ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଦୁର୍ବଚନ ଶୁଣିଲେ କାନ
ସୁଦ୍ଧା ଯେଣୁ ରହୁଛିଁ ମୌନ
ଆଖିରେ ଦେଖି ଦୁର୍ଲିଖନ
ସ୍ଥିର ରଖିପାରେଁ ମୋ ମନ
ଖୋଜି ଅନ୍ୟର ଦୋଷ, ତ୍ରୁଟି
ଦେଖାଏଁନାହିଁ ଗୋଟି ଗୋଟି
ସବୁ ବିଚ୍ୟୁତି ନେଇ ସହି
ଏହି ସଂସାରେ ଥାଏଁ ରହି
ପାରିଲେ ନିଜ ତ୍ରୁଟି ଜାଣି
ତାହା ମୁଁ କରେଁନାହିଁ ପୁଣି
ମୁଁ ଯାହା ଲେଖେଁ, ତାହା ପଢ଼ି
ଆଗକୁ ଯାଉଥାଏଁ ବଢ଼ି
ପୂରା ଭାଷାରେ ଅଧିକାର
ନ ଥାଏ କାହାର ବା ମୋର
ଭାଷାଂଶ କରି ବ୍ୟବହାର
ଚଳାଏଁ ସୀମିତ ସଂସାର
କାହାର ମଂତବ୍ୟ କି ମତ
କରେନି ମୋତେ ଲକ୍ଷ୍ୟଚ୍ୟୁତ
ଲକ୍ଷ୍ୟାଭିମୁଖୀ ମୋର ଗତି
ଦେଉଛି ନିରଂତର ତୃପ୍ତି
ଜାଣିଛିଁ ଏଠି ବର୍ତମାନ
କେହି ଦେବେନି ମୋତେ ଧ୍ୟାନ
ଅଂତର୍ମନର କଥା ମାନି
ଲେଖୁଛିଁ ଭାଷାର କାହାଣୀ
ମୋ’ଠାରୁ ବଡ଼ ମୋର ଭାଷା
ତେଣୁ ମୁଁ କରୁଥାଏଁ ଆଶା
ଏବେ ନ ହେଲେ କେବେ ଦିନେ
ବୁଝିବେ ଏଠି ଲୋକମାନେ
ଯେହେତୁ ମୁହିଁ ଆଶାବାଦୀ
ନ ହୋଇ ଅଯଥା ବିବାଦୀ
କରିଚାଲିଛିଁ ନିଜ କାମ
ନ ନେଇ ଅଲୋଡ଼ା ବିଶ୍ରାମ
Comments are closed.