ ଆମକୁ କିଛି ଫରକ ପଡ଼ିବନି ବୋଲି ବାପା ଶିଖାଇଥିବା ଦୀପାଳି କହିଛନ୍ତି।

ଝାରସୁଗୁଡ଼ା କଣ୍ଟାପାଲି ଠାରେ ଅନ୍ତର୍ଜାତୀୟ ମହିଳା ଦିବସରେ ଯୋଗ ଦେବା ଅବସରରେ ଦୀପାଳି ଏଭଳି ମନ୍ତବ୍ୟ ଦେଇଛନ୍ତି। ନବଙ୍କ ଅନ୍ତେ ନବଙ୍କ ଗଡ଼ରେ ଉପନିର୍ବାଚନ ହେବାକୁ ଯାଉଛି। ତାରିଖ ଘୋଷଣା ହୋଇ ନ ଥିବା ବେଳେ ଦୀପାଳି ଓ ଟଙ୍କଧରଙ୍କ ମଧ୍ୟରେ ଲଢେଇ ଘଟଣାକୁ ରୋଚକ ମୋଡ଼ ଦେଇଛି।

Comments are closed.